କିସରେ ଭାରତୀୟ ମହିଳା ଭଲିବଲ୍‍ ଦଳକୁ ସମ୍ବର୍ଦ୍ଧନା,ଦଳ ଆଜି ଥାଇଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି

ଭୁବନେଶ୍ୱର(କେନ୍ୟୁଜ୍): ଭାରତୀୟ ମହିଳା ଭଲିବଲ୍‍ ଦଳକୁ ଭାରତୀୟ ଭଲିବଲ୍‍ ସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି। ଥାଇଲାଣ୍ଡରେ ଜୁନ୍‍ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍‍ ୧୪ତମ ଏସିଆ ମହିଳା ଚାମ୍ପିଅନ୍‍ସିପରେ ଏହି ଦଳ ଅଂଶଗ୍ରହଣ କରିବ। ଭାରତୀୟ ଦଳ ଆଜି ଥାଇଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। କିଟ୍‍ ଗ୍ରାଉଣ୍ଡରେ ଏହି ଖେଳାଳିମାନେ ଅଭ୍ୟାସ ଜାରି ରଖିଥିଲେ।

ସୂଚନାଯୋଗ୍ୟ, ଭାରତୀୟ ଭଲିବଲ୍‍ ସଂଘ କିଟରେ ୧୮ବର୍ଷରୁ କମ୍‍ ଭାରତୀୟ ମହିଳା ଭଲିବଲ ଦଳର ଚୟନ ଦାୟିତ୍ୱ ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍କୁ ପ୍ରଦାନ କରିଥିଲେ। ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ୨୦ଜଣଙ୍କ ମଧ୍ୟରୁ ଭାରତୀୟ ଦଳ ପାଇଁ ୧୨ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ୍‍ଙ୍କୁ ମନୋନୀତ କରାଯାଇଥିଲା। ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଖେଳାଳି ଲାସ୍ୟମୟୀ ମହନ୍ତ।

ସେହିପରି ଓଡ଼ିଶାରୁ କୋଚ ଭାବେ ଲୋତକବିନ୍ଦୁ ଦାଶ ଓ ଫିଜିଓ ଭାବେ ଅମ୍ରିନ୍‍ ହୟାତ ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି। ଭାରତୀୟ ଭଲିବଲ୍‍ ସଂଘର ସଭାପତି ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଜର୍ସୀ ଉପହାର ପ୍ରଦାନ କରିଥିଲେ। କିଟ୍‍ର ଭିତ୍ତିଭୂମି ଓ ଖେଳାଳିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଥିବାରୁ ଖେଳାଳିମାନେ ଥାଇଲାଣ୍ଡରେ ଭଲ ପ୍ରଦର୍ଶନ କରିବା ନେଇ ଶ୍ରୀ ସାମନ୍ତ ଆଶାବାଦୀ ଅଛନ୍ତି।

ଲାସ୍ୟମୟୀ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଭାରତୀୟ ୧୮ବର୍ଷରୁ କମ୍‍ ମହିଳା ଭଲିବଲ୍‍ ଦଳରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବାରୁ ଲାସ୍ୟମୟୀ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଥିବାରୁ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ଓଡ଼ିଶା ଭଲିବଲ ଆସୋସିଏସନ୍‍ର ସାଧାରଣ ସମ୍ପାଦକ ଡ. ଗଗନେନ୍ଦୁ ଦାଶ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.