Below header

ଜମ୍ମୁ-କାଶ୍ମୀରରେ ବର୍ଷା ଓ ତୁଷାରପାତର ତାଣ୍ଡବ, ଭୂସ୍ଖଳନରେ ଭୁଶୁଡ଼ିଲା ଘର, ଆଜି ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ ମଧ୍ୟରେ ଆଜି ସୋନ୍‌ମର୍ଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି । କେନ୍ଦ୍ରଶାସିତ ରାଜ୍ୟରେ ବର୍ଷା ଓ ତୁଷାରପାତ ଲାଗି ରହିଥିବାରୁ ଭୂସ୍ଖଳନ ଏବଂ ହିମସ୍ଖଳନ ଜାରି ରହିଛି ।

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ ମଧ୍ୟରେ ଆଜି ସୋନ୍‌ମର୍ଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି । କେନ୍ଦ୍ରଶାସିତ ରାଜ୍ୟରେ ବର୍ଷା ଓ ତୁଷାରପାତ ଲାଗି ରହିଥିବାରୁ ଭୂସ୍ଖଳନ ଏବଂ ହିମସ୍ଖଳନ ଜାରି ରହିଛି । ପାଖାପାଖି ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି ଘର ଭୁଶୁଡ଼ିବା ସ୍ଥିତିରେ ରହିଛି । ଏହି ବିପର୍ଯ୍ୟୟରେ ବାରାମୂଳା, କିଶ୍ଚଓ୍ଵର ଓ ରିୟାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ବର୍ଷା ଓ ହିମପାତ ଜନଜୀବନ ପାଇଁ ବହୁ ସମସ୍ୟା ଆଣିଛି । କିଶ୍ଟୱର ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ୧୨ଟି ଘର ନଷ୍ଟ ହୋଇଯାଇଛି । ଗତ ୪ ଦିନ ଧରି ଲାଗିରହିଥିବା ବର୍ଷା ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ମେଶିନାରୀକୁ ହାଇ ଆଲର୍ଟରେ ରଖିଛି ।

ସେପଟେ ପାଣିପାଗ ବିଭାଗ ମଙ୍ଗଳବାର ମଧ୍ୟ ଅଧିକାଂଶ ଅଞ୍ଚଳରେ ତୁଷାରପାତ ଓ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି କାଶ୍ମୀରରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କାଶ୍ମୀରରେ ହେବାକୁ ଥିବା ଜୁନିଅର ଆସିଷ୍ଟାଣ୍ଟର ଟାଇପ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜାମ୍ମୁ-ଶ୍ରୀନଗର ରାଜପଥ ସଫା ନ ହେବା ପର୍ଯ୍ୟନ୍ତ ଯାତ୍ରୀମାନେ ଯାତ୍ରା ନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।

ପାହାଡ଼ିଆ ସମେତ ଅନେକ ଦୁର୍ଗମ ଅଞ୍ଚଳରେ ସଡ଼କ ଭାଙ୍ଗିଯିବା ସହ ଭୂସ୍ଖଳନ ହେତୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କିଶ୍ଚଓ୍ଵର ଜିଲ୍ଲା ରେଡ୍ ଆଲର୍ଟରେ ରହିଛି । ଡୋଡା, ରାମବନ୍ ଓ ରିୟାସୀ ଗୁଲାବଗଡରେ ୪ ଜଣ ବ୍ୟକ୍ତି ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେବଳ ଏତିକି ନୁହେଁ, ଭୂସ୍ଖଳନ, ଘର ଭୁଶୁଡ଼ିବା ଏବଂ ଖାଇକୁ ବସ୍‌ ଖସିପଡ଼ିବା ଆଦି ବିଭିନ୍ନ କାରଣରୁ ୧୨ ଶିଶୁଙ୍କ ସମେତ ୨୨ ଜଣ ଲୋକ ଆହତ ହୋଇଛନ୍ତି ।

ରାମବନ୍ ଜିଲ୍ଲାରେ ଜମ୍ମୁ-ଶ୍ରୀନଗର ରାଜପଥରେ ୬ରୁ ଅଧିକ ସ୍ଥାନରେ ଭୂସ୍ଖଳନ ଘଟି ଯାତାୟାତ ଠପ୍‌ ହୋଇଯାଇଛି । ଗୁଲମାର୍ଗ ସମେତ କାଶ୍ମୀରର ଅଧିକାଂଶ ପାହାଡ଼ ବରଫରେ ଆଚ୍ଛାଦିତ ହୋଇଛି । ଉତ୍ତର ଏବଂ ମଧ୍ୟ କାଶ୍ମୀରରେ ହିମସ୍ଖଳନର ଆଶଙ୍କା ବଢ଼ିଯାଇଛି । ସୋନମର୍ଗରେ ହିମସ୍ଖଳନ ଘଟିଛି । ତେବେ ସେହି ସ୍ଥାନ ଏକ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ କୌଣସି ପ୍ରାଣହାନି ଘଟି ନାହିଁ ।

ଏଠାରେ ଜାମ୍ମୁରେ ଦିନସାରା ବର୍ଷା ଲାଗି ରହିଛି । ଗତ ୪ ଦିନ ଧରି ରାଜ୍ୟରେ ବର୍ଷା ହେତୁ ନଦୀ ଏବଂ ନାଳର ଜଳସ୍ତର ବୃଦ୍ଧି ପାଇଛି । କୁପୱାଡ଼ାରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୩୩୬ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.