Below header

ଡେନ୍‌ମାର୍କର କୂଟନୀତିଜ୍ଞ ଭିଡିଓ ପୋଷ୍ଟ୍‍ କରି ଦେଖାଇଲେ ଦିଲ୍ଲୀର ଆବର୍ଜନା, ମ୍ୟୁନିସିପାଲିଟି କଲା ଏଭଳି କାମ

ଭାରତରେ ଡେନ୍‌ମାର୍କର କୂଟନୀତିଜ୍ଞ ଫ୍ରେଡି ସ୍ୱେନ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଏକ ଭିଡିଓ ସେୟାର କରିଥିଲେ, ଯାହାକି କିଛି ସମୟ ଭିତରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦୂତାବାସର ବିଲ୍ଡିଂ ବାହାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବାର ଦେଖାଯାଇଥିଲା । ବର୍ତ୍ତମାନ ଏହି ସ୍ଥାନଟିକୁ ସଫାସୁତରା କରି ଦିଆଯାଇଛି ।

ଭାରତରେ ଡେନ୍‌ମାର୍କର କୂଟନୀତିଜ୍ଞ ଫ୍ରେଡି ସ୍ୱେନ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଏକ ଭିଡିଓ ସେୟାର କରିଥିଲେ, ଯାହାକି କିଛି ସମୟ ଭିତରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦୂତାବାସର ବିଲ୍ଡିଂ ବାହାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବାର ଦେଖାଯାଇଥିଲା । ବର୍ତ୍ତମାନ ଏହି ସ୍ଥାନଟିକୁ ସଫାସୁତରା କରି ଦିଆଯାଇଛି । ଭିଡିଓରେ ସ୍ୱେନ୍‌ କହିଥିଲେ ଯେ ସେ ଭାରତର ରାଜଧାନୀ ଦିଲ୍ଲୀରେ ଅଛନ୍ତି । ଏଠାକାର ଏକ ରାସ୍ତା କୁଢ଼ କୁଢ଼ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି । ଏହି ରାସ୍ତା ଦିଲ୍ଲୀସ୍ଥିତ ଡେନ୍‌ମାର୍କ ଏବଂ ଗ୍ରୀସ୍‌ ଦୂତାବାସ ମଧ୍ୟରେ ରହିଛି ।

ଭିଡିଓରେ ଡେନ୍‌ମାର୍କ କୂଟନୀତିଜ୍ଞ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ । ତାଙ୍କ ଡାହାଣ ପାର୍ଶ୍ୱରେ ଡେନ୍‌ମାର୍କ ଦୂତାବାସର କାନ୍ଥ ଦେଖାଯାଉଥିଲା । ସ୍ୱେନ୍‌ ଆବର୍ଜନା ପରିପୂର୍ଣ୍ଣ ରାସ୍ତା ଦେଖାଇ କହୁଥିଲେ, ‘ସବୁଜ ସୁନ୍ଦର ନୂଆଦିଲ୍ଲୀକୁ ଆପଣଙ୍କୁ ସ୍ୱାଗତ । ଏହା ଆମର ଡେନିସ୍‌ ଦୂତାବାସ ଏବଂ ଅପର ପାର୍ଶ୍ୱରେ ଆମର ଗ୍ରୀକ୍‌ ଦୂତାବାସ । ଏଠାରେ ଏକ ସର୍ଭିସ୍‌ ଲେନ୍‌ ଯାଇଛି । କିନ୍ତୁ ଆପଣ ଦେଖୁଛନ୍ତି ଯେ ଏହା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି । ଲୋକମାନେ ଏଠାକୁ ଆସନ୍ତି ଏବଂ ସେମାନଙ୍କ ମନଇଚ୍ଛା କାମ କରନ୍ତି’ ।

ଭିଡିଓରେ ସ୍ୱେନ୍‌ କହିଥିଲେ, ସେ ଆଶା ରଖିଛନ୍ତି ଯେ କେହି ଜଣେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେ ଆହୁରି କହିଥିଲେ, ‘ବର୍ତ୍ତମାନ କେବଳ ଭଲ କଥା କୁହନାହିଁ, ଭଲ ପଦକ୍ଷେପ ମଧ୍ୟ ନିଅ’ । ଏହି ପୋଷ୍ଟରେ ସେ ଡେନ୍‌ମାର୍କ ଦୂତାବାସ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର X ଆକାଉଣ୍ଟକୁ ଟ୍ୟାଗ୍‌ କରିଥିଲେ । ତାଙ୍କର ଏହି ପୋଷ୍ଟଟି ବହୁତ ଜଲ୍‌ଦି ଭାଇରାଲ ହୋଇଥିଲା ।

ଭିଡିଓଟି ସାମ୍ନାକୁ ଆସିବା କ୍ଷଣି ନୂଆଦିଲ୍ଲୀ ନଗରପାଳିକା ସକ୍ରିୟ ହୋଇଉଠିଥିଲା ଏବଂ ତ୍ୱରିତ ପଦକ୍ଷେପ ନେଇ ପୂରା ଅଞ୍ଚଳକୁ ସଫା କରିଥିଲା । ଏହି କାର୍ଯ୍ୟ ପାଇଁ ଡେନ୍‌ମାର୍କର କୂଟନୀତିଜ୍ଞ ଫ୍ରେଡି ସ୍ୱେନ୍‌ ମ୍ୟୁନିସିପାଲିଟିକୁ ଧନ୍ୟବାଦ ଦେବା ସହ ଏହାର କର୍ମଚାରୀମାନଙ୍କୁ ହିରୋ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.