ଇଏ ବା ମା’: ନିଜ ଦୃଷ୍ଟିବାଧିତ ପୁଅ ପାଇଁ ସଂଘର୍ଷ କରୁଛନ୍ତି ମଲ୍ଲୀ ମାଉସୀ

ଦୃଷ୍ଟି ବାଧିତ ପୁଅକୁ ବଞ୍ଚାଇବା ପାଇଁ ଏବୁଢୀ ମାର ସଂଘର୍ଷ। ରାତି ଦିନ ଏକ କରିଦେଇଛନ୍ତି ପୁଅକୁ ପାଇଁ। ଏବୟସରେ ମାଆର ସାହାରା ପୁଅ ହେବା କଥା । କିନ୍ତୁ ନିଜ ଭେଣ୍ଡିଆ ପୁଅ ପାଇଁ ଏ ବୟସରେ ବି ଏ ବୁଢୀ ମାଆଟି ବଂଚିବା ପାଇଁ ସଂଘର୍ଷ କରୁଛି।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ରାଜରାସ୍ତା। ଗାଡି ମୋଟର ପେଁ ପାଁ ଶବ୍ଦ କରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ଫେରୁଥାନ୍ତି। ରାତି ପ୍ରାୟ ଏଗାରଟା ହେବ, ସମୟ ସହିତ ତାଳଦେଇ ଜଣେ ବୃଦ୍ଧା ହାତରେ ଗୋଟିଏ ବଡ ଝାଡୁ ଧରି ରାସ୍ତା ଝାଡୁ ମାରିବାରେ ବ୍ୟସ୍ତ ଥାଆନ୍ତି। କେତେବେଳେ ରାସ୍ତା ପାଖରେ ମଣିଷ ଚଲା ବାଟ ଝାଡୁ କରୁଥାନ୍ତି ତ କେତେବେଳେ ପୁଣି ଗାଡି ଚଲା ବାଟ।ଗଛରୁ ଝଡି ତଳେ ପଡ଼ିଥିବା ପତ୍ର ଫୁଲ ଗୁଡିକ ଝାଡୁ କରି କରି ନେଇ ଠାଏ ଠାଏ ଏକାଠି ରଖୁଥାନ୍ତି। ବୃଦ୍ଧା ଜଣଙ୍କ ପାଖଦେଇ ବେଳେ ବେଳେ କେଇଟା ଗାଡି ଝାପଶା ଲାଇଟ ପକାଇ ହର୍ଣ୍ଣ ମାରି ଚାଲି ଯାଉଥାନ୍ତି। ହେଲେ ବୁଢୀ ମାଉସୀଙ୍କର ଏସବୁ ପ୍ରତି ଭୟ ନଥାଏ କି ଧ୍ୟାନ ନଥାଏ। ଏକ ଲୟରେ ଏଜି ଠାରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ରାସ୍ତାକୁ ଝାଡୁ ମାରି ଚାଲିଥାନ୍ତି।

ବୁଢୀ ମାଉସୀ ଜଣଙ୍କ ପଛରେ ଆଉ ଜଣେ ଯୁବକ ଠେଲା ଗାଡିଟିଏ ଧରି ଠାଏ ଠାଏ ରଖା ହୋଇଥିବା ଅଳିଆ ସବୁ ତାଭିତରେ ରଖୁଥାନ୍ତି। ଏତେ ରାତିରେ ବୟସର ଅପରାହ୍ନକୁ ଛୁଇଁ ଥିବା ବୁଢୀ ମାଉସୀ ଜଣଙ୍କୁ ଏଭଳି ସ୍ଥିତିରେ ରାଜ ରାସ୍ତାରେ ଦେଖି ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ସତ କହିଲେ ସହର ଟା ବୋଲି ସିନା ଜଣା ପଡୁନି ହେଲେ ଏତିକି ରାତିରେ ଗାଁ ଗହଳି ଲୋକଙ୍କର ଅଧା ନିଦ ସରିଯାଇଥାଏ। ତେବେ ଏଇ ବୟସରେ ଘରେ ପୁଅ, ଝିଅ ,ବୋହୂ, ନାତି ,ନାତୁଣୀ ଗହଣରେ ମଉଜ ମଜଲିସ କରି ଖାଇପିଇ ଆରାମ ନେବା ପରିବର୍ତ୍ତେ ବୁଢୀ ମାଉସୀ ରାତି ଅଧିକରେ କାହିଁକି ଝାଡୁ କରୁଛନ୍ତି? ଏମିତି କଣ ପରିସ୍ଥିତି ଆସିଲା ଯେ ବୟସର ଅପରାହ୍ନରେ ଆସି ଝାଡୁ ମାରୁଛନ୍ତି? ଏକଥା ଜାଣିବା ପାଇଁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି। ହେଲେ ପ୍ରଥମେ ବୁଢୀ ମାଉସୀ ସମୟ ନାହିଁ କହି କଥା ଆଡେଇ ଦେଉଥିଲେ। ହେଲେ ପରେ ଯେଉଁ କଥା କହିଲେ ସେକଥା ଶୁଣିଲେ ଦୁଃଖ ଆଉ କୋହ ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ।

