Below header

ଏବେ ଚାଲୁଛି ଖର ମାସ : ଏହି ସାତ କାମ ନିଶ୍ଚିତ କରନ୍ତୁ, ଦୂର ହେବ ସମସ୍ତ ଅସୁବିଧା

ସୂର୍ଯ୍ୟ ଦେବ ଧନୁ ରାଶିରେ ପ୍ରବେଶ କରିବା ଦିନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଧନୁ ସଂକ୍ରାନ୍ତି ଦିନରୁ ଆରମ୍ଭ ହୋଇଥାଏ ଖର ମାସ । ଚଳିତ ବର୍ଷ ୧୫ ଡିସେମ୍ବରରୁ ଖର ମାସ ଆରମ୍ଭ ହୋଇଯାଇଛି । ମକର ସଂକ୍ରାନ୍ତିରୁ ଖର ମାସ ସମାପ୍ତ ହୋଇଯିବ । ଅର୍ଥାତ ଏକ ମାସ ଧରି ରହିବ ଖର ମାସ । ଏହି ଏକ ମାସ ସମସ୍ତ ମାଙ୍ଗଳିକ (ଶୁଭ) କାର୍ଯ୍ୟ ବିବାହ, ବ୍ରତ ଓ ଗୃହ ପ୍ରବେଶ ଆଦି ବନ୍ଦ ରହିବ । ହେଲେ ହିନ୍ଦୁ ଧର୍ମରେ ପୂଜା ପାଠ ଦୃଷ୍ଟିରୁ ଏହି ମାସ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ମାସରେ ଏମିତି କିଛି କାମ କରିବାକୁ କୁହାଯାଇଛି ଯାହା ଫଳରେ ଆପଣଙ୍କ ଅସୁବିଧା ଦୂର ହେବା ସହ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ସବୁ କାର୍ଯ୍ୟ ଖର ମାସରେ କରାଯିବା ଉଚିତ୍‌ । ଆସନ୍ତୁ ଜାଣିବା କ’ଣ ସେହି ୭ଟି କାମ

kharmasa.JPG-5

ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ୍‌ :

ଏହି ସମୟରେ ସୂର୍ଯ୍ୟ ଦେବ ଧନୁ ରାଶିରେ ପ୍ରବେଶ କରିଥାନ୍ତି । ତେଣୁ ପ୍ରତି ବର୍ଷ ଡିସେମ୍ବର ମାସ ମଧ୍ୟରେ ହିଁ ଖର ମାସ ଆରମ୍ଭ ହୋଇଥାଏ । ଏହି ମାସରେ ସବୁ ଦିନ ସୂର୍ଯ୍ୟଙ୍କୁ ନିୟମ ପୂର୍ବକ ଅର୍ଘ୍ୟ(ଜଳ) ଚଢ଼ାଇବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ କାର୍ଯ୍ୟରେ ଉତ୍ପନ୍ନ ହେଉଥିବା ବାଧା ଦୂର ହୋଇ ସଫଳତା ମିଳିଥାଏ ।

TULSI

ତୁଳସୀ ପୂଜା :

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ବହୁତ ପବିତ୍ର ଓ ପୂଜ୍ୟନୀୟ ବୋଲି ମନାଯାଏ । ଏମିତିରେ ତ ସବୁଦିନ ତୁଳସୀଙ୍କୁ ପୂଜା କରାଯାଏ । ହେଲେ ଖରମାସରେ ତୁଳସୀଙ୍କୁ ପୂଜା କରିବା ବହୁତ ଶୁଭ ମନାଯାଇଥାଏ । ତେଣୁ ଏହି ମାସ ନିମୟ ପୂର୍ବକ ସକାଳ ଓ ସନ୍ଧ୍ୟାରେ ତୁଳସୀଙ୍କୁ ପୂଜା କଲେ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ଏବଂ ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଥାଏ ।

kharmasa.JPG-3

ଅଶ୍ୱତ୍‌ଥ(ଓସ୍ତ) ବୃକ୍ଷର ପୂଜା :

