Below header

ଦିନେ ସିଦ୍ଧାନ୍ତ ମହାପାତ୍ରଙ୍କ ଡ୍ରାଇଭର ଥିଲେ,ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ଏ ହେଉଛନ୍ତି ଦେବରାଜ । ଦିନେ ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ପାରିବାରିକ ଗାଡ଼ି ଚଲାଇ ପରିବା ପୋଷୁଥିଲେ l ଏବେ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । କାହିଁକି ନାଁ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

ଏ ହେଉଛନ୍ତି ଦେବରାଜ । ଦିନେ ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ପାରିବାରିକ ଗାଡ଼ି ଚଲାଇ ପରିବା ପୋଷୁଥିଲେ l ଏବେ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । କାହିଁକି ନାଁ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଗଲାଣି ସବୁ ଟଙ୍କା । ଭଲ ହେବା ପାଇଁ ପାଖରେ ନାହିଁ ଆଉ ସମ୍ବଳ ।

ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଅଞ୍ଚଳର ଫଟୋଗୁଡ଼ା ଗ୍ରାମର ହେଉଛନ୍ତି ଦେବରାଜ ବିଷୋୟୀ l ପରିବାର କହିଲେ ବୃଦ୍ଧ ବାପା ମାଆ, ସ୍ତ୍ରୀ ଓ ଦୁଇ କୁନି କୁନି ପୁଅ ଝିଅ l ସେ ଜଣେ ଭଲ ଡ୍ରାଇଭର ଭାବେ ବେଶ୍ ନାଁ କମାଇଥିବାରୁ ଭୁବନେଶ୍ବରରେ ତାଙ୍କୁ ସିନେ ତାରକା ସିଦ୍ଧାନ୍ତଙ୍କ ଶ୍ୱଶୁର ଘର ଗାଡ଼ି ଚଲାଇବାର ସୁଯୋଗ ମିଳିଥିଲା l ସେଇଠୁ ଯୋଉ ଦୁଇ ପଇସା କମାଉଥିଲେ ଭୁବନେଶ୍ୱରରେ ସ୍ତ୍ରୀ ଓ ପୁଅ ଝିଅକୁ ନେଇ ପରିବାର ଚଳାଉଥିଲେ ଦେବରାଜ l

ତେବେ ପ୍ରାୟ ୮ ମାସ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦେବରାଜ l ଫଳରେ ଘରକୁ ଚାଲି ଆସିଥିଲେ l ପରେ ନବରଙ୍ଗପୁର ମେଡିକାଲ ଓ କୋରାପୁଟ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ସେଠାରେ ତାଙ୍କର ଦୁଇଟି ଯାକ କିଡ଼ନୀ ଖରାପ ହୋଇଥିବା ଜାଣିବାକୁ ପାଇଥିଲେ ଦେବରାଜର ପରିବାର l ଫଳରେ ଆରମ୍ଭ କରିଥିଲେ ଚିକିତ୍ସା l ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ତାଙ୍କୁ ଭୁବନେଶ୍ୱର,ବିଶାଖାପାଟଣା ନେଇଁ ଚିକିତ୍ସା କରାଯାଇଥିଲା l କିନ୍ତୁ,କୌଣସି ସୁଫଳ ମିଳିନଥିଲା l ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ କିଡ଼ନୀ ଚେଞ୍ଜ କରିବା ପାଇଁ l ଆଉ ସେ ବାବଦରେ ୧୫ ରୁ ୨୦ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ l ଫଳରେ ତାଙ୍କ ମୁଣ୍ଡ ଉପରେ ଚଡକ ପଡିଥିଲା l ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସମସ୍ତ ଅର୍ଥ ଓ ସମ୍ପତ୍ତି ବିକ୍ରି ଓ ବନ୍ଧା ପଡି ଯାଇଥିବାରୁ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ l

