Below header

ନାତୁଣୀକୁ ଜନ୍ମ ଦେଲେ ଆଈ, ଝିଅ ପରେ ଝିଅର ସନ୍ତାନକୁ ଦେଲେ ଗର୍ଭରେ ସ୍ଥାନ

ନାତୁଣୀକୁ ଜନ୍ମ ଦେଲେ ଆଈ। ଜଣେ ଆଈ ନିଜ ଝିଅର ସନ୍ତାନକୁ ଗର୍ଭରେ ରଖି ସରୋଗେସୀ ଦୁନିଆରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ହୋଷ୍ଟନ୍‌ ନିବାସୀ କେଲୀ ଓ ତାଙ୍କ ସ୍ୱାମୀ ଏରୋନ୍‌ ମ୍ୟାକକିସୈକ ଗତ ୩ ବର୍ଷ ହେଲା ସନ୍ତାନ ଚାହୁଁଥିଲେ। କିନ୍ତୁ କେଲୀଙ୍କର ୩ ଥର ଗର୍ଭ ନଷ୍ଟ ହୋଇଥିଲା। ଫଳରେ ଏହି ଦମ୍ପତିଙ୍କର ମାତା ପିତା ହେବା ସ୍ୱପ୍ନ ଭାଙ୍ଗିଯାଇଥିଲା। ଏହି ଦମ୍ପତି ଅନେକ ଇନ୍‌ଫର୍ଟିଲିଟି ଚିକିତ୍ସା ମଧ୍ୟ କରାଇଥିଲେ। କିନ୍ତୁ କିଛି ଲାଭ ମିଳିନଥିଲା। ଆଇବିଏଫ୍‌ର ଶେଷ ପର୍ଯ୍ୟାୟରେ ଗର୍ଭଧାରଣ ପାଇଁ ଦମ୍ପତିଙ୍କ ପାଖରେ ମାତ୍ର ୪ଟି ଅଣ୍ଡା ବଳିଥିଲା। ଏଣୁ ସେମାନେ ଧରି ନେଇଥିଲେ ଯେ ଆଉ ସେମାନେ ସନ୍ତାନ ସୁଖ ପାଇପାରିବେ ନାହିଁ। ଏହି କଥା ଭାବି କେଲୀ ଓ ତାଙ୍କ ସ୍ୱାମୀ ଏରୋନ୍‌ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

grand daughter
Image Credit: khas khabar

ଏହି ସମୟରେ ତାଙ୍କ ପାଇଁ ଆଶା କିରଣ ସାଜିଥିଲେ କେଲୀଙ୍କ ମା’। ପିଲାମାନଙ୍କ ଦୁଃଖ ସହି ନ ପାରି କେଲୀଙ୍କ ୫୪ ବର୍ଷୀୟ ମା’ ଟ୍ରେସି ଥମ୍ପେସନ୍‌ ସରୋଗେସୀ ଜରିଆରେ ଝିଅ ଓ ଜ୍ୱାଇଁଙ୍କୁ ଛୁଆର ମା’ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମା’ଙ୍କ ବୟସକୁ ଦଷ୍ଟିରେ ରଖି କାଳେ ତାଙ୍କର କିଛି ଅସୁବିଧା ହେବ ଚିନ୍ତା କରି ସମସ୍ତେ ପ୍ରଥମେ ଏଥିପାଇଁ ମନା କଲେ। କିନ୍ତୁ ପରେ ଡାକ୍ତରଙ୍କ ପରାମର୍ଶ ନେଇ ସମସ୍ତଙ୍କ ସହମତି କ୍ରମେ ଟ୍ରେସି ସରୋଗେସୀର ସମସ୍ତ ବିଧି ପାଳନ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ଟ୍ରେସି ଏକ ଝିଅ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି।

କେଲୀ କହିଛନ୍ତି, ମା’ ମୋତେ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଦେଇଛନ୍ତି। ସେ କହିଛନ୍ତି ସେ ପିଲା ଥିବା ବେଳେ ମା’ଙ୍କୁ ମଜାରେ କହୁଥିଲେ ଯେ ମୁଁ ମୋ ଛୁଆଙ୍କୁ ସମ୍ଭାଳି ନ ପାରିଲେ ତୁମକୁ ଦେଇଦେବି। ତୁମେ ମୋ ଛୁଆକୁ ସମ୍ଭାଳିବ। ଆଉ ପ୍ରକୃତରେ ମା’ ଏବେ ସେଇଆ ହିଁ କଲେ ବୋଲି କହିଛନ୍ତି କେଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.