Below header

ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା “ବନ୍ଦେ ଉତ୍କଳ ଜନନୀ”ର ଐତିହାସିକ ଯାତ୍ରା, ଜାଣନ୍ତୁ ସଂକ୍ଷେପରେ….

ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ଘଟିଥିବାର ପ୍ରମାଣ ମିଳେ। ଖ୍ରୀ.ପୂର୍ବ ପ୍ରଥମ ସହସ୍ରାଦ୍ଧରେ ଓଡ଼ିଶାର କଳିଙ୍ଗ ରାଜ୍ୟ ଭାରତରେ ଏକ ଦୁର୍ଦ୍ଦଶ ରାଜଶକ୍ତି ରୂପେ ପରିଚିତ ଥିଲା ଓ ନୌବାଣିଜ୍ୟ ଦ୍ୱାରା ନିଜର ଆର୍ଥିକ ସ୍ଥିତି ଦୃଢ଼ କରିପାରିଥିଲା । ପ୍ରାଚୀନକାଳରୁ ଓଡ଼ିଶାରେ ଗଢିଉଠିଥିବା ସଭ୍ୟତା ଓ ସଂସ୍କୃତି ଆଞ୍ଚଳିକ ସ୍ୱତନ୍ତ୍ରର ମର୍ଯ୍ୟାଦା ବହନ କରି କାଳକ୍ରମେ ପରିପ୍ରକାଶ ଲାଭ କରିଛି । ତନ୍ମଧ୍ୟରୁ କଳା-ସ୍ଥାପତ୍ୟ,ଧର୍ମ-ସାହିତ୍ୟ,ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ଐତିହ ଶ୍ରେଣୀଭୁକ୍ତ । ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରା ଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ହେଉଛି  ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ଶେଷରେ ସଫଳତା ମିଳିଲା । ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା । ଏହାର ବହୁ ବର୍ଷପରେ ରାଜ୍ୟ କ୍ୟାବିନେଟ ବୈଠକରେ ଓଡିଶାବାସୀଙ୍କ ବହୁ ଦିନର ଦାବିକୁ ସ୍ୱୀକୃତି ମିଳିଛି ଏବଂ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି । ଏହା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ ।

bande

ଏହି ରାଜ୍ୟ ସଙ୍ଗୀତର ଜନ୍ମଦାତା ହେଉଛନ୍ତି ଓଡ଼ିଆ ସାହିତ୍ୟର ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ ଅତି ପରିଚିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି ଓ ଲେଖକ ଭାବେ ତାଙ୍କ ରଚନାଗୁଡିକ ପାଠକମାନଙ୍କ ନିକଟରେ ଆଜି ମଧ୍ୟ ଆଦୃତ । ବିଶେଷକରି ତାଙ୍କ ଦ୍ବାରା ରଚିତ “କଣାମାମୁଁ” ଉପନ୍ୟାସ ଓ “ଜୀବନ ସଙ୍ଗୀତ” କବିତା ସଙ୍କଳନ ଆଦି ଓଡ଼ିଆ ସାହିତ୍ୟ ଜଗତର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ସେ ଆରମ୍ଭ କରିଥିବା “ଡଗର” ପତ୍ରିକା ଓଡିଆ ପତ୍ରିକା ଜଗତରେ ଏକ ନୁତନ ଉନ୍ମାଦନ ଆଣିବାରେ ସହାୟକ ହୋଇଥିଲା । ତାଙ୍କ ଦ୍ୱାରା ରଚିତ ଅନେକ ଗଳ୍ପ, ନାଟକ, ଗୀତ ଆଦି ମଧ୍ୟରୁ “ବୁଢା ଶଙ୍ଖାରୀ” ଏକ ଶ୍ରେଷ୍ଠ ଗଳ୍ପ ଅଟେ । ସେ ଲେଖିଥିବା “ବନ୍ଦେ ଉତ୍କଳ ଜନନୀ” କବିତା ଆମ ଓଡ଼ିଶାର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଆକାରରେ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ବଢ଼େଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

bande

ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ । ସେହି ସମୟରେ ପ୍ରଦେଶ କଂଗ୍ରେସର ଜିଲ୍ଲାସ୍ତରୀୟ ସମ୍ମିଳନୀ ଭଦ୍ରକରେ ଅନୁଷ୍ଠିତ ହୋଇଥିଲା । ସେଠାରେ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସ‌ହ ଦୃଢ଼ବିଶ୍ୱାସୀ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ଏବଂ ଏହି ସଭାର ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତକବିଙ୍କର ଏହି କବିତାଟି ଗାନ କରାଯାଇଥିଲା ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତେଇବା ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ । ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଥିଲେ । କାନ୍ତକବିଙ୍କ ରଚିତ ଏହି ଦେଶାତ୍ମ‌ବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା ଏବଂ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେମାନେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବ‌ହାର କଲେ । ୧୯୦୮ ମସିହା ପୁରୀ ଉତ୍କଳ ସମ୍ମିଳନୀରେ କାନ୍ତକବି ଏହି ‘ବନ୍ଦେ ଉତ୍କଳ ଜନନୀ’ ଗୀତ ପରିବେଷଣ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୨୦ ବର୍ଷ ।

