ଅତି ଭୟଙ୍କର ‘ଗୁରୁ ଚଣ୍ଡାଳ’ ଯୋଗ; ଯଦି ଆପଣଙ୍କ ଜାତକରେ ରହୁଛି, ତା’ ହେଲେ ତୁରନ୍ତ କରନ୍ତୁ ପ୍ରତିକାର

ଜ୍ୟୋତିଷ ଶାସ୍ତ୍ରରେ ଶୁଭ ଯୋଗ ସହିତ ଅଶୁଭ ଯୋଗ ବିଷୟରେ ମଧ୍ୟ କୁହାଯାଇଛି। ଯେପରି କି, ଜାତକରେ ଥିବା ଶୁଭ ଯୋଗ ଜଣେ ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଭରି ଦେଇଥାଏ। ସଫଳତା ପ୍ରଦାନ କରିଥାଏ। ସେଠି ଅଶୁଭ ଯୋଗ ଦୁଃଖ, କଷ୍ଟ, ବାଧା, ଅସଫଳତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହି ଅଶୁଭ ଯୋଗଗୁଡ଼ିକୁ ନେଇ ସବୁବେଳେ ସାବଧାନ ରହିବା ଉଚିତ। ଜାତକରେ ଯଦି କୌଣସି ଅଶୁଭ ଯୋଗ ରହିଛି, ତା’ ହେଲେ ଏହାର ଶାନ୍ତି ଏବଂ ନିବାରଣ ଅବଶ୍ୟ କରିବା ଉଚିତ।

ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ଅଶୁଭ ଯୋଗ ବିଷୟରେ ଚର୍ଚ୍ଚା କରାଯାଇଛି, ସେଥି ମଧ୍ୟରୁ ଗୋଟିଏ ହେଉଛି ‘ଗୁରୁ ଚଣ୍ଡାଳ’ ଯୋଗ। ଏହି ଯୋଗକୁ ଅତ୍ୟନ୍ତ ଅଶୁଭ ଯୋଗ ଭାବରେ ବିଶ୍ୱାସ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁ ଚଣ୍ଡାଳ ଯୋଗ ମିଳେ, ତାଙ୍କୁ ଜୀବନରେ ଛୋଟ ଛୋଟ ଜିନିଷ ପାଇଁ ମଧ୍ୟ ବଡ଼ ସଂଘର୍ଷ କରିବାକୁ ପଡ଼ିଥାଏ। ସମସ୍ୟା ଥରେ ଆସିଲେ, ସହଜରେ ଦୂର ହୋଇ ନ ଥାଏ। ମାନସିକ ଚାପ, ଦ୍ୱନ୍ଦ୍ୱର ସ୍ଥିତି ସବୁବେଳେ ଲାଗି ରହିଥାଏ। ବ୍ୟକ୍ତିକୁ ସବୁବେଳେ ଏକ ଅଜଣା ଭୟ ମାଡ଼ି ବସିଥାଏ, ଯେଉଁଥିପାଇଁ ସେ ନିଜ ପ୍ରତିଭାର ସମ୍ପୂର୍ଣ୍ଣ ଲାଭ ବି ଉଠାଇ ପାରି ନ ଥାଏ। ଗୁରୁ ଚଣ୍ଡାଳ ଯୋଗ ଯୋଗୁ ଶିକ୍ଷା, ଚାକିରି, ବ୍ୟବସାୟ, ବିବାହ ଆଦି କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଏହି ଅଶୁଭ ଯୋଗର ପ୍ରତିକାର ଆପଣ ନିହାତି କରିବା ଦରକାର।

ଗୁରୁ ଚଣ୍ଡାଳ ଯୋଗର ପ୍ରତିକାର

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଚଣ୍ଡାଳ ଯୋଗରୁ ମୁକ୍ତି ପାଇବା ପାଇଁ ପ୍ରତିକାର ବିଷୟରେ ମଧ୍ୟ କୁହାଯାଇଛି। ଏହି ଉପାୟଗୁଡ଼ିକୁ ଆପଣାଇ ଅଶୁଭ ଯୋଗକୁ ଦୂର କରାଯାଇ ପାରିବ। ଗୁରୁ ଚଣ୍ଡାଳ ଯୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ନିହାତି ଦରକାର। ସେମାନଙ୍କୁ ଆଦର, ସମ୍ମାନ କରିବା ଉଚିତ୍। ଏଥି ସହିତ ବଡ଼ ଭାଇ, ବସ୍, ଉଚ୍ଚ ପଦରେ ଥିବା ବ୍ୟକ୍ତିଙ୍କୁ ବି ସମ୍ମାନ ପ୍ରଦାନ କରିବା ଉଚିତ୍। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ଗୁରୁ ଚଣ୍ଡାଳ ଯୋଗର ପ୍ରଭାବ ଦୂର ହୋଇଥାଏ।