ଏହି ମନ୍ଦିରରେ ବର୍ଷକୁ ଥରେ ହିଁ ପୂଜା କରିବାର ଅନୁମତି ମିଳିଥାଏ, ଜାଣନ୍ତୁ କାହିଁକି
ଚମୋଲି ଜିଲ୍ଲାରେ ଯୋଶୀମଠ ବିକାଶଖଣ୍ଡର ଅର୍ଗମ ଘାଟୀରେ ସୁନ୍ଦର ଘାସ ବଗିଚାର ମଧ୍ଯ ଭାଗରେ ଭଗବାନ ବଂଶୀ ନାରାୟଣଙ୍କର ଏଭଳି ଏକ ମନ୍ଦିର ରହିଛି। ଏହି ମନ୍ଦିର ବର୍ଷକୁ ମାତ୍ର ଥରେ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ଖୋଲିଥାଏ। ଏହି ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କବାଟ ବନ୍ଦ କରିଦିଆଯାଇଥାଏ। ଉଲ୍ଲେଖ ରହିଛି ବର୍ଷର ବାକି ୩୬୪ ଦିନ ଦେବର୍ଷି ନାରଦ ଭଗବାନ ଭଗବାନ ନାରାୟଣଙ୍କ ପୂଜା କରିଥାନ୍ତି। କିନ୍ତୁ ବର୍ଷକୁ ଥରେ କେବଳ ମନୁଷ୍ୟ ପୂଜା କରିବାର ଅଧିକାର ରହିଛି। ଚଳିତ ବର୍ଷ ଏହି କବାଟ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୧୫ ତାରିଖ ଦିନ ଖୋଲାଯାଇଥିଲା।
ସମୁଦ୍ରତଳରୁ ୧୩ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ଭଗବାନ ବଂଶୀ ନାରାୟଣ ମନ୍ଦିର ଛଅ ଶତାଦ୍ଦୀ ରୁ ଆଠ ଶତାଦ୍ଦୀ ମଧ୍ଯରେ ନିର୍ମାଣ କରାଯାଇଛି। ଉଲ୍ଲେଖ ରହିଛି ଏହି ମନ୍ଦିରର ନିର୍ମାଣ କାର୍ଯ୍ଯ ପାଣ୍ଡବମାନଙ୍କ ସମୟରେ ହୋଇଥିଲା। ଏହି ମନ୍ଦିରର ଗର୍ଭଗୃହ ବର୍ଗାକାର ଆକୃତିର। ଏଠାରେ ଚତୁର୍ଭୁଜ ରୂପରେ ଭଗବାନ ବିଷ୍ଣୁ ବିରାଜମାନ କରିଛନ୍ତି। ସବୁଠାରୁ ଖାସ୍ କଥା ହେଉଛି ଏହି ମୂର୍ତ୍ତିରେ ଉଭୟ ଭଗବାନ ବିଷ୍ଣୁ ଏବଂ ଭଗବାନ ଶଙ୍କରଙ୍କ ଦର୍ଶନ ହୋଇଥାଏ। ଏହାବ୍ଯତୀତ ମନ୍ଦିରରେ ଭଗବାନ ଗଣେଶ ଏବଂ ବନ ଦେବୀଙ୍କ ମୂର୍ତ୍ତି ମଧ୍ଯ ପୂଜା ପାଇଥାଏ।
ଜାଣନ୍ତୁ ଗୋଟେ ଦିନ ପୂଜା କରିବାର ଅଧିକାର ମନୁଷ୍ଯଙ୍କୁ ମିଳିଥାଏ କାହିଁକି
ବଂଶୀନାରାୟଣ ମନ୍ଦିରରେ ମନୁଷ୍ଯକୁ ଗୋଟେ ଦିନ ପୂଜା ଅଧିକାର ଦିଆ ଯିବାର କାହାଣୀ ଅତି ରୋଚକ। ଉଲ୍ଲେଖ ରହିଛି ଥରେ ଭଗବାନ ବିଷ୍ଣୁ ରାଜା ବଳିଙ୍କ ଆଗ୍ରହରେ ପାତାଳ ଲୋକରେ ତାଙ୍କ ଦ୍ବାରପାଳ ଦାୟିତ୍ବ ତୁଲାଇଥିଲେ। ସେହି ସମୟରେ ବହୁତ ଦିନ ପର୍ଯ୍ଯନ୍ତ ଭଗବାନଙ୍କ ଦର୍ଶନ ନ ହେବାରୁ ମାତା ଲକ୍ଷ୍ମୀ ଦେବର୍ଷି ନାରଦଙ୍କ ପାଖରେ ପହଞ୍ଚି ଭଗବାନ ବିଷ୍ଣୁ ବିଷୟରେ ପଚାରି ବୁଝିଥିଲେ। ସେହି ସମୟରେ ଦେବର୍ଷି ନାରଦ ମାତା ଲକ୍ଷ୍ମୀଙ୍କୁ ଭଗବାନ ରାଜା ବଳିଙ୍କ ଦ୍ବାରପାଳ ହୋଇ ରହିଥିବା କଥା କହିଥିଲେ। ଏହା ବ୍ଯତୀତ ଦେବର୍ଷି ମାତା ଲକ୍ଷ୍ମୀଙ୍କୁ ଶ୍ରାବଣ ପୂର୍ଣ୍ଣିମା ଦିନ ରାଜା ବଳିଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧି ପ୍ରତିବଦଳରେ ଭଗବାନଙ୍କୁ ମାଗିବା ପାଇଁ କହିଥିଲେ। କିନ୍ତୁ ମା’ ଲକ୍ଷ୍ମୀଙ୍କୁ ପାତାଳ ପୁରୀର ରାସ୍ତା ଜଣା ନଥିବାରୁ ଦେବର୍ଷି ନାରଦ ତାଙ୍କ ସହ ଯିବା ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେହି ଦିନ ଦେବର୍ଷି ନାରଦ ଅନୁପସ୍ଥିତ ଥିବାରୁ କଲଗୋଠ ଗ୍ରାମର ଜଣେ ପୂଜାରୀ ଭଗବାନଙ୍କ ପୂଜା କରିଥିଲେ। ଏହିକାରଣରୁ ସେହି ଦିନଠାରୁ ବର୍ଷକୁ ଥରେ ମାତ୍ର ମନୁଷ୍ୟ ପୂଜା କରିବାର ଅଧିକାର ରହିଛି।