ଭଙ୍ଗା କୁଡିଆରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ , ଜାଣନ୍ତୁ କେ. ଶିବନଙ୍କ ସଂଘର୍ଷର କାହାଣୀ
ଜୁଲାଇ ୨୨ରେ ସାରା ବିଶ୍ବକୁ ଆଚମ୍ବିତ କରି ଭାରତ ରଚିଥିଲା ଇତିହାସ। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ପଠାଇ ଇସ୍ରୋ ସାଉଣ୍ଟିଥିଲା ଅନେକ ପ୍ରଶଂସା। ଯହାର ନେତୃତ୍ୱ ନେଇଥିଲେ ଇସ୍ରୋର ମୁଖିଆ କେ. ଶିବନ୍। ହେଲେ ଏତେ ବଡ ମିଶନକୁ ପରିଚାଳିତ କରୁଥିବା ଶିବନଙ୍କ ପିଲା ଦିନର ସଘର୍ଷମୟ କାହାଣୀ ହୁଏତ ଅନେକ ଜାଣିନଥିବେ। ତେବେ କେମିତି ଥିଲା ଏହି ମହାନ ବୈଜ୍ଞାନିକଙ୍କ ଜୀବନ ଯାତ୍ରା ଆସନ୍ତୁ ଜାଣିବା।
କେ. ଶିବନ୍ ଙ୍କ ପୁରା ନାମ ଥିଲା ‘କୈଲାଶାବାଦିୱୋ ସିବନ୍’ । କନ୍ୟାକୁମାରୀର ସରକ୍କାଲବିଲାଇ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା କେ.ଶିବନଙ୍କ ପାଠପଢା ପାଇଁ ଘରେ ଟଙ୍କାଟିଏ ନଥିଲା । ସେ ଗାଁର ସରକାରୀ ସ୍କୁଲରେ ପାଠ ପଢିଥିଲେ। ପାଠ ପଢିବା ପାଇଁ ଓ ଆଗକୁ ଯିବାପାଇଁ ତାଙ୍କ ପାଖରେ ଅର୍ଥ ଅଭାବ ଥିବାରୁ ସେ ପାଖ ବଜାରରେ ଆମ୍ବ ବିକ୍ରି କରିଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ତାକୁ ସେ ପାଠପଢା ଖର୍ଚ୍ଚରେ ବିନିଯୋଗ କରୁଥିଲେ।
ପ୍ରଥମଥର ପାଇଁ ଇସ୍ରୋର ଚେୟାରମ୍ୟାନ୍ ହେବା ପରେ ଏକ ଜାତୀୟ ଇଂରାଜୀ ଖବର କାଗଜକୁ ସାକ୍ଷାତକର ଦେଇ ଏକାଥା କହିଥିଲେ। ଆମ୍ବ ବିକ୍ରି କରି ସେ ଯୁକ୍ତ ୨ ପାସ୍ କରିଥିଲେ । କିନ୍ତୁ ସ୍ନାତକ ପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିଲା । ଟଙ୍କା ଅଭାବରୁ ତାଙ୍କ ବାପା କନ୍ୟାକୁମାରୀ ନାଗରକୋଇଲ୍ ହିନ୍ଦୁ କଲେଜରେ ତାଙ୍କ ନାଁ ଲେଖାଇଥିଲେ ।
ଆହୁରି ପଢନ୍ତୁ: ଦୁନିଆର ଏମିତି ଏକ ଜାଗା, ଯେଉଁଠି ବର୍ଷ ସାରା ବିଜୁଳି ଚମକୁଛି, ମିନିଟ୍ରେ ୨୮ ଥର
