ଗୁଣି ଗାରେଡି ସନ୍ଦେହରେ ପରିବାରକୁ ବାସନ୍ଦ କଲେ ଗାଁ ଲୋକେ

ଗରିବକୁ ଭାଗ୍ୟ ଦାଉ ସାଧିଲା ଭଳି ଏମାନଙ୍କୁ ବି ସମୟ ଏବେ ଦାଉ ସାଧିଛି । ସନ୍ୟାସୀଙ୍କୁ ଏବେ ବାସନ୍ଦ କରିଦିଆଯାଇଛି ଗାଁରୁ । ଯୁଗ ଆସି କେଉଁଠି ପହଁଚିଲାଣି ହେଲେ ଆଜି ବି ସତେଜ୍‌ ହୋଇ ରହିଛି ଅନ୍ଧବିଶ୍ୱାସ ।

ମୋହନା (କେନ୍ୟୁଜଓଡିଶା) : ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ନ୍ୟାୟ ମାଗୁଛନ୍ତି ସନ୍ୟାସୀ । ବୁଢ଼ା ବାପା ଦେହ ଥରୁଛି । ଦୁଇ ପିଲା ବି ଏବେ ସାନ । ଗରିବ ଅସହାୟ ତେଣୁ ସମସ୍ତେ ତାଙ୍କୁ ଏବେ ଦାଉ ସାଧିଛନ୍ତି । ଗରିବକୁ ଭାଗ୍ୟ ଦାଉ ସାଧିଲା ଭଳି ଏମାନଙ୍କୁ ବି ସମୟ ଏବେ ଦାଉ ସାଧିଛି । ସନ୍ୟାସୀଙ୍କୁ ଏବେ ବାସନ୍ଦ କରିଦିଆଯାଇଛି ଗାଁରୁ । ଯୁଗ ଆସି କେଉଁଠି ପହଁଚିଲାଣି ହେଲେ ଆଜି ବି ସତେଜ୍‌ ହୋଇ ରହିଛି ଅନ୍ଧବିଶ୍ୱାସ ।

ଅନ୍ଧବିଶ୍ୱାସର ମାୟା ଜାଲରେ ଫସି ରହିଛି ମଣିଷ । ଏବେ ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧ ବିଶ୍ୱାସ । ମଣିଷ ଯେତେ ଆଧୁନିକତା ଆଡ଼କୁ ଗଲେ ମଧ୍ୟ ଗାଁ ମାନଙ୍କରେ ଅନ୍ଧବିଶ୍ୱାସର ଛାପ ଏବେବି ଦେଖିବାକୁ ମିଳେ । ସମାନ ଭାବେ କିଛି ଗାଁ ମାନଙ୍କରେ ଗୁଣି ଗାରେଡ଼ିକୁ ନେଇ ଅନ୍ଧବିଶ୍ୱାସ ରହିଥିବା ଦେଖିବାକୁ ମିଳୁଛି । କେବଳ ଯେ ଅନ୍ଧବିଶ୍ୱାସ ଦେଖାଯାଏ ତାହା ନୁହେଁ ଏହି ଅନ୍ଧବିଶ୍ୱାସରେ ଗାଁ ମାନଙ୍କରେ ଆକ୍ରମଣ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳେ ।

ନିକଟରେ ଗୁଣି ସନ୍ଦେହରେ ଏକ ପରିବାରକୁ ଆକ୍ରମଣ କରିଥିଲେ ଗାଁ ଲୋକେ । ଏଥିପାଇଁ ଭୟରେ ଗାଁ ଛାଡି ଏକ ପରିବାର ଦୂରରେ ଯାଇ ଭଡ଼ା ଘର ନେଇ ରହୁଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୂରା ପରିବାର । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ରାଜଖମା ଗାଁରେ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ଗାଁର ସନ୍ୟାସୀ ଦଳପତିଙ୍କ ପରିବାରକୁ ଗୁଣି ଗାରେଡି ସନ୍ଦେହ କରୁଛନ୍ତି ଗାଁ ଲୋକେ । ଗାଁରେ କାହାକୁ ବି ରୋଗ ହେଲେ ଉକ୍ତ ପରିବାର ହିଁ ଗୁଣି କରିଥିବା ଗାଁ ଲୋକେ ସନ୍ଦେହ କରନ୍ତି ।

ଗତ ୧୭ ତାରିଖ ରାତି ପ୍ରାୟ ୮ ଟାରେ ଅଚାନକ ଗାଁର କିଛି ଲୋକ ଠେଙ୍ଗା ବାଡି ଧରି ସନ୍ୟାସୀଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ । ତେଣୁ ଭୟରେ ସନ୍ୟାସୀ ତାଙ୍କ ପରିବାରକୁ ଧରି ଗାଁ ଛାଡ଼ି ପଳାଇ ଆସିଥିଲେ । ଅଡ଼ବା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ସନ୍ନ୍ୟାସୀ । ତାଙ୍କ ପରିବାର ଏବେ ବିପଦରେ ଅଛି । ସନ୍ୟାସୀ ତାଙ୍କ ବାପା, ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ଅଡ଼ବା ନିକଟସ୍ଥ ପଦାଗାଁରେ ଏକ ଘର ଭଡ଼ା ନେଇ ରହୁଛନ୍ତି । ତେଣୁ ତୁରନ୍ତ ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଗୁହାରି କରିଛନ୍ତି ସନ୍ନ୍ୟାସୀ। ଅନ୍ୟପଟେ ଅଡ଼ବା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି ଅଡ଼ବା ଥାନା ଅଧିକାରୀ ।

 

Leave A Reply

Your email address will not be published.