Below header

ପାଗେଳି ପାଳିଲା ରଜ, ପିନ୍ଧିଲା ଅଳତା ଆଉ ନୂଆ ସାଢ଼ି

ଜଗତସିଂହପୁର (କେନ୍ୟୁଜ) : ମାନସିକ ଭିନ୍ନକ୍ଷମ ସେ । ରାସ୍ତା କଡ ତାଙ୍କର ଘର। ଯିଏ ନିଜକୁ ଭୁଲି ସାରିଛି ସିଏ ଅବା ଓଡିଆର ବାର ଓଷା ତେର ପର୍ବକୁ କେମିତି ମନେ ରଖିବ ? ହେଲେ ରଜ ପର୍ବ ଚାଲିଥିବାରୁ ଜଣେ ଦରଦୀ ମଣିଷ ତାଙ୍କୁ ଅଳତା ଏବଂ ନେଲପଲିସ ଧରାଇଦେଲେ। ଆଉ ତାପରେ ଦେଖନ୍ତୁ କେମିତି ସେ ଅଳତା ବୋତଲଟିକୁ ନିରିଖେଇକି ଦେଖୁଛନ୍ତି । ସେଥିରୁ ଟୋପାଏ ଲେଖାଏଁ ଅଳତା ବାହାର କରି ସୁନ୍ଦର ଭାବେ ପାଦରେ ଲଗାଉଛନ୍ତି। ପାଖରେ ପୋଡପିଠା, ମିଠା ଏବଂ ନୂଆ ଶାଢ଼ୀ ବି ରହିଛି ।

ରଜରେ ବାପା ମାଆ ମାନେ ନିଜ ଛୁଆ ପାଇଁ ନୂଆ ଡ୍ରେସ କରିଦିଅନ୍ତି ଏବଂ ପୁଅ ଝିଅମାନେ ବି ନିଜ ନିଜ ପାଇଁ ନୂଆ ପୋଷାକ ବାଛି ରଜ ତିନି ଦିନ ବେଶ ସଜବାଜ ହୋଇ ବୁଲନ୍ତି କିନ୍ତୁ କାହାର ବି ନଜର ପଡିନଥିବ ରାସ୍ତା କଡରେ ଥିବା ଏହି ମହିଳାଙ୍କ ଉପରେ। ଜଗତସିଂହପୁରର ଏ ଦୃଶ୍ୟ। ରଜରେ ଘରେ ଘରେ ଦୋଳି ସହିତ ପୋଡପିଠା ଓ ଖିଲିପାନର ମଜା ନେଉଛନ୍ତି ଝିଅ ବୋହୂମାନେ। କିନ୍ତୁ ଏ ମହିଳାଙ୍କ ପାଇଁ ସବୁଦିନ ସମାନ ।

ତଥାପି ମାନସିକ ଭିନ୍ନକ୍ଷମ ବିକାରଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କର ମନେ ପଡିଯାଇଛି ରଜର କଥା । ସହରର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଉଛି ଦୁଃଖୀରାମ ସ୍ଵାଇଁ କଳା ପ୍ରତିଷ୍ଠାନ। ଏହାର ପ୍ରତିଷ୍ଠାIତା ସମାଜସେବୀ ଅଜୟ କୁମାର ଗୋଛାୟାତଙ୍କ ନେତୃତ୍ଵରେ ଲକଡାଉନ ହେବା ଦିନଠାରୁ ସହରର ଅସହାୟ, ନିରାଶ୍ରୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ରଜ ପର୍ବ ଥିବାରୁ ଖାଦ୍ୟ ସହିତ ପୋଡପିଠା ଏବଂ ନୂଆ ପୋଷାକ ମଧ୍ୟ ଦିଆଯାଉଛି।

ତେବେ ଏହି ସମୟରେ ସେମାନଙ୍କ ନଜର ପଡ଼ିଥିଲା ଏଇ ମାନସିକ ଭିନ୍ନକ୍ଷମ ମହିଳାଙ୍କ ଉପରେ । ସେମାନେ ତାଙ୍କୁ ଭେଟି ଦେଇଥିଲେ ଅଳତା,ନେଲପଲିସ ଆଦି । ପରେ ଖାଦ୍ୟ ସହିତ ପୋଡପିଠା ଦେଇଥିଲେ । ଆଉ ନୂଆ ଶାଢୀ ଦେବା ପରେ ସେ ବହୁତ ଖୁସି ହୋଇଥିଲେ । ତାକୁ ନେଇ ଆଗ୍ରହର ସହିତ ପିନ୍ଧିଥିଲେ। ଏହି ଭାବପ୍ରବଣ ଦୃଶ୍ୟ ସମସ୍ତଙ୍କ ମନ କିଣି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.