ଗଣିତ ବିଷୟରେ ଯେତେବେଳେ ସେ ସ୍ନାତକ କରିବା ପାଇଁ କଲେଜ୍ ଯାଇଥିଲେ ସେତେବେଳେ ସେ ପ୍ରଥମଥର ପାଇଁ ଚପଲ ପିନ୍ଧିଥିଲେ । ଧୋତି-କୁର୍ତ୍ତା ସାଙ୍ଗକୁ ଚପଲ ପିନ୍ଧି ସେ ଗ୍ରାଜୁଏଟ୍ ପାସ୍ କରିଥିଲେ । ଗଣିତରେ ୧୦୦ ରୁ ୧୦୦ ନମ୍ବର ରଖି ସେ ପରିବାରର ପ୍ରଥମ ଗ୍ରାଜୁଏଟ୍ ହେଲେ ।ଗଣିତ ପରେ ବିଜ୍ଞାନ ପଢିବା ପାଇଁ ସେ ଏମଆଇଟି ପହଁଚିଲେ । ଯେଉଁଠାରେ ତାଙ୍କୁ ସ୍କଲାରସିପ୍ ମିଳିଲା ଏବଂ ସେ ଏରୋନାଟିକଲ୍ ଇଞ୍ଜିନିୟରିଂରେ ବିଟେକ୍ କଲେ ।
ଆଇଆଇଏସ୍ ବାଙ୍ଗାଲୋରରୁ ଏରୋନାଟିକଲ୍ ଇଞ୍ଜିନିୟରିଂ କରି ସାରିବା ବେଳକୁ ସେ ଜଣେ ବୈଜ୍ଞାନିକ ହୋଇଯାଇଥିଲେ। ପ୍ରଥମେ ସେ ଇସ୍ରୋରେ ପିଏସଏଲବି (ପୋଲର୍ ସାଟେଲାଇଟ୍ ଲଞ୍ଚ୍ ୱିକଲ୍)ପ୍ରସ୍ତୁତ କରିବାରେ ଚାକିରୀ ଜୀବନ ଆରମ୍ଭ କଲେ । କେ.ଶିବନ୍ ଏବଂ ତାଙ୍କ ଟିମ୍ ଏହି କାମରେ ସଫଳ ହୋଇଥିଲେ ।
ରକେଟ୍ କକ୍ଷରେ ସ୍ଥାପନ କରିବା ପାଇଁ ” ସିତାରା” ନାମକ ଏକ ସଫ୍ଟୱେୟାର୍ କେ.ଶିବନ୍ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ସଫ୍ଟୱେୟାର୍ ସଫଳ ହେବା ସହ ଭାରତୀୟ ବୈଜ୍ଞାନିକ ଜଗତରେ ଏହା ବିଷୟରେ ଚର୍ଚ୍ଚା ବଢିଯାଇଥିଲା ।
ଏହାପରେ ଭାରତୀୟ ବୈଜ୍ଞାନିକ ଜିଏସଏଲବି ପ୍ରସ୍ତୁତ କରି ଟେଷ୍ଟିଙ୍ଗ୍ କରିବା ସମୟରେ ଏଥିରେ ଅସଫଳ ରହିଥିଲେ ଯାହାକୁ କେ.ଶିବନ୍ ସଫଳ କରି ଦେଖାଇଥିଲେ । ଯାହାପରେ ତାଙ୍କୁ ଇସ୍ରୋର “ରକେଟ୍ ମ୍ୟାନ୍” ଆଖ୍ୟା ଦିଆଗଲା । ୨୦୦୬ ରେ ସେ ଏୟାରସ୍ପେଶ୍ ଇଞ୍ଜିନିୟରିଂ ଆଇଆଇଟି ବମ୍ବେରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ତାଙ୍କୁ ଇସ୍ରୋର ପ୍ରମୁଖ ପଦବୀ ଦିଆଯାଇଥିଲା ।
୨୦୧୪ ଜୁଲାଇ ୨ ରେ ମାତ୍ର ୧ ବର୍ଷ ମଧ୍ୟରୁ କମ୍ ସମୟରେ ତାଙ୍କୁ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ମୁଖ୍ୟ କରାଗଲା । ଏହି ସ୍ପେଶ୍ ସେଣ୍ଟରର କାମ ସାଟେଲାଇଟ୍ କୁ ଅନ୍ତରୀକ୍ଷରେ ପଠାଇବା ଅର୍ଥାତ୍ ରକେଟ୍ ତିଆରି କରିବା ଥିଲା। ବାସ ଏହା ପର ଠାରୁ ପଛକୁ ଫେରି ନାହାନ୍ତି କେ ଶିବନ। ଚନ୍ଦ୍ର ପ୍ଷ୍ଠରେ ଅବତରଣ ପୂର୍ବରୁ ସିନା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ହେଲେ ଏବେ ବି ନିଜ କର୍ମ ଉପରେ ଭରଶା ରଖି ନିଜ ଚନ୍ଦ୍ରଯାନ-୨ର ସଫଳତା ପାଇଁ ଉଦ୍ୟମ ଜାରି ରଖିଛନ୍ତି।