Below header

ଗୋଟେ ହାତ ନଥିଲେ କଣ ହେଲା ନିଜ ପେଟ ପାଇଁ ତ ନିଜେ ରୋଜଗାର କରିପାରୁଛି

ବୃଦ୍ଧ ଜଣଙ୍କ ନାମ ପ୍ରଭାକର ନାୟକ। ଦୀର୍ଘ ପନ୍ଦର ବର୍ଷ ହେବ ଫଟୋ ବନ୍ଧେଇ କାମ କରିଆସୁଛନ୍ତି। ସମୟ କ୍ରମେ ଫଟୋ ବନ୍ଧେଇ କାମରେ ଲାଭ ଏତେ ଆଉ ନାହିଁ। ତଥାପି ଏହି କ୍ଯାବିନଟି ସହିତ ତାଙ୍କର ଏହି ଫଟୋ ଫିନିସିଙ୍ଗ ରୋଜଗାରର ସାହାରା ସାଜିଛି।

ଭୁବନେଶ୍ୱର (କେନ୍ୟୁଜ୍): ଆଜିର ସମାଜରେ ବୟୋ ବୃଦ୍ଧ ମାନଙ୍କ ସୁଚିନ୍ତନ ପ୍ରତ୍ୟେକ ମଣିଷଙ୍କ ଜୀବନ ଧାରା ପାଇଁ ଭାରି ଉପଯୋଗୀ। ହେଲେ ଏମାନେ ଅନେକ ସମୟରେ ଅବହେଳିତ। ଏମାନଙ୍କ ଶେଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ପରିବାର ବଂଚିବାର ରାହା ପାଇଥାଏ।

ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ୱରର। ଛୋଟ କ୍ଯାବିନ୍ ଟିଏ, ଯାହା ତିନି ହାତ ଓସାରକୁ ଚାରି ହାତ ଲମ୍ବା ହେବ। ତାରି ଭିତରେ ବସି ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିର ଅତି ମନଲୋଭା ଫଟୋ ଗୋଟିଏ ରଖି ତାଉପରେ ଅଠା ଲଗାଉ ଥାନ୍ତି, ଏବଂ ଅଠା ଉପରେ ନାଲି ନୀଳ ଧଳା ଜିଙ୍କ ସହିତ ସୁନେଲି ରଙ୍ଗର ଚୁମୁକି ଏତେ ସୁନ୍ଦର ଖଞ୍ଜି ଦେଉଥାନ୍ତି ଜଣେ ବୃଦ୍ଧ। ଲାଗୁଥିଲା ସତେ ଯେମିତି ରାଧା କୃଷ୍ଣ ସୁନା, ରୁପା, ହୀରା,ନୀଳା ମାଣିକର ଆଭୂଷଣ ପିନ୍ଧିଛନ୍ତି।

ଆଉ କିଛି ସମୟ ପରେ ପୁଣି ଜଗନ୍ନାଥ,ବଳ ଭଦ୍ର ସୁଭଦ୍ରା ଙ୍କ ଫଟୋ ଟିଏ ରଖି ତାଉପରେ ଛୋଟ ଛୋଟ ଝିକିମିକି ଷ୍ଟୋନ,ଚୁମୁକି ଅଠା ଦେଇ ଏମିତି ସଜାଉ ଥାଆନ୍ତି ଯେ ସବୁ ଠାକୁର ଦାଉ ଦାଉ ଝଲସୁ ଥାଆନ୍ତି। ସତେ କି ଚତୁର୍ଦ୍ଧା ମୂରତି ଆଉ ଟିକିଏ ପରେ ଅଳଙ୍କାର ପିନ୍ଧି ଫଟୋ ଭିତରୁ ବାହାରି ଆସିବେ। ହେଲେ ବୃଦ୍ଧ ଜଣଙ୍କ ଏସବୁ କାମ କରୁଥାନ୍ତି ସତ ତାପୁଣି ଗୋଟିଏ ହାତରେ। କାରଣ ଆଉ ଗୋଟିଏ ହାତ ପାପୁଲି ରୁ ନଥାଏ।

ଏଭଳି ଘଟଣା ଟିକେ ବ୍ୟଥିତ କରିଥିଲେ ବି ଏହା ହେଉଛି ଗୋଟିଏ କଳା । ଯାହାକି ରୋଜଗାର ପନ୍ଥା ଯୋଗାଇ ଦେଇଛି ଏହି ବୃଦ୍ଧ ଜଣଙ୍କୁ। ତେବେ ଆଲୋଚନା ପରେ ତାଙ୍କର ବେଶ ଭଲ କଥା କେଇ ପଦ ମନକୁ ଛୁଇଁଥିଲା। ଏହି ବୃଦ୍ଧ ଜଣଙ୍କ ନାମ ପ୍ରଭାକର ନାୟକ। ଦୀର୍ଘ ପନ୍ଦର ବର୍ଷ ହେବ ଫଟୋ ବନ୍ଧେଇ କାମ କରିଆସୁଛନ୍ତି। ସମୟ କ୍ରମେ ଆଉ ଫଟୋ ବନ୍ଧେଇ କାମରେ ରୋଜଗାର ଏତେ ଆଉ ହେଲାନି। ତଥାପି ଏହି କେବିନ ଟି ସହିତ ତାଙ୍କର ଏହି ଫଟୋ ଫିନିସିଙ୍ଗ ରୋଜଗାରର ସାହାରା ସାଜିଛି। ଯଦିବା ସେ ଚାକିରୀ କରିଥିଲେ। କିନ୍ତୁ ଅବସର ନେଲା ପରେ ମନସ୍ତ କରିଥିଲେ କାହା ପାଇଁ ବୋଝ ନହୋଇ କିଛିନା କିଛି ରୋଜଗାର କରି ବଂଚିବେ।

ତେବେ ତାଙ୍କର ସଉକ ଥିଲା ଠାକୁରଙ୍କୁ ସଜେଇବା। ଦିନେ ଜଣଙ୍କ ଘରକୁ ଯାଇଥିବାବେଳେ ଏହି ଚୁମୁକି ଜିଙ୍କ କାମ ଦେଖି ମନସ୍ତ କରିଥିଲେ ଏହି ଭଳି ଠାକୁରଙ୍କ ଫଟୋ ସବୁ ସଜେଇ ରୋଜଗାର କରିହେବ। ଆଉ ସେଦିନ ଠାରୁ ଆଜିଯାଏ ଏହି କାମ କରି ଆସୁଛନ୍ତି। ପ୍ରଭାକରଙ୍କର ସେହି ପଦିଏ କଥା ଅବସର ବୟସରେ କାହାରି ଉପରେ କାହିିଁକି ବୋଝ ହେବ କିଏ କାହିଁକି କଣ ଭାବିବ । ନିଜେ ପେଟ ପାଇଁ ତ ରୋଜଗାର କରିପାରୁଛି। ବାସ୍ ଏଇ କଥା ଅବସର ବୟସରେ ଯେଉଁମାନେ ଭାଙ୍ଗି ପଡୁଛନ୍ତି, ଅସହାୟ ମନେ କରୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ। ଆପଣ ମାନଙ୍କ ମନରେ ନିଶ୍ଚୟ ଅଦମ୍ୟ ସାହସ ଭରିଦେବ। ଅବସର ପରେ ବାକି ଜୀବନ ଶାନ୍ତିରେ ବଞ୍ଚି ପାରିବା ପାଇଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.