ସାବାସ୍ ଆରଫିଏଫ ଯବାନ, ଚଳନ୍ତା ଟ୍ରେନରୁ ଡେଇଁ ପଡିଥିବା ଯୁବକକୁ ଉଦ୍ଧାର କରି ସାଉଁଟିଲେ ପ୍ରଶଂସା

ଟ୍ରେନ ଚାଲୁଥିବା ଅବସ୍ଥାରେ ଜୟଶଙ୍କର ୧ ନଂ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡିଯାଇଥିଲେ ଏବଂ ତାଙ୍କ ଶରୀର ରେଳ ଧାରଣା ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା

ବ୍ରହ୍ମପୁର(କେନ୍ୟୁଜ୍): ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ । ବୋଧହୁଏ ଆୟୁଷ ଥିଲା ବୋଲି ବଞ୍ଚି ଗଲେ । କାରଣ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ କନେଷ୍ଟବଳ । ସିସିଟିଭିରେ କଏଦ ହୋଇଛି ଏହି ଲୋମ ଟାଙ୍କୁରା ଦୃଶ୍ୟ ।

ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ଦୁଃସାହସ କରି ପ୍ଲାଟଫର୍ମକୁ ଡେଇଁ ପଡିଥିଲେ । ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯିବା ପୂର୍ବରୁ ସେଠାରେ କାର୍ଯ୍ଯରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ତୁରନ୍ତ ଉଦ୍ଧାର କରିନେଇଥିଲେ । ନଚେତ ସେଇଠି କ୍ଷଣିକରେ ଚାଲି ଯାଇଥାନ୍ତା ଯୁବକଙ୍କ ଜୀବନ । ଗତକାଲି ଦିନ ୧୨ଟା ୪୦ ବେଳେ ବ୍ରହ୍ମପୁର ରେଳ ଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ଆସାମର ଜଖଲବନ୍ଧ ଥାନା ଅନ୍ତର୍ଗତ ସକମୁଠିର ଜୟଶଙ୍କର ମୁଣ୍ଡା ।

ଜୟଶଙ୍କର ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ । ସେମାନେ ବ୍ରହ୍ମପୁରରେ ଓହ୍ଲାଇ ଅନ୍ଯ ଏକ ଟ୍ରେନରେ ଚେନ୍ନାଇ ଯିବାକୁ ଯୋଜନା କରିଥିଲେ । ଏହି ସମୟରେ ହାୱାଡା ମେଲ ଚେନ୍ନାଇରୁ ଭୁବନେଶ୍ଵର ଯାଉଥିଲା । ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢିଥିଲେ । ହେଲେ ସେମାନେ ଭୁଲରେ ଚେନ୍ନାଇ ଯିବା ବଦଳରେ ଚେନ୍ନାଇରୁ ଫେରୁଥିବା ଟ୍ରେନରେ ଚଢି ଯାଇଥିବା ଜାଣିବାକୁ ପାଇଥିଲେ । ଟ୍ରେନଟି ଷ୍ଟେସନରେ ଥିବା ବେଳେ ତାଙ୍କ ପତ୍ନୀ ତଳକୁ ଓହ୍ଲାଇ ସାରିଥିଲେ । କିନ୍ତୁ ଜୟଶଙ୍କର ତଳକୁ ଓହ୍ଲାଇବା ବେଳକୁ ଟ୍ରେନଟି ଷ୍ଟେସନରୁ ଛାଡି ଦେଇଥିଲା ।

ତେଣୁ ସେ ଟ୍ରେନଟି ଚାଲୁଥିବା ଅବସ୍ଥାରେ ୧ ନଂ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ । ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡି ଯାଇଥିଲେ ଏବଂ ତାଙ୍କ ଶରୀର ରେଳ ଧାରଣା ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା । ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ଯରତ ଆରପିଏଫ କନଷ୍ଟେବଳ ସୂର୍ଯ୍ଯକାନ୍ତ ସାହୁ ତୁରନ୍ତ ତାଙ୍କ ନିକଟକୁ ଦୌଡି ଆସି ତାଙ୍କୁ ଦୂରକୁ ଟାଣି ନେଇଥିଲେ । ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଥିଲା । ଜୟଶଙ୍କର ସାମାନ୍ଯ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି । ତେବେ ଜୟଶଙ୍କରଙ୍କ ଜୀବନ ବଞ୍ଚାଇଥିବା ଯୋଗୁଁ ସୂର୍ଯ୍ଯକାନ୍ତଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.