Below header

ଏମିତି ଏକ କବର ଯେଉଁଠି ଶ୍ରଦ୍ଧାଞ୍ଜଳିରେ ଦିଆଯାଏ ଜୋତା ମାଡ଼

ମୃତ୍ୟୁ ପରେ କବର ଦିଆଯାଇଥିବା ଲୋକଙ୍କୁ ତାଙ୍କ ସମ୍ପର୍କୀୟ ଅଥବା ବନ୍ଧୁବାନ୍ଧବ ଫୁଲ କିମ୍ବା ଚାଦର ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି । ହେଲେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳରେ ଏକ କବର ରହିଛି ଯେଉଁଠି ଲୋକେ ଜାତା ମାଡ଼ କରନ୍ତି । ଇଏ ଏକ ଅଜବ ପରମ୍ପରା । ସେହି କବରକୁ ମାନସିକଧାରୀମାନେ ଜୋତାରେ ପିଟନ୍ତି । ଏହି କବରର ନାମ ହେଉଛି ଚୁଗଲଖୋର । ଇଟାଓ୍ଵା-ବରେଲି ରାସ୍ତାରେ ଏହି ୫୦୦ ବର୍ଷର ପୁରାତନ କବରଟି ପଡ଼େ । ସେହି ବାଟ ଦେଇ ଯାଉଥିବା ଲୋକେ କିଭଳି ଭଲରେ ଯାତ୍ରା ପୂରା କରିବେ ସେହି ମାନସିକ ରଖି କବରକୁ ଜୋତାରେ ପିଟିଥାନ୍ତି ।
ଏହା ପଛରେ ଏକ କାହାଣୀ ରହିଛି । ତାହା ହେଉଛି, ଇଟାଓ୍ଵାର ବାଦଶାହା ଅଟେରିର ରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ । ତାଙ୍କୁ କୁହାଯାଇଥିଲା ଯେ ରାଜା ତାଙ୍କ ପ୍ରତି ବିଦ୍ୱେଷ ମନୋଭାବ ରଖିଛନ୍ତି । ତେବେ ଯୁଦ୍ଧ ଚାଲିଥିବା ବେଳେ ବାଦଶାହା ଜାଣିବାକୁ ପାଇଲେ ଯେ ଅଯଥାରେ କରାଯାଇଥିବା ଏହି ଯୁଦ୍ଧ ପାଇଁ ତାଙ୍କ ଦରବାରରେ ଥିବା ଭୋଲୁ ସୟେଦ ନାମକ ଜଣେ ପାରିଷଦ ଦାୟୀ । ସେ ଚୁଗୁଲି କରି ଏଭଳି କରିଛି । ତେଣୁ ସେ ଘୋଷଣା କଲେ ଯେ ଭୋଲୁ ସୟେଦକୁ ଶାସ୍ତି ଦିଆଯିବ । ତାକୁ ଜୋତାରେ ପିଟି ପିଟି ମାରି ଦେବାକୁ ବାଦଶାହା ନିର୍ଦ୍ଦେଶ ଦେଲେ । ତାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ଏବଂ ସେବେଠାରୁ ଏହି ଜୋତା ମାଡ଼ ପରମ୍ପରା ଚାଲି ଆସୁଛି । ସେଠାରେ ରହୁଥିବା ପରିବାର ଲୋକେ ସେମାନଙ୍କର ଯେକୌଣସି ଯାତ୍ରା ପୂର୍ବରୁ ଭୋଲୁ କବରକୁ ଯାଇ ଅତି କମ୍‌ରେ ପାଞ୍ଚଥର ଜୋତା ମାଡ଼ ଦିଅନ୍ତି । ସେମାନଙ୍କର ବିଶ୍ୱାସ, ଏଭଳି କଲେ ଯାତ୍ରା ସମୟରେ କୌଣସି ଦୁର୍ଘଟଣା ଘଟେ ନାହିଁ ଏବଂ ଯାତ୍ରା ଶୁଭ ହୁଏ ।

A tradition of 500 years, People hit the tomb by shoes

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.