Below header

ଚାନ୍ଦା ଦିଅ ଚାନ୍ଦା, ଆମେ ଗଣେଶ ପୂଜା କରିବୁ; ଥାଳ ଧରି ବୁଲୁଛନ୍ତି ପିଲା

ଆଗକୁ ଗଣେଶ ପୂଜା, କୋମଳମତି ଶିଶୁଙ୍କ ହାତରେ ଚାନ୍ଦା ଥାଳି। ଗଣେଶ ପୂଜା ପାଳନ କରିବା ପାଇଁ ଗାଁଠୁ ସହର ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଦ୍ୟା ଦାତା ଗଜାନନ, ତେଣୁ ଛାତ୍ର ଛାତ୍ରୀ ଭକ୍ତିର ସହ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ । ତେବେ ଏବେ ଗାଁ, ଗହଳି ଠାରୁ ଆରମ୍ଭ କରି ସହର ଯାଏ ସବୁଠି ଦେଖିବାକୁ ମିଳୁଛି ଚାନ୍ଦା ଆଦାୟ ପାଇଁ ବିଭିନ୍ନ ବର୍ଗର ଲୋକ ଘରେ ଘରେ ପହଞ୍ଚୁଛନ୍ତି । ଆଉ ସବୁଠାରୁ ବେଶି ଦୁଃଖ ଲାଗୁଛି ଯେତେବେଳେ ପିଲାମାନେ ଏହି ଧାରାରେ ପଡୁଛନ୍ତି ।
ଅଗାମୀ ଦିନର ଭବିଷ୍ୟତ ବୋଲି କୁହାଯାଉଥିବା ଏହି କୋମଳମତି ପିଲାମାନେ ବିଦ୍ୟାଦାତାଙ୍କୁ ବିଦ୍ୟା ପାଇଁ ନୁହେଁ, ମଉଜଜ ମଜଲିସ୍‌ ଓ ଭୋଜି ପାଇଁ ପୂଜା କରୁଛନ୍ତି । ତେଣୁ ସେମାନଙ୍କ ହାତରେ ଏହି ଚାନ୍ଦା ଥାଳି । ଏହି ସ୍କୁଲ ପଢୁଆ ପିଲାମାନେ ହାତରେ ଥାଳି ଧରି ରାସ୍ତାରେ ଅଟକାଇ ଲୋକଙ୍କୁ କହୁଛନ୍ତି ‘ ଗଣେଶ ପୂଜା ପାଇଁ ଚାନ୍ଦା ଦିଅ’ । ଏସବୁ ହୁଏତ ଆମର ଦେହସୁଆ ହୋଇଗଲାଣି । କାରଣ ଆମେ ବର୍ଷ ବର୍ଷ ଧରି ଏହି କଥା ଦେଖି ଆସୁଛୁ । ହେଲେ ଶିଶୁଙ୍କ ମଧ୍ୟରେ ଏହି ପ୍ରକାର ଚିନ୍ତା ଧାରାକୁ ଆମେ ହିଁ ପ୍ରୋତ୍ସାହନ ଦେଇଛୁ । ପିଲାଙ୍କୁ ଏଥିଲାଗି ବିରୋଧ ନକରି ସେମାନଙ୍କ ଭବିଷ୍ୟତକୁ ବିଗାଡ଼ିଛୁ । କାରଣ ଏମାନେ ବଡ଼ ହେଲେ ସେଇ ଚାନ୍ଦା ମାଗିବା ଧାରାରେ ରହିଯାଉଛନ୍ତି ଓ ଆହୁରି ବଡ଼ ଆକାରରେ ପୂଜା କରିବା ଲାଗି ଅଧିକ ଚାନ୍ଦା ଆଣି ଅଧିକ ଖର୍ଚ୍ଚ ବି କରୁଛନ୍ତି । ସେତେବେଳେ ଆମେ ଚାନ୍ଦା ଭୟରେ ଅସନ୍ତୋଷ ପ୍ରକାଶ କରୁଛୁ ସିନା ସେମାନଙ୍କୁ ମୂଳରୁ ରୋକୁ ନାହୁଁ ।
ଆମେ ଏବେ ଦେଖାଉଛୁ ଗଂଜାମ ଜିଲ୍ଲାର ଏକ ଗାଁର ଚିତ୍ର । ଏହି ଗୋଟିଏ ଗାଁ ନୁହେଁ, ଅନେକ ଗାଁରେ ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । କେବଳ ଗଣେଶ ପୂଜା ନୁହେଁ, ରଥଯାତ୍ରା, ସରସ୍ୱତୀ ପୂଜା ଆଦି ଅନେକ ପର୍ବ ପର୍ବାଣୀରେ ପିଲାମାନେ ଏଭଳି ଚାନ୍ଦା ଆଦାୟ କରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ତେବେ ଏହାକୁ ଅଭିଭାବକ ତଥା ଗାଁର ମୁରବୀ ଶ୍ରେଣୀର ଲୋକେ ନଜର ଅନ୍ଦାଜ କରି ଦେଉଛନ୍ତି । ଯାହାଫଳରେ ଏକ ଅସୁସ୍ଥ ବାତାବରଣ ସୃଷ୍ଟି ହେଉଛି । ସହରାଞ୍ଚଳ ସମେତ କିଛି ଗ୍ରାମାଞ୍ଚଳରେ ପୋଲିସ୍‌ ବେଆଇନ୍‌ ଚାନ୍ଦା ଆଦାୟ ଉପରେ କଟକଣା ଜାରି କରିଛି । ହେଲେ ସେଇଟା ସିନା ବଡ଼ ପିଲାଙ୍କ ପାଇଁ । ତେବେ ଏଭଳି କୋମଳମତି ପିଲାଙ୍କୁ ଉଚିତ ମାର୍ଗ ଦେଖାଇବା ଓ ଚାନ୍ଦା ମାଗିବା ଭଳି ଏକ ଖରାପ ପରମ୍ପରାରୁ ଦୂରେଇ ରଖିବା କଣ ଆମର କର୍ତ୍ତବ୍ୟ ନୁହେଁ ।

ରବୀନ୍ଦ୍ର ନାଥ ଡାକୁଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.