ଏହି ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ତେଣୁ ଖରମାସରେ ଭଗବାନ ବିଷ୍ଣୁଙ୍କ ପୂଜା ହୋଇଥାଏ । ତେଣୁ ଏହି ମାସ ପ୍ରତିଦିନ ପ୍ରାତଃ କାଳରୁ ଉଠି ଓସ୍ତ ଗଛରେ ଜଳ ପ୍ରଦାନ ପୂର୍ବକ ପୂଜା କରିବା ଉଚିତ୍‌ । ସନ୍ଧ୍ୟାରେ ଗଛ ମୂଳରେ ଦୀପ ଜଳାଇବା ଦରକାର । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଥାଏ ।

kharmasa.JPG-2

ଏକାଦଶୀ ବ୍ରତ :

ଖର ମାସରେ ଶ୍ରୀ ହରି ଭଗବାନ ବିଷ୍ଣୁଙ୍କ ପୂଜା କରିବା ବହୁତ ଶୁଭ ଫଳଦାୟକ ହୋଇଥାଏ । ତେଣୁ ଖର ମାସରେ ପଡ଼ୁଥିବା ଏକାଦଶୀ ବ୍ରତ ଜରୁରୀ କରିବା ଉଚିତ୍‌ । ୨୫ ଡିସେମ୍ବରରେ ପଡୁଛି ମୋକ୍ଷଦା ଏକାଦଶୀ । ଏହି ଦିନ ନିୟମ ଓ ନିଷ୍ଠାର ସହିତ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହେବା ସହ ମନୁଷ୍ୟର ସବୁ ଦୁଃଖର ଅନ୍ତ ହୋଇଥାଏ ।

COW

ଗୋମାତା ସେବା କରିବା ଉଚିତ୍‌ :

ଗାଈଙ୍କ ଦେହରେ ୩୩ କୋଟି ଦେବତା ବାସ କରୁଥିବା କୁହାଯାଏ । ତେଣୁ ସନାତନ ଧର୍ମରେ ଗାଈଙ୍କୁ ଗୋମାତା କୁହାଯାଏ । ଏହି ମାସରେ ଗୋ ମାତାଙ୍କୁ ଗୁଡ଼ ଚଣା ଦେଇ ପୂଜା କଲେ ଶ୍ରୀକୃଷ୍ଣଙ୍କର କୃପା ପ୍ରାପ୍ତ ହୋଇଥାଏ । ତେଣୁ ଏହି ମାସରେ ଯଥା ସମ୍ଭବ ଗାଈଙ୍କର ସେବା କରନ୍ତୁ ।

kharmasa.JPG-1

ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ :

ଖରମାସରେ ପ୍ରତି ଶୁକ୍ରବାର ଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଜରୁରୀ । ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

kharmasa

ଖର ମାସରେ ଦାନ କରିବା ସହ ତୀର୍ଥ ଯାତ୍ରା କରନ୍ତୁ :

ଖରମାସକୁ ଦାନପୂଣ୍ୟର ମାସ ବୋଲି କୁହାଯାଇଥାଏ । ତେଣୁ କ୍ଷମତା ଅନୁସାରେ ଦାନ ଧର୍ମ କରିବା ଉଚିତ୍‌ । ହେଲେ ଦାନ ସର୍ବଦା ଗୁପ୍ତ ଓ ନିସ୍ୱାର୍ଥ ର ସହ ହେବା ଜରୁରୀ । ଖରମାସରେ ଯେ କୈାଣସି ତୀର୍ଥ ସ୍ଥଳକୁ ଯାତ୍ରା କରିବା ବହୁତ ଶୁଭ ହୋଇଥାଏ । ଖରମାସରେ ଭଗବତ ଗୀତା ପାଠ, ବିଷ୍ଣୁ ପୂଜା ଓ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବହୁତ ଶୁଭ ଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.