Below header

ଧଳା ପାଉରୁଟି ଖାଇବା ଦ୍ୱାରା ବଢ଼ୁଛି ଅନିଦ୍ରା ରୋଗ, ରିସର୍ଚ୍ଚରେ ହେଲା ଏଭଳି ଖୁଲାସା

ବର୍ତ୍ତମାନର ଆଧୁନିକ ଜୀବନଶୈଳୀର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡୁଛି। କାମ ଚାପ, ଖାଇବାପିଇବାରେ ଅନିୟମିତତା, ବିଶ୍ରାମର ଅଭାବ ଯୋଗୁ ଏବେ ଅଧିକାଂଶ ଲୋକ କମ୍‌ ବୟସରୁ ହିଁ ରୋଗାଗ୍ରସ୍ତ ହୋଇପଡ଼ୁଛନ୍ତି। ଅଧିକ ବେମାରୀର କାରଣ ଖାଦ୍ୟପେୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ଖାସ୍‌ କରି ମିଠା ଓ ପ୍ରୋସେସଡ୍‌ ଫୁଡ୍‌ ଖାଇବା ଦ୍ୱାରା ଏବେ ଅଧିକ ରୋଗ ହେଉଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ମିଠା ଓ ଧଳା ପାଉରୁଟି ଖାଇବା ଦ୍ୱାରା ବୟସ୍କା ମହିଳାଙ୍କଠାରେ ନିଦ୍ରାହୀନତା ସମସ୍ୟା ଦେଖାଯାଉଛି।

୬୦ ବର୍ଷରୁ ବଡ଼ ବୟସ୍କ ୫୦ ହଜାର ମହିଳାଙ୍କ ଖାଦ୍ୟକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଧଳା ପାଉରୁଟି ଓ ଚିନି ଖାଉଥିବା ମହିଳାଙ୍କୁ କମ୍‌ ନିଦ ହୋଇଥାଏ। ନ୍ୟୁୟର୍କର ବୈଜ୍ଞାନିକଙ୍କ କହିବାନୁସାରେ ଚିନି ଖାଇବା ଦ୍ୱାରା ଶରୀରରେ ଶର୍କରାର ପରିମାଣ ଏତେ ବଢ଼େ ଯେ ହରମୋନ୍‌ରେ ମଧ୍ୟ ପରିବର୍ତ୍ତନ ଘଟେ। ଏହା ଦ୍ୱାରା ବ୍ୟକ୍ତିଙ୍କଠାରେ ନିଦ୍ରାହୀନତା ଦୋଷ ଦେଖିବାକୁ ମିଳେ।

ବୈଜ୍ଞାନିକଙ୍କ କହିବାନୁସାରେ କମ୍‌ ନିଦ ହେଲେ ଭୋକ ହୁଏ ଓ ଲୋକମାନେ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାନ୍ତି। ରିସର୍ଚ୍ଚରୁ ଜଣାଯାଇଛି ଯେ ଅଧିକ ମିଠା ଓ ପ୍ରୋସେସଡ୍‌ ଫୁଡ୍‌ ଖାଇବା ଦ୍ୱାରା ୧୬ ପ୍ରତିଶତ ମହିଳାଙ୍କୁ ନିଦ ହୋଇନଥାଏ। ଚିନି ଓ କାର୍ବୋହାଇଡ୍ରେଡ୍‌ ଯୁକ୍ତ ଧଳା ପାଉରୁଟି, କେକ୍‌, ପେଷ୍ଟ୍ରି ଓ ପାସ୍ତା ଖାଇବା ଦ୍ୱାରା ଅନିଦ୍ରା ରୋଗ ହୁଏ।

ରିସର୍ଚ୍ଚ ମୁତାବକ, ଯେଉଁ ମହିଳା ଆହାରରେ ସବୁଠାରୁ ଅଧିକ ଗ୍ଲାଇସାଇମିକ ଇଣ୍ଡେକ୍ସ ଥିଲା ଅନ୍ୟମାନଙ୍କ ତୁଳନାରେ ସେମାନଙ୍କଠାରେ ୧୧ ପ୍ରତିଶତ ଅଧିକ ଅନିଦ୍ରାରୋଗ ଦେଖାଯାଇଥିଲା। ଅନ୍ୟପଟେ ଯେଉଁ ମହିଳା ଅଧିକ ଫଳମୂଳ, ଫାଇବର ଓ ପନିପରିବା ଖାଇଥାନ୍ତି ସେମାନଙ୍କଠାରେ ନିଦ୍ରାହୀନତା ବେମାରି କମ୍‌ ଦେଖିବାକୁ ମିଳିଥିଲା। ଏହି ଗବେଷଣାରେ ଭାଗ ନେଇଥିବା ମହିଳାଙ୍କ ମାସିକ ଧର୍ମ ଶେଷ ହୋଇଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.