ମାଲିକଠୁ ଅଲଗା ହେବା ପରେ ଗୋଟିଏ ଜାଗାରେ ୪ ବର୍ଷ ଧରି ଅପେକ୍ଷା କରିଥିଲା କୁକୁର, ମିଳନ କଲା ସୋସିଆଲ ମିଡିଆ
ନିଜ ମାଲିକଠୁ ଅଲଗା ହେବା ପରେ ମଧ୍ୟ ଏକ କୁକୁର ଆଶା ହରାଇ ନ ଥିଲା। ସେହି ଗୋଟିଏ ଜାଗାରେ ହିଁ କୁକୁରଟି ୪ ବର୍ଷ ଧରି ତା’ ମାଲିକଙ୍କୁ ଅପେକ୍ଷା କରିଥିଲା। ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶେଷରେ ମାଲିକଙ୍କୁ ମିଳିଯାଇଥିଲା ତାଙ୍କ ହଜିଯାଇଥିବା କୁକୁର।
କୁକୁରର ନାଁ ଲିୟା। ଥାଇଲାଣ୍ଡର ଏକ ସହର ଖୋନ୍ କେଇନ୍ରେ ସେ ନିଜ ମାଲିକଙ୍କୁ ଅପେକ୍ଷା କରିଥିଲା। ରାସ୍ତାରେ ଯାଉଥିବା ଲୋକେ ତାକୁ ଜଙ୍ଗଲି କୁକୁର ବୋଲି ଭାବୁଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ବସିରହୁଥିବାର ଦେଖି ଲୋକେ ଏହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଗୋଟିଏ ଜାଗାରେ ହିଁ ବୁଲୁଥିବା ଏହି କୁକୁର ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।
ପ୍ରତିଦିନ ରାସ୍ତାରେ ଯିବା ବେଳେ ଜଣେ ମହିଳା କୁକୁରଟିକୁ ନିଜ ଘରକୁ ନେଇଯାଇଥିଲେ। ତା’ ଶରୀରର ଅନେକ ଜାଗାରେ ସଂକ୍ରମଣ ହୋଇଥିବାରୁ ଚିକିତ୍ସା କରିଥିଲେ। କିନ୍ତୁ କିଛି ସମୟ ପରେ କୁକୁର ଘର ଛାଡ଼ି ତା’ର ନିତିଦିନିଆ ଜାଗାକୁ ପଳାଇ ଯାଇଥିଲା। ସେତେବେଳେ ମହିଳା ଜଣକ ବୁଝିଯାଇଥିଲେ ଯେ କୁକୁରଟି କାହାର ଅପେକ୍ଷାରେ ରହିଛି। ସେଥିପାଇଁ ସେ ପ୍ରତିଦିନ ସେହି ସ୍ଥାନରେ ପାଣି ଏବଂ ଖାଦ୍ୟ ରଖିଦେଇ ଆସୁଥିଲେ।
ଏହାସହ ପଢ଼ନ୍ତୁ: ପାଞ୍ଚ ଥର ହୋଇସାରିଛି ପୃଥିବୀର ସାମୂହିକ ବିନାଶ! ପୁଣି ଆଶଙ୍କା କଲେ ବୈଜ୍ଞାନିକ
କିଛି ବର୍ଷ ଲଗାତାର ଲିୟାର ଫଟୋ ଭାଇରାଲ ହେବା ପରେ ୬୪ ବର୍ଷୀୟ ନେଙ୍ଗ୍ ନୋଇଙ୍କ ପାଖରେ ପହଞ୍ଚିଥିଲା। ତାଙ୍କ ଝିଅ ତାଙ୍କୁ ଏହି ଫଟୋ ଦେଖାଇବା ପରେ ନେଙ୍ଗ୍ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଥିଲେ। ସେ ଝିଅକୁ ନେଇ ତୁରନ୍ତ ଉକ୍ତ ଜାଗାରେ ପହଞ୍ଚିଥିଲେ। ଜାଗା ବିଷୟରେ ସୋସିଆଲ ମିଡିଆରେ ଉଲ୍ଲେଖ କରାଯାଇଥିଲା। ନେଙ୍ଗ୍ ଯେତେବେଳେ ଲିୟାକୁ ଭେଟିଥିଲେ ତାକୁ ବୋନ୍-ବୋନ୍ ନାଁରେ ଡାକିଥିଲେ। ଲିୟାକୁ ନେବା ପାଇଁ ସେହି ମହିଳାଙ୍କଠାରୁ ଅନୁମତି ନେବାକୁ ପଡ଼ିଥିଲା, ଯିଏ ତାକୁ ଖାଇବା, ପିଇବାକୁ ଦେଉଥିଲେ। ନିଜ ମାଲିକ ସହ ଲିୟାର ମିଶିବା କାହାଣୀ ସୋସିଆଲ୍ ମିଡିଆ ୟୁଜରଙ୍କୁ ଦୁଃଖିତ କରିଦେଇଥିଲା।