Below header

ପାରାକ୍ୱେଟ୍‌ କବଳରେ ଏବେ ସାରା ପଶ୍ଚିମ ଓଡ଼ିଶା, ମଲେଣି ୨୦୦ରୁ ଅଧିକ ଚାଷୀ

କୀଟନାଶକ ପାରାକ୍ୱେଟ୍‌ କବଳରେ ଏବେ ସାରା ପଶ୍ଚିମ ଓଡ଼ିଶା। ଏକ ସର୍ଭେରୁ ଜଣାପଡ଼ିଛି ଯେ ପାରାକ୍ୱେଟ୍‌ କୀଟନାଶକ ପିଇ ତିନି ବର୍ଷ ମଧ୍ୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଛି । ଏଇ ତିନି ଚାରି ଦିନ ଭିତରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ୩ ଜଣ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏବେ ଏହି କୀଟନାଶକକୁ ନିଷିଦ୍ଧ କରିବା ପାଇଁ ସିନିୟର ଡାକ୍ତର ଏବଂ ଚାଷୀମାନେ ଦାବି କରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି କୀଟନାଶକ ଓ କାହିଁକି ଏହା ଚାଷୀଙ୍କ ଜୀବନ ନେଉଛି ?

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଏଭଳି ମୃତ୍ୟୁ ଲୋକଲୋଚନକୁ ଆସିଥାଏ। ଚାଷୀମାନେ ଫସଲ ନଷ୍ଟ ହେଉ କିମ୍ବା ଅନ୍ୟ କୌଣସି କାରଣକୁ ନେଇ କୀଟନାଶକ ପିଇ ଆତ୍ମହତ୍ୟା କରିଥାନ୍ତି। ତେବେ ବର୍ତ୍ତମାନ ଆତ୍ମହତ୍ୟାର ଏକ ବଡ଼ କାରଣ ସାଜିଛି ଏହି ବିଷ ‘ପାରାକ୍ୱେଟ୍‌’, ଯାହା ଧାନଖେତରେ ଘାସ ମାରିବାକୁ ବ୍ୟବହାର କରାଯାଏ।

paraquet2

ଏକ ସର୍ଭେରୁ ଜଣାପଡ଼ିଛି, ପାରାକ୍ୱେଟ୍‌ ଖାଇ କେବଳ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରୁ ୮୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ପାରାକ୍ୱେଟ ଏତେ ଭୟଙ୍କର ଯେ ଏହାକୁ ପିଇବା ମାତ୍ରେ ମନୁଷ୍ୟର ଫୁସ୍‌ଫୁସ ଏବଂ ବୃକକ ସଂକ୍ରମିତ ହେବା ସହ ଅକାମୀ ହୋଇଯାଏ। ଫଳରେ ମଣିଷ ବଞ୍ଚିବାର ସମ୍ଭାବନା ୯୦ ପ୍ରତିଶତ ନଥାଏ। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଗତ ୩ ବର୍ଷ ମଧ୍ୟରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ପାରାକ୍ୱେଟ ଖାଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଅନ୍ୟପଟେ ଚାଷୀମାନେ ମଧ୍ୟ ଏହି କୀଟନାଶକକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ପାରାକ୍ୱେଟ ବଦଳରେ ଅନ୍ୟ କିଛି କୀଟନାଶକ ବଜାରକୁ ଛଡ଼ାଯାଉ ବୋଲି ଦାବି କରିଛନ୍ତି ସେମାନେ। ପାରାକ୍ୱେଟର ବହୁଳ ବ୍ୟବହାର ଯୋଗୁଁ ମୃତ୍ତିକାର ଗୁଣବତ୍ତା ମଧ୍ୟ କ୍ଷୟ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେପଟେ କୃଷି ବିଭାଗ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛି । ଏହାକୁ ବ୍ୟାନ୍‌ କରିବା ପାଇଁ ଉଚ୍ଚ ଅଧିକାରୀମାନଙ୍କୁ ଜଣାଇବେ ବୋଲି କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏବଂ କୃଷି ବିଭାଗକୁ ପାରାକ୍ୱେଟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ପତ୍ର ଲେଖାହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ବନ୍ଦ ହୋଇପାରିନାହିଁ। ଏହାକୁ ତୁରନ୍ତ ନିଷିଦ୍ଧ କରିବା ପାଇଁ ସବୁ ମହଲରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.