Below header

ଅସ୍ତିତ୍ୱ ପାଇଁ ଲଢ଼େଇ କରୁଛନ୍ତି ହାତୀ ଓ ମଣିଷ, ରୋକି ପାରିବେ କି କେହି ?

ହାତୀ-ମଣିଷ ଲଢେଇ ରୋକିବା ପାଇଁ ଅତ୍ୟାଧୁନିକ କୌଶଳ ପ୍ରୟୋଗ, କଡାକଡି ଆଇନ୍‌ ଲାଗୁ ଦରକାର। ଆନ୍ତରିକତା ଓ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଯେତେ ପ୍ରକଳ୍ପ କାର୍ଯ୍ୟକାରୀ କଲେ ମଧ୍ୟ ଏହି ଲଢେଇକୁ ରୋକା ଯାଇ ପାରିବନି।

ଅନୁଗୁଳ (କେନ୍ୟୁଜ୍‌) : ହାତୀ ଓ ମଣିଷ ଲଢ଼େଇକୁ ନେଇ ଅନୁଗୁଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ। କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି। ଅନୁଗୁଳରେ ହାତୀ ମଣିଷ ଲେଇର ଅନ୍ତ କେବେ? ଗତ ୫ ବର୍ଷରେ ୫୯ ଜଣ ମଣିଷଙ୍କର ମୃତ୍ୟୁ ହୋଇସାରିଲାଣି। ସେପଟେ ୫୫ଟି ହାତୀ ବି ମରି ସାରିଲେଣି । ଏହାମଧ୍ୟରେ ଏବେ ପ୍ରଶ୍ନ ଉଠିଲାଣି କଣ ହାତୀ ମଣିଷ ମଧ୍ୟରେ ଏମିତି ସଂଘର୍ଷ ଚାଲିଥିବ? ସବୁ ଯୋଜନା ସତ୍ତ୍ୱେ କାହିଁକି ଫେଲ ହେଉଛି ବନ ବିଭାଗ? ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ଆସୁଥିବା ଟଙ୍କାର ସୁବିନିଯୋଗ ହେଉଛି ତ? ଏମିତି ଅନେକ ପ୍ରଶ୍ନର ଉତ୍ତର ସତେଯେପରି ନିଖୋଜ।

ନିଯୁକ୍ତି ହୋଇଛନ୍ତି ମାଳମାଳ ଗଜବନ୍ଧୁ, ହାତୀ ସ୍କ୍ଵାଡ୍‌। ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁଗୁଡ଼ିକରେ କରାଯାଉଛି ସୋଲାର୍‌ ଫେନ୍ସିଂର ବ୍ୟବସ୍ଥା। ଏଥିସହିତ ମହୁମାଛି ବାକ୍ସ ଲଗାଯାଇ ଗାଁ ଭିତରକୁ ନପଶିବା ସକାଶେ ହାତୀମାନଙ୍କୁ ରୋକା ଯାଉଛି। ଜଙ୍ଗଲ ମାଫିଆଙ୍କ ପ୍ରଭାବ ଦିନକୁ ଦିନ ବଢି ଚାଲିଛି। ଉଜୁଡ଼ିବାରେ ଲାଗିଛି ଜଙ୍ଗଲ। ଏଥିସହିତ କେନାଲ ଖୋଳା, ବିଦ୍ୟୁତ ଲାଇନ୍‌ ବିଛା, ରାସ୍ତା, ଗୃହ ନିର୍ମାଣ, ଜଙ୍ଗଲଜମି ଦଖଲ ଏବଂ ଶିଳ୍ପାୟନ ନାଁରେ ବଡ଼ ବଡ଼ ଗଛକାଟି ଜଙ୍ଗଲ ସଫା କରାଯାଉଛି। ଜଙ୍ଗଲ ଧୀରେ ଧୀରେ ସଙ୍କୁଚିତ ହେଉଛି। ସେହି ଅନୁପାତରେ ଏବଂ ଶୀଘ୍ର ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁନି। ରାସ୍ତାଘାଟ ନିର୍ମାଣ, ବେଆଇନ୍‌ ଖଣି ଖାଦାନ ବଢିବା ସହ ବ୍ୟାପକ ଲଘୁ ଖଣିଜଦ୍ରବ୍ୟ ଉତ୍ତୋଳନରେ ଜଙ୍ଗଲ ଉଜୁଡିଚାଲିଛି। ପିଇବାକୁ ପାଣି ଏବଂ ଖାଇବାକୁ ଖାଦ୍ୟ ନପାଇ ହାତୀ ଜନବସତି ମୁହାଁହୋଇ ଫସଲଠାରୁ ଆରମ୍ଭ କରି ଧନଜୀବନ ନଷ୍ଟ କରୁଛନ୍ତି। ହାତୀ ମଣିଷ ମଧ୍ୟରେ ଚାଲିଛି ଅହରହ ସଂଘର୍ଷ। ଅନୁଗୁଳ ଜିଲ୍ଲାର ହାତୀ ମଣିଷ ଲଢେଇ ଏହି ସମସ୍ୟା ସହ କେବେଠୁ ବାନ୍ଧି ହୋଇଗଲାଣି। ସରକାର ଯେତେ ଯୋଜନା କଲେ ମଧ୍ୟ ହାତୀ ମଣିଷ ସଂଘର୍ଷକୁ ରୋକା ଯାଇପାରୁନି। ଯୋଜନାଗୁଡ଼ିକ ମୂଳଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଉଛି। ଆଶା ଅନୁଯାୟୀ ସଫଳତା ମିଳୁନି। ଜନବସତିମୁହାଁ ହାତୀଙ୍କୁ ଘଉଡ଼ାଇବା ଲାଗି କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା।

