ରାତିରେ ଘରେ ଶୋଇଥିଲେ ହେଲେ ସକାଳକୁ ଉଭାନ୍ ହୋଇଗଲେ ଦୁଇ ଭଉଣୀ

ଚାନ୍ଦବାଲି (କେନ୍ୟୁଜ୍) : ଇଏ ବଡ଼ ଆଚମ୍ବିତ କଥା । ରାତିରେ ଘରେ ଶୋଇଥିଲେ ଦୁଇ ନାବାଳିକା ଭଉଣୀ । ହେଲେ ସକାଳୁ ଦେଖିଲା ବେଳକୁ ଦୁଇଜଣ ଯାକ ଗାୟବ । ଏ ନେଇ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି କି ଝିଅଙ୍କୁ ଅପହରଣ କରାଯାଇଛି ।
ଏହି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା କମାରିଆ ଗାଁରୁ । ଏହି ଗାଁରେ ପୁରୀ ଜିଲ୍ଲାର ମନୋଜ ସାମନ୍ତରାୟ ନାମକ ଜଣେ ବ୍ଯକ୍ତି ନିଜ ପରିବାର ସହ ଭଡା ଘରେ ରହୁଥିଲେ । ତାଙ୍କର ଦ୍ୱିତୀୟ ଝିଅକୁ ୧୭ ବର୍ଷ ବୟସ । ଯିଏକି ଯୁକ୍ତଦୁଇ ଦ୍ୱିିତୀୟ ବର୍ଷରେ ପାଠ ପଢେ । ତୃତୀୟ ଝିଅ ମାଟ୍ରିକ୍ ପାସ୍ କରିବା ପରେ ଘରେ ରହୁଥିଲା । ତାକୁ୧୬ ବର୍ଷ ବୟସ । ତେବେ କୌଣସି କାରଣ ନଥାଇ ଉଭୟ ନାବାଳିକା ଉଭଣୀ ଗତ ୮ ତାରିଖ ରାତିରୁ କୁଆଡ଼େ ଚାଲି ଯାଇଛନ୍ତି ।
ରାତି ପ୍ରାୟ ୪ଟା ବେଳକୁ ଏକଥା ତାଙ୍କ ମାଆଙ୍କ ନଜରକୁ ଆସିଥିଲା । ତେଣୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିବା ସହିତ ସମ୍ପର୍କୀୟଙ୍କ ଘର ମଧ୍ୟ ବୁଲିଥିଲେ । ତଥାପି ସେମାନଙ୍କର କୌଣସି ପତ୍ତା ମିଳି ନଥିଲା । ଶେଷରେ ନିରୁପାୟ ହୋଇ ଥାନାରେ ଆଶ୍ରୟ ନେଇଛନ୍ତି ବାପା ମା।
ପୋଲିସ ଏନେଇ ମାମଲା ରୁଜୁ କରି ଦୁଇ ଝିଅଙ୍କ ସମେତ ସନ୍ଦ୍ରେହ ପରିସରରେ ଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବରରେ ଟ୍ରାକ୍ କରିବାକୁ ଚେଷ୍ଟା ଚଳାଇଛି । ଦୁଇ ଝିଅଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ବାପା ମା ଆଶଙ୍କା କରି ଭୟଭୀତ ଅଛନ୍ତି । ଯେକୌଣସି ଉପାୟରେ ସେମାନଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ଆଇଆଇସି ଗୟାଧର ବେହେରାଙ୍କୁ ପଚାରିବାରୁ ଏହି ଅପରହରଣ ଘଟଣାରେ ପୋଲିସ ଭିନ୍ନ ଢାଞ୍ଚାରେ ତଦନ୍ତ କରୁଛି ବୋଲି କହିଛନ୍ତି ।