ଗୁଜରାଟ: କ୍ରିକେଟ୍ ହେଲା କାଳ! ରାଜକୋଟ୍ ଓ ସୁରଟରେ ହୃଦଘାତରେ ୨ ଖେଳାଳିଙ୍କ ମୃତ୍ୟୁ
କ୍ରିକେଟ୍ ଖେଳିବା ବେଳେ ଚାଲିଗଲା ଦୁଇ ଖେଳାଳିଙ୍କ ଜୀବନ। ଗୁଜରାଟର ରାଜକୋଟ୍ ଏବଂ ସୁରଟରେ ଦୁଇ ପୃଥକ୍ ଘଟଣା ଘଟିଛି। କ୍ରିକେଟ୍ ଖେଳୁଥିବା ସମୟରେ ଦୁଇ ଖେଳାଳିଙ୍କୁ ହଠାତ୍ ହୃଦଘାତ ଆସିଥିଲା। ଡାକ୍ତରଖାନାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଗୁଜରାଟର ରାଜକୋଟ ଏବଂ ସୁରଟରେ ହୃଦଘାତରେ ୨ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସୁରଟରେ ଶନିବାର କ୍ରିକେଟ୍ ଖେଳିବା ପରେ ୨୭ ବର୍ଷୀୟ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଡାକ୍ତରମାନେ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଆବଶ୍ୟକ ନମୁନା ନେଇ ପରୀକ୍ଷାଗାର ପଠାଇଛନ୍ତି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ। ମୃତ ଯୁବକ କାନାଡାରେ ଇଞ୍ଜିନିୟରିଂ ପଢ଼ୁଥିଲେ। ସେ ନିକଟରେ ସୁରଟ ଆସିଥିଲେ। ଏବଂ ଶନିବାର କ୍ରିକେଟ୍ ଖେଳିବାକୁ ଯାଇଥିଲେ।
ସେପଟେ ରାଜକୋଟରେ ମଧ୍ୟ ଏହି ପ୍ରକାରର ମାମଲା ସାମ୍ନାକୁ ଆସିଛି। ରାଜକୋଟର ରେସ କୋର୍ସସ୍ଥିତ ମାଧବରାଓ ସିଙ୍ଘିୟା ଗ୍ରାଉଣ୍ଡରେ କ୍ରିକେଟ୍ ଖେଳିବା ବେଳେ ଜିଗ୍ନେଶ ଚୌହାନ ନାମକ ଯୁବକ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କହି ରଖୁଛୁ, ରାଜକୋଟ ସହରରେ କ୍ରିକେଟ୍ ଖେଳିବା କାରଣରୁ ଏ ପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। କିଛି ଦିନ ତଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୨୦ ଦିନ ମଧ୍ୟରେ ରାଜକୋଟରେ କ୍ରିକେଟ୍ ଖେଳିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।