ସେ ପ୍ରଥମେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାସକୁ ଥରେ ଡାଏଲିସିସ୍ କରୁଥିଲା ବେଳେ ଏବେ ସପ୍ତାହକୁ ତିନି ଥର କରିବାକୁ ପଡୁଛି l ଥରକୁ ଡାଏଲିସିସ୍ ପାଇଁ ଗ୍ରାମରୁ ନବରଙ୍ଗପୁର ଆସିବା ପାଇଁ ଏବଂ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହେଉଛି ଦୁଇ ହଜାର ଟଙ୍କା l ଏଣେ ଦେହ ଖରାପ ପାଇଁ ରୋଜଗାର ଶୂନ ହୋଇଯାଇଛନ୍ତି ଦେବରାଜ l ଅନ୍ୟପଟେ ବୃଦ୍ଧ ବାପା ଆପନା ବିଷୋୟୀ ଯେନ ତେନ ଘର ଚଳାଇବାକୁ ଚେଷ୍ଟା କରୁଥିବା ବେଳେ ଘରର ଛାତରୁ ଖସି ତାଙ୍କର ଗୋଡ଼ ଭାଙ୍ଗି ଯାଇଛି l ବର୍ତମାନ ପରିବାର ରୋଜଗାର ହୀନ ହୋଇ ରହିଛନ୍ତି l ଗୋଟିଏ ପଟେ ବୃଦ୍ଧ ବାପା ମାଆ, ସ୍ତ୍ରୀ ସାବିତ୍ରୀ ବିଶୋଇ, ଝିଅ ସିଦ୍ଧି ଓ ପୁଅ ଦେବାଂଶୁଙ୍କ ପେଟକୁ ୨ ଓଳି ଦାନା ଯୋଗାଇବା କଷ୍ଟକର ହୋଇପଡ଼ିଛି l ଅନ୍ୟପଟେ ନିଜ ଚିକିତ୍ସା ପାଇଁ ଋଣରେ ବୁଡ଼ି ରହିଛନ୍ତି ଦେବରାଜ l ସେ ୩ଟି ଗ୍ରୁପ୍ ରୁ ଋଣ ଆଣି ଚିକିତ୍ସା ହୋଇଥିବା ବେଳେ,ଆଶା କରିଥିଲେ ଯେ ସୁସ୍ଥ ହେବା ପରେ ସମସ୍ତ ଋଣ ପୈଠ କରିଦେବେ l ଅଥଚ ଦିନକୁ ଦିନ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଲୋନ୍ ବାବଦରେ ଏବେ ସେ କୌଣସି କିସ୍ତି ପୈଠ କରିପାରୁ ନାହାନ୍ତି। ଏଥିଲାଗି ତାଙ୍କ ଉପରେ ବାରମ୍ବାର ଚାପ ପକାଯାଉଛି । ସବୁଆଡୁ ଭାରାକ୍ରାନ୍ତ ହୋଇ ପ୍ରାୟ ବଞ୍ଚିବାର ଆଶା ଛାଡ଼ି ଦେଇଛନ୍ତି ଦେବରାଜ l

ଅନ୍ୟପଟେ ଦେବରାଜଙ୍କ ଏଭଳି ଅବସ୍ଥା ବିଷୟରେ ଦେବରାଜଙ୍କ ସ୍ତ୍ରୀ ଅଭିନେତା ସିଦ୍ଧାନ୍ତଙ୍କ ସ୍ତ୍ରୀଙ୍କୁ ଜଣାଇବା ପରେ ସେ ତାଙ୍କର ଚିକିତ୍ସା ପାଇଁ କଟକ ଆଣିବାକୁ କହିଥିଲେ ମଧ୍ୟ ଦେବରାଜଙ୍କ ପାଖରେ ଅର୍ଥ ନଥିବାରୁ ଉନ୍ନତ ଚିକିତ୍ସା ପାଇଁ ଯାଇ ପାରିନାହାନ୍ତି l ଯାହାକୁ ନେଇ ପରିବାର ପକ୍ଷରୁ ସିଦ୍ଧାନ୍ତଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି l ସେହିପରି ସବୁଆଡୁ ନିରାଶ ହେବା ପରେ ଏବେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛନ୍ତି ଗ୍ରାମବାସୀ l ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା ଦେବରାଜଙ୍କୁ ତୁରନ୍ତ ସମସ୍ତ ସରକାରୀ ସୁବିଧା ଯୋଗାଇ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.