Below header

ବୟସର ସାୟାହ୍ନରେ ନିଆରା ସେବା, ସାଇକେଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣାରେ କରୁଛନ୍ତି ଆବର୍ଜନା ସଫେଇ ସେବା

କେନ୍ୟୁଜ୍(ବ୍ୟୁରୋ):ପାଦରେ ନାହିଁ ଚପଲ । ଦେହରେ ଆଣ୍ଠୁ ଲୁଚୁ ନଥିବା ଧୋତି ସହ ଖଣ୍ଡେ ଚିରା ସର୍ଟ । ଜାକି ହୋଇ ଗଲାଣି ଶରୀରର ଚମଡା । ସଳଖି ଛିଡା ହେବାକୁ ଅଣ୍ଟାରେ ଜୁ ନାହିଁ । ତଥାପି ମନରେ ରହିଛି ଅଦମ୍ୟ ସାହସ । ଦୃଢ ଇଛା ଶକ୍ତି ଆଗରେ ହାର୍‌ ମାନିଛି ବାର୍ଦ୍ଧକ୍ୟ । ଭଙ୍ଗା ସାଇକେଲ୍‌କୁ ବଳ କରି ସେ ଚାଲି ଆସିଥିଲେ ସୁଦୂର ବାଲେଶ୍ୱରରୁ ବନ୍ଦର ନଗରୀ ପାରାଦୀପ । ଆଉ ଲକ୍ଷ ନିଜକୁ ବିଭିନ୍ନ କାଯ୍ୟକ୍ରମରେ ସାମିଲ୍‌ କରି ଝାଡୁରେ ଓଳାଇ ସଫା କରିବା । ଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବଡ଼କସପା ଗାଁର କାଳୀ ଚରଣ ପାଗଳ । ଆଖିରେ ଅଳିଆ ପଡିଲେ ତାଙ୍କର ନିଦ ହଜିଯାଏ । ସମର୍ଥ ମୂତାବକ ସାଥିରେ ଧରିଥିବା ଝାଡୁରେ ଓଳାଇ ସଫା କରିଦିଅନ୍ତି ଅଳିଆ ଆବର୍ଜନା ।

କେବଳ ପାରାଦୀପ ନୁହେଁ ପୁରୀ ରଥଯାତ୍ରା, ଅନୁଗୁଳ ଏବଂ ବାଲେଶ୍ୱର ବାଲିଆପାଳରେ ସେ ଦୀର୍ଘଦିନ ହେବ ସେବା ଯୋଗାଇ ଆସୁଛନ୍ତି । ନିକଟରେ ଶେଷ ହୋଇଥିବା ସତ୍ୟସାଇ ସଙ୍ଗଠନର ରାଜ୍ୟସ୍ତରୀୟ ଭକ୍ତ ସମ୍ମିଳନୀରେ ସାମିଲ୍‌ ହୋଇ ସେ ତିନି ଧରି ସେବା କରି ଚାଲିଥିଲେ । ତେବେ ବାଲେଶ୍ୱରରୁ ସାଇକେଲ୍‌ ଧରି ବାହାରିଥିବା କାଳୀଚରଣ ଦୀର୍ଘ ତିନ ଦିନ ପରେ ପାରାଦୀପରେ ପହଞ୍ଚିଥିବାରୁ ସମସ୍ତେ ତାଙ୍କୁ ବେଶ୍‌ ଆଦର କରିଥିଲେ ।ବୟସର ସାୟାହ୍ନରେ ପହଞ୍ଚିଥିବା କାଳୀ ଚରଣଙ୍କ ଏହି ମାନବ ସେବା ହିଁ ମାଧବ ସେବା ବ୍ରତ ସତରେ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.