ବୁଢୀ ମାଉସୀ କହିଥିଲେ ଜୀବନରେ ଘଟିଥିବା ଦୁଃଖରୁ କିଛି ପଦ। ସେଥିରେ ଆଖି ଓଦା ହୋଇ ଯାଉଥାଏ। ତାଙ୍କ ନାମଟି ମଲ୍ଲୀ।ଘର ନୟାଗଡ଼ ଜିଲ୍ଲା ରଣପୁର।ବୟସ ଥିଲା ଯେତେବେଳେ ବାପା ମାଆ ଛନ୍ଦି ଦେଇଥିଲେ ଜଣେ ପୁରୁଷ ହାତରେ। ଯିଏ ସାତ ଜନମକୁ ସାଥି ହେବା ପାଇଁ ହାତ ଧରିଥିଲା। ହେଲେ ସେ ହାତ ଛାଡିଦେଲା ଅଧା ବାଟରେ ଆଉ କାହାର ହୋଇଗଲା। ଛୋଟ ଛୋଟ ପୁଅ ଝିଅ ହୋଇଥିଲେ। ପୁଅ ଝିଅଙ୍କୁ ବଡ କରିବା ପାଇଁ ଦିନ ରାତି ଗୋଟିଏ କରିଦେଲେ ମଲ୍ଲି ମାଉସୀ। ସେଥିରେ ଭଗବାନ ସହି ପାରିଲେନି ଯେ ପୁଅ ବୋହୂ ଛାଡି ପଳାଇଲେ। ଏବେ ମଲ୍ଲୀଙ୍କ ଭାଗ୍ୟରେ ରହିଗଲା ଜଣେ ଦୃଷ୍ଟି ବାଧିତ ପୁଅ। ଯାହାକୁ ବଞ୍ଚାଇବା ପାଇଁ ଆଜି ଏବୁଢୀ ମାର ସଂଘର୍ଷ। ରାତି ଦିନ ଏକ କରିଦେଇଛନ୍ତି ଦୃଷ୍ଟି ବାଧିତ ପୁଅ କୁ ବଞ୍ଚାଇ ରଖିବାକୁ। ଏବୟସରେ ମାଆର ସାହାରା ପୁଅ ହେବା କଥା । କିନ୍ତୁ ନିଜ ଭେଣ୍ଡିଆ ପୁଅ ପାଇଁ ଏ ବୟସରେ  ବି ମାଆ ଟି ବଂଚିବା ପାଇଁ ସଂଘର୍ଷ କରୁଛି।

ଆଜିର ଏସମାଜ ଏ ମାଆଟିକୁ ଯେଉଁଭଳି ବଂଚିବାକୁ ଦେଇଛି ସେକଥା ମାଆର କୋହ ଆଉ କଥା ବଖାଣୁଥିଲା । ଦିନରେ ପୁଅକୁ ଦେଖନ୍ତି ରାତି ହେଲେ ବାହାରି ଆସନ୍ତି ଝାଡୁ ମୁଠାକ ଧରି ରାଜ ରାସ୍ତା ସଫା କରିବା। ଏତିକି ନୁହେଁ ଗଛର ପତ୍ର ଯେତିକି ମଲ୍ଲୀ ମାଉସୀ ଜୀବନରେ ଦୁଃଖ ସେତିକି ବୋଲି କୋହ ଚାପି କେଇପଦ କଥା ଆପଣ ମାନଙ୍କ ପାଇଁ କହି ପୁଣି ନିଜ କାମରେ ଲାଗିପଡିଲେ। କାହିଁକି ନା ଏଣେ ରାତି ଘନେଇ ଆସୁଛି ତେଣେ ଦୃଷ୍ଟି ବାଧିତ ପୁଅ ଟି ଘରେ ଏକୁଟିଆ। ଘରକୁ ଗଲେ ତାର ଭଲ ମନ୍ଦ ବୁଝିବେ।