ele-2

ହାତୀମାନେ ଜନବସତି ମୁହାଁ ନହେବା ଲାଗି ବ୍ୟାପକ ବନୀକରଣ, ଜଙ୍ଗଲରେ ପୋଖରୀ ଖନନ ଏବଂ ଟ୍ରେଞ୍ଚ ଖୋଳା, ଜଙ୍ଗଲରେ ହାତୀ ଖାଉଥିବା ଫଳଗଛ ରୋପଣ ଆଦି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବାଟମାରଣା ଯୋଗୁଁ ସବୁଯୋଜନା ବିଫଳ ହେଉଛି। ଜଙ୍ଗଲରେ ହାତୀଙ୍କୁ ଅଟକା ଯାଇପାରୁନି। ଫଳରେ ଜନବସତି ମୁହାଁ ହେଉଥିବା ହାତୀ ଆକ୍ରମଣରେ ମଣିଷଙ୍କର ପ୍ରାଣ ଯାଉଛି। ହାତୀ-ମଣିଷ ଲଢେଇ ରୋକିବା ପାଇଁ ଅତ୍ୟାଧୁନିକ କୌଶଳ ପ୍ରୟୋଗ, କଡାକଡି ଆଇନ୍‌ ଲାଗୁ ଦରକାର। ଆନ୍ତରିକତା ଓ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଯେତେ ପ୍ରକଳ୍ପ କାର୍ଯ୍ୟକାରୀ କଲେ ମଧ୍ୟ ଏହି ଲଢେଇକୁ ରୋକା ଯାଇ ପାରିବନି। ବ୍ୟାପକ ଜଙ୍ଗଲ କ୍ଷୟ, ହାତୀ ମଣିଷ ଲଢେଇର ପ୍ରମୁଖ କାରଣ। ଜଙ୍ଗଲ କ୍ଷୟ ହେବାରୁ ଖାଦ୍ୟ ଅନେ୍ଵଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ବାସ ଓ ଫସଲକୁ ସୁରକ୍ଷା ଦେବାକୁ ଯାଇ ହାତୀ-ମଣିଷଙ୍କ ମଧ୍ୟରେ ହେଉଛି ସଂଘର୍ଷ। ଏହି ସଂଘର୍ଷରେ କେତେବେଳେ କାହାର ପାଳି ପଡିବ ତାହା କେହି କହିପାରିବେନି। ମାତ୍ର ଏହି ଲଢେଇରୁ ଫାଇଦା ଉଠାଉଛନ୍ତି ଶିକାରୀ।

ଅନୁଗୁଳ ବନଖଣ୍ଡରେ ୨୦୧୮-୧୯ରେ ଏହି ଲଢେଇରେ ୪ ଜଣ ମଣିଷ ଓ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୯-୨୦ରେ ୧୬ଟି ହାତୀ ମରିଥିବା ବେଳେ ୧୬ ଜଣ ମଣିଷଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୨୦୨୦-୨୧ରେ ୧୩ ଜଣ ମଣିଷ ଓ ୧୩ଟି ହାତୀ ମରିଥିଲେ। ୨୦୨୧-୨୨ରେ ହାତୀ ମଣିଷ ଲଢେଇରେ ୯ଟି ହାତୀ ଓ ୧୦ ଜଣ ମଣିଷ ମରିଛନ୍ତି। ୨୦୨୨-୨୩ରେ ହାତୀ ମଣିଷ ସଂଘର୍ଷରେ ୧୬ ଜଣ ମଣିଷ ଓ ୧୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଡିଏଫଓ କହିଛନ୍ତିଯେ, ଗାଁ ଗାଁରେ ହାତୀ କବଳରୁ କିଭଳି ରକ୍ଷା ପାଇପାରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଏସବୁଥିରେ କିନ୍ତୁ ଆଶାନୁରୂପ ସଫଳତା ମିଳୁ ନାହିଁ ।

ମାନସ ରଞ୍ଜନ ମିଶ୍ର, ଅନୁଗୁଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.