ବନ୍ଦେ ଉତ୍କଳ ଜନନୀ କବିତାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ।  କଂଗ୍ରେସ ନେତାଉତ୍କଳମଣି ଗୋପବନ୍ଧୁ ଦାସ ଏକଦା ଏହି ଗୀତଟିକୁ ଶୁଣି ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କ‌ହିଥିଲେ “ଆହାଃ କେତେ ସୁନ୍ଦର କବିତାଟିଏ ରଚ କରିଛ ଲକ୍ଷ୍ମୀକାନ୍ତ ।” ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଆହୁରି ଉଦ୍ଦଜୀବିତ କରିଦେଇଥିଲା। ଏହା ଦେଶପ୍ରେମ ଜଗାଇବା ସ‌ହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କରିଥିଲା ।ଏହାକୁ ଶୁଣିବା ଫଳରେ ମାତୃଭୂମି ପାଇଁ କିଛି କରିବାକୁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହୁଏ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ  କାନ୍ତକବିଙ୍କ ଅନେକ ଲେଖାରେ ଅନୁପ୍ରାଣିତ ହୋଇଥିଲେ । କାନ୍ତକବିଙ୍କ ରଚିଚ ଏହି ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଓଡ଼ିଶା ବିଧାନସଭାରେ ୧୯୯୪ ମସିହାରୁ ଉଦଯାପନୀ ସଂଗୀତ ଭାବେ ବୋଲାଯାଉଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ” ଅଧିବେଶନ ଆରମ୍ଭରେ ଏବଂ ଶେଷରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ହୋଇଥାଏ ।

 

Utkal Diwas / Odisha Day | RitiRiwaz

 

 

ସେ ସମୟର ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନସଭାରେ ନିଷ୍ପତି ନେଇଥିଲେ । ୧୯୯୪ ମସିହା ଡିସେମ୍ବର ମାସ ୨୧ ତାରିଖରେ ବିଧାନସଭାର ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସିଛି । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଖୁବ୍ ଭଲ ପାଉଥିଲେ । ନିଜ ପ୍ରତ୍ୟେକ ସଭା ଶେଷରେ ବିଜୁ ବାବୁ କହୁଥିଲେ ‘ବନ୍ଦେ ଉତ୍କଳ ଜନନୀ’ । ୨୦୦୨ ମସିହା ପର୍ଯ୍ୟନ୍ତ ଏହାକୁ ମାନ୍ୟତା ମିଳିନଥିବାରୁ, ବିଧାନସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନୂଆ ନିଷ୍ପତି ନିଆଯାଇଥିଲା ।୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ ।

konark

୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା । ୨୦୧୯ ନଭେମ୍ବର ୧୧ ତାରିଖରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟ ସଂଗୀତ ଭାବେ ଆଦୃତି ଲାଭ କଲା ।

ସମଗ୍ର ଓଡିଶା ତଥା ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଜୁନ ୭ ତାରିଖ ରବିବାର ଏକ ଐତିହାସିକ ଦିନ ଥିଲା । ବନ୍ଦେ ଉତ୍କଳ ଜନନୀ କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ ଭାବେ ପରିଚୟ ପାଇଲା । ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତ ଭାବେ ଉତ୍କଳ ଜନନୀଙ୍କର ଜୟଗାନ ଏହି ସଙ୍ଗୀତକୁ ଅମୃତମୟ କରିବା ସହ କୋଟି କୋଟି ଓଡିଆଙ୍କୁ ଜାତି ପ୍ରେମର ସୁଦୃଢ ବନ୍ଧନରେ ବାନ୍ଧି ରଖିବ । ଓଡ଼ିଶାର ର୍ଗୌରବକୁ ବିଶ୍ଵବ୍ୟାପୀ କରିବା ପାଇଁ ପ୍ରେରଣା ବନ୍ଦେ ଉତ୍କଳ ଜନନୀ ନିଶ୍ଚୟ ପ୍ରେରଣା ଦେବ । ଦେଶାତ୍ମବୋଧ ଓ ଜାତୀୟତାବୋଧ ହେଉଛି ଏହି ସଙ୍ଗୀତର ଅନ୍ତଃସ୍ୱର । ରାଜ୍ୟ ସରକାର ଆଜି ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ସହ ଏହି ସଙ୍ଗୀତ ଗାନର ମାନ୍ୟକ୍ରମ ମଧ୍ୟ ସ୍ଥିର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.