କର୍ଣ୍ଣାଟକ: ନିର୍ବାଚନ ଡ୍ୟୁଟିରେ ମୁତୟନ ୨ ସରକାରୀ କର୍ମଚାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ଦେଶରେ ଆଜି ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ କର୍ଣ୍ଣାଟକରୁ ଆସିଛି ଏକ ଦୁଃଖଦ ଖବର । ଏଠାରେ ନିର୍ବାଚନ ଡ୍ୟୁଟିରେ ଥିବା ୨ ସରକାରୀ କର୍ମଚାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି ।

ଦେଶରେ ଆଜି ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ କର୍ଣ୍ଣାଟକରୁ ଆସିଛି ଏକ ଦୁଃଖଦ ଖବର । ଏଠାରେ ନିର୍ବାଚନ ଡ୍ୟୁଟିରେ ଥିବା ୨ ସରକାରୀ କର୍ମଚାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ଏହି କର୍ମଚାରୀ ଦ୍ୱୟଙ୍କ ମଧ୍ୟରୁ ଜଣେ ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାବେଳେ ଅନ୍ୟ ଜଣେ କର୍ମଚାରୀ କୃଷି ବିଭାଗ ସହ ଜଡ଼ିତ ଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ଡ୍ୟୁଟିରେ ମୁତୟନ ୨ ସରକାରୀ କର୍ମଚାରୀଙ୍କୁ ହଠାତ୍‌ ହୃଦଘାତ ଆସିଥିଲା । ଏଥିରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୪୮ ବର୍ଷୀୟ ଗୋବିନ୍ଦପ୍ପା ସିଦ୍ଧପୁରା ବୋଲି ଜଣାପଡିଛି । ସୋମବାର ବାଗଲକୋଟ ଜିଲ୍ଲାର ମୁଘୋଲ ସହରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦ୍ୱିତୀୟ ମୃତକ ହେଲେ ବିଦର ଜିଲ୍ଲା କୁଡୁମ୍ବଲର ସହକାରୀ କୃଷି ଅଧିକାରୀ ଆନନ୍ଦ ତେଲଙ୍ଗ । ତାଙ୍କ ବୟସ ୩୨ ବୋଲି ଜଣାପଡିଛି ।

କର୍ଣ୍ଣାଟକରେ ଦୁଇଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେଉଛି । ଆଜି ତୃତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟର ୧୪ଟି ଆସନରେ ଭୋଟିଂ ଚାଲିଛି । ଏହି ଆସନଗୁଡ଼ିକ ହେଲା, ଚିକୋଡି, ବେଲଗାମ୍, ବାଗଲକୋଟ, ବିଜାପୁର, ଗୁଲବର୍ଗା, ରାୟଚୁର, ବିଦର, କୋପଲ, ବେଲାରୀ, ହାଭେରୀ, ଧାରୱାଡ, ଉତ୍ତର କନ୍ନଡ, ଦାଭନଗେର ଓ ଶିମୋଗା ।

ଏହାପୂର୍ବରୁ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ୧୪ଟି ଆସନରେ ମତଦାନ ହୋଇଥିଲା । ଏହି ଆସନଗୁଡ଼ିକ ଥିଲା, ଡଡ଼ୁପି-ଚିକମଙ୍ଗଲୁର, ହାସନ, ଦକ୍ଷିଣ କନ୍ନଡ, ଚିତ୍ରଦୁର୍ଗ, ତୁମ୍‌କୁର, ମାଣ୍ଡ୍ୟା, ମୈସୁର, ଚାମରାଜନଗର, ବେଙ୍ଗାଲୁରୁ ଗ୍ରାମୀଣ, ବେଙ୍ଗାଲୁରୁ ଉତ୍ତର, ବେଙ୍ଗାଲୁରୁ ସେଣ୍ଟ୍ରାଲ, ବେଙ୍ଗାଲୁରୁ ଦକ୍ଷିଣ, ଚିକବଲପୁର ଓ କୋଲାର । କହି ରଖୁଛୁ ଯେ ସାରା ଦେଶରେ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.