Below header

ଜୀବନ ଯୁଦ୍ଧରେ ବହୁ ଘାତ ପ୍ରତିଘାତ ଆସିବାପରେ ବି ହାରିନାହାନ୍ତି ଦଶରଥ, ଜାରି ରହିଛି ସଙ୍ଘର୍ଷ

ଏ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ୍ ନୁହେଁ । ଆନନ୍ଦପୁର ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ କଠକଟା ଗାଁ । ଏହି ଗାଁର ଦଶରଥ ହୋ ନାମକ ଯୁବକ ଏବେ ଚର୍ଚ୍ଚାରେ ।

ଆନନ୍ଦପୁର(କେନ୍ୟୁଜ) : ଏ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ୍ ନୁହେଁ । ଜୀବନ ଯୁଦ୍ଧରେ ବିଭିନ୍ନ ଘାତ ପ୍ରତିଘାତ ଆସିବା । ତା ମଧ୍ୟରେ ସଙ୍ଘର୍ଷ କରି କରି ନିଜର ଦରିଦ୍ରତାକୁ ପଛରେ ପକାଇବା ପୁଣି ନିଜକୁ ପ୍ରତିଷ୍ଠା କରିବାର ନିଶା , ଯାହା ଏବେ ଧୀରେ ଧୀରେ ସଫଳ ହେବାକୁ ଯାଉଛି । କୌଣସି ପରିସ୍ଥିତରେ ମଧ୍ୟ ପଛକୁ ନଚାହିଁ ନିଜର ଅଧ୍ୟବସାୟ ବଳରେ କିଭଳି ନିଜ ଭବିଷ୍ୟତ ଗଢିବାକୁ ଲାଗିଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି ।

ଆନନ୍ଦପୁର ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ କଠକଟା ଗାଁ । ଏହି ଗାଁର ଦଶରଥ ହୋ ନାମକ ଯୁବକ ଏବେ ଚର୍ଚ୍ଚାରେ । ଦଶରଥ ନିକଟସ୍ଥ ଆଶ୍ରମ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ବାପାଙ୍କୁ ହରାଇଥିଲେ । ଏହାପରେ ଆର୍ଥିକ ଅନାଟନ ମଧ୍ୟରେ ଇଂରାଜୀ ଶିକ୍ଷକ ହେବା ଆଶାରେ ଛୁଟି ଦିନରେ ମଜୁରିଆ କାମ କରି ଭଦ୍ରକରେ ଯୁକ୍ତ ୨ ଓ ସୁଦୂର ଭୁବନେଶ୍ୱରର ଏକ ସରକାରୀ କଲେଜରେ ଇଂରାଜୀ ଅନର୍ସରେ ଯୁକ୍ତ ୩ ପଢା ଆରମ୍ଭ କରିଥିଲେ ।

ହେଲେ ପରିବାର ଅବସ୍ଥା ଏଭଳି ହେଲା ଯେ ଅଧାରୁ ପାଠ ଛାଡିବା ପରେ ବି ନିଜର ଅନ୍ତର୍ନିହିତ ଗୁଣରେ ପରିପ୍ରକାଶ କରିବାକୁ ଅଣ୍ଟା ଭିଡ଼ିଥିଲେ । ପିଲାଟି ଦିନରୁ ଭଲ ଭଲ ଗୀତିକାରଙ୍କର ଦିୱାନା ଥିଲେ ସେ । ତେବେ କଳା ଦୁନିଆରେ ପାଦ ଥାପିବାକୁ ଚିନ୍ତା କରି ଆଗକୁ ବଢିଲେ । ଆରମ୍ଭ ହେଲା ରାଜମିସ୍ତ୍ରୀ କାମ । ଏଥିରୁ ଯାହା ଦୁଇ ପଇସା ରୋଜଗାର ହେଲା ସେଥିରେ ବିଭିନ୍ନ ସରଞ୍ଜାମ କିଣା କିଣି କରି ସାଙ୍ଗ ସାଥିଙ୍କୁ ନେଇ ଗୀତ ଲେଖା, ସଂଯୋଜନା ସହିତ ମ୍ୟୁଜିକ ଆଲବମ ତିଆରି ଚାଲିଲା ।

ତାଙ୍କ ସଂଯୋଜନାରେ ଓଡ଼ିଆ ଆଲବମ ପ୍ରେମଜାଲ ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା ବେଳେ ହିନ୍ଦୀ ଗୀତ ପୁରାନି ପ୍ରେମୀ ଓ ନିଜ ହୋ ଭାଷାରେ ଅନେକ ଗୀତ ଏବେ ଦର୍ଶକଙ୍କ ପସନ୍ଦ ସାଜିଛି । ଦଶରଥ ଏବେ ଲକ୍ଷ୍ମୀ ବସରେ କଣ୍ଡକ୍ଟର ଭାବେ କାର୍ଯ୍ୟରତ । ଅର୍ଥାଭାବ ତାଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିବା ବେଳେ ଆଗକୁ ସେ ଅଧିକ ରୁ ଅଧିକ ଗୀତ ରଚନା ଓ ଏହାକୁ ସଂଯୋଜନା ସହିତ ଆଲବମ ନିର୍ମାଣ କରି ସାରା ଦୁନିଆରେ ପରିଚୟ ପାଇବାର ଆଶା ରଖିଛନ୍ତି ।

ନିଜର ଅଭାବୀ ପରିବାର ରେ ମା, ଭାଇ ଭଉଣୀଙ୍କ ପେଟ ପୋଷିବାକୁ ଦୈନନ୍ଦିନ ରୋଜଗାର ସହିତ ନିଜର ଆଶା ଅଭିଳାସା କୁ ସାକାର କରିବା ପାଇଁ ଅଣ୍ଟା ଭିଡ଼ିଥିବା ଦଶରଥଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ଦଶରଥଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ । ତାଙ୍କର ଇଛା ଶକ୍ତି ଯୋଗୁ ସେ ଆଗକୁ ଅନେକ ସଫଳତା ପାଇବେ ବୋଲି ଆଶା ଓ ବିଶ୍ୱାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.