Below header

ଆସନ୍ତାକାଲି ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ

ଆସନ୍ତାକାଲି ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ରହିବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁଯାୟୀ, ପୁରୀକୁ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତ୍ରି ୧୨ଟା ୧୪ରେ ଚନ୍ଦ୍ରକାନ୍ତି ମାଲିନ୍ୟାରମ୍ଭ ହେବାକୁ ଥିବାବେଳେ ରାତ୍ରି ୧ଟା ୩୨ରେ ଆଂଶିକ ଗ୍ରହଣ ସ୍ପର୍ଶ, ୩ଟା ୧ରେ ଗ୍ରହଣ ମଧ୍ୟ, ୪ଟା ୩୦ରେ ସର୍ବମୋକ୍ଷ ବା ଆଂଶିକ ଗ୍ରହଣ ଶେଷ ଓ ନିଶାନ୍ତ ୫ଟା ୪୮ରେ ଚନ୍ଦ୍ରକାନ୍ତି ମାଳିନ୍ୟ ଶେଷ ହେବ।

eclipsee

ଏହା ସହ ପଢ଼ନ୍ତୁ : ଦ୍ବିତୀୟ ଥର ପାଇଁ ଗୁରୁପୂର୍ଣ୍ଣିମା ଦିନ ପଡିବ ଚନ୍ଦ୍ର ଗ୍ରହଣ, ଏହି ସାତ ରାଶି ପାଇଁ ହୋଇପାରେ ଅଶୁଭ

ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥ ପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକ କାର୍ଯ୍ୟାଦି କରିବା ବିଧିସଙ୍ଗତ ଅଟେ। ଗ୍ରହଣ ଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ। ରାତ୍ରି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ଏବଂ ତପତ୍ରେ ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ଅନ୍ୟମାନଙ୍କ ପାଇଁ ଶୁଭ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.