ରାଗିଗଲେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ, ଦକ୍ଷିଣ କୋରିଆ ସହ ସମ୍ପର୍କ ଛିନ୍ନ କରିବାକୁ ଦେଲେ ଧମକ

ସ୍ୱାସ୍ଥ୍ୟଗତ କାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କିମ୍‌ଙ୍କ ଭଉଣୀ ଶାସନ ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କିମ୍‌ ଭଲ ହୋଇ ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ମାତ୍ର ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌। ସେ ପଡ଼ୋଶୀ ଦକ୍ଷିଣ କୋରିଆକୁ ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ରିପୋର୍ଟ ମୁତାବକ ନିକଟରେ ଉଭୟ ଦେଶର ସୀମାରେ ଉତ୍ତର କୋରିଆ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏ ଅବସରରେ ଉତ୍ତର କୋରିଆ ବିରୋଧରେ ଗ୍ୟାସ୍‌ ବେଲୁନ୍‌ ଉଡ଼ାଯାଇଥିଲା। ସେଥିରେ କିମ୍‌ ଜୋଙ୍ଗ୍‌ଙ୍କ ବିରୋଧରେ ଟିପ୍ପଣୀ ଦିଆଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତର କୋରିଆ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରିଛି। ଏଥିସହ ଦକ୍ଷିଣ କୋରିଆକୁ ଧମକ ଦେଇଥିବା ଜଣାଯାଇଛି।

ଏହି ମାମଲାରେ କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଦକ୍ଷିଣ କୋରିଆକୁ ଧମକ ଦେଇ କହିଛନ୍ତି ଯେ ଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ଏଣୁ ପରିସ୍ଥିତିକୁ ଆୟତ୍ତରେ ନ ରଖିଲେ ପରିଣତି ଖରାପ ହେବ। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ରେ ହୋଇଥିବା ସେନା ବୁଝାମଣାକୁ ବି ରଦ୍ଦ କରିଦିଆଯିବ ଓ ସୀମାରେ ଥିବା ଯୋଗଯୋଗ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯିବ। ଏଣୁ ସୀମାରେ ଏଭଳି ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି କିମ୍‌ ୟୋ ଜୋଙ୍ଗ୍‌।

ଏହି ମାମଲାରେ ପୂର୍ବରୁ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ମଧ୍ୟ ବୟାନ ଦେଇଥିଲେ। ଏଭଳି ବେଲୁନ୍‌ ଉଡ଼ାଉଥିବା ଉତ୍ତର କୋରିଆ ବିଦ୍ରୋହୀଙ୍କୁ ସେ ନିଜ ଦେଶକୁ ଧୋକା ଦେଉଥିବା ‘ଦୋମୁହାଁ କୁକୁର’ ବୋଲି ସମ୍ବୋଧିତ କରିଥିଲେ। ଏହି ମାମଲାରେ ପୂର୍ବରୁ ଦେଶରେ ଅଶାନ୍ତି ଚାଲିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.