ରହସ୍ୟର ଗନ୍ତାଘର କୋଣାର୍କ ମନ୍ଦିର, ଜାଣନ୍ତୁ ଏହାର ଇତିହାସ

କୋଣାର୍କ ମନ୍ଦିର । ନିଜର କଳା ଚାତୁରୀରେ ସମସ୍ତଙ୍କ ମନ ଜିଣିଛି । ଦେଶ ବିଦେଶର ଲୋକଙ୍କୁ ଚକିତ ବିସ୍ମିତ କରିଛି । କାହିଁକି ଏ ସୂର୍ଯ୍ୟ ମନ୍ଦିର, କେମିତି ନିର୍ମାଣ ହୋଇଛି ? କେଉଁଠୁ ଆସିଲା ପଥର, କେମିତି ଏତେ ନିଖୁଣ ହେଲା ପ୍ରସ୍ତର କାରିଗରୀ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ମନରେ ।… ଦେବଭୂମି ଭାବେ ଚର୍ଚ୍ଚିତ ଆମ ଭାରତ ଦେଶର ମଠ ମନ୍ଦିର ସବୁଠି ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଏବେବି ସମସ୍ତଙ୍କ ଅଗୋଚରରେ । ଠିକ୍‌ ସେମିତି କୋଣାର୍କର ରହସ୍ୟ ଏବେବି ଯେମିତି ଅଭେଦ୍ୟ ହୋଇ ରହିଛି ।

ଆଜି ଆମେ ସେହି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ୫୨ ଟନ୍ ଚୁମ୍ବକ ସ୍ଥାପିତ ହୋଇଥିଲା । ଏହି ମନ୍ଦିର ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର । ଯଦିଓ କୋଣାର୍କ ମନ୍ଦିର ପୁରାଣ ଏବଂ କିମ୍ବଦନ୍ତୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଅନ୍ୟାନ୍ୟ ଅନେକ କାରଣ ରହିଛି ଯେଉଁଥି ପାଇଁ ଏହାକୁ ଅଦଭୁତ, ଅବିଶ୍ୱସନୀୟ ମନ୍ଦିର କହିଲେ ଭୁଲ ହେବ ନାହିଁ । ପୃଥିବୀର କୋଣ ଅନୁକୋଣରୁ ଲୋକମାନେ ଏହି ମନ୍ଦିର ଦେଖିବାକୁ ଏଠାକୁ ଆସନ୍ତି । ଏହାର ଅଦ୍ଭୁତ ଏବଂ ଚମତ୍କାର କାରିଗରୀ ପାଇଁ ।

ତେବେ ମନ୍ଦିର ନିର୍ମାଣରେ ଲୁଚି ରହିଥିବା ରହସ୍ୟକୁ ସମସ୍ତେ ଜାଣନ୍ତି ନାହିଁ । କାରଣ ତାହା ଇତିହାସ ବହିରେ ଲେଖା ନାହିଁ କି କେଉଁ ଗ୍ରନ୍ଥରେ ଉଲ୍ଲେଖ ହୋଇ ନାହିଁ । କିଛି ଲୋକମୁଖରୁ ଆଉ କିଛି ଗବେଷକଙ୍କ ମତରୁ ଏସବୁ ଜଣାପଡ଼ିଛି । ବିଶ୍ୱର ଏହି ଆଶ୍ଚର୍ଯ୍ୟ ମନ୍ଦିରକୁ ୧୯୮୪ ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସୂର୍ଯ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମନ୍ଦିରର ନାମରେ ମଧ୍ୟ ରହସ୍ୟ ଲୁଚି ରହିଛି । ଦୁଇଟି ଶବ୍ଦକୁ ନେଇ ହୋଇଛି କୋଣାର୍କ । କୋଣର ଅର୍ଥ ଦୁଇଟି ଦିଗର ମିଳନ ସ୍ଥଳ ଏବଂ ଅର୍କ ହେଉଛି ସୂର୍ଯ୍ୟଙ୍କ ନାମ ।

ଏହାର ଅର୍ଥ ସୂର୍ଯ୍ୟ ଭଗବାନଙ୍କ କୋଣ । ଐତିହାସିକଙ୍କ ମତରେ ୧୩ ଶତାବ୍ଦୀର ମଧ୍ୟଭାଗରେ ୧୨୩୬ ରୁ ୧୨୬୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଙ୍ଗ ରାଜବଂଶର ପ୍ରଥମ ରାଜା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିର ନିର୍ମାଣରେ ମୁଖ୍ୟତଃ ବାଲି, ଗ୍ରାନାଇଟ୍ ପଥର ଏବଂ ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛି । ମନ୍ଦିରଟି ୧୨ ବର୍ଷ ମଧ୍ୟରେ ୧୨୦୦ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏବେବି ମନ୍ଦିରରୁ କିଛି ଦୂରରେ ଏହି କାରିଗରଙ୍କ ଗାଁ ରହିଛି ।

ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଏବଂ ଏଥିରେ ଗୋଟିଏ ପଥରରେ ନିର୍ମିତ ଭଗବାନ ସୂର୍ଯ୍ୟଙ୍କ ତିନିଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଯାହା ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ । ମନ୍ଦିରରେ ସୂର୍ଯ୍ୟଙ୍କର ସମସ୍ତ ପର୍ଯ୍ୟାୟରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଭଳି ବିଭିନ୍ନ ସ୍ଥିତିକୁ ଦର୍ଶା ଯାଇଛି । ଭୁବନେଶ୍ୱରରୁ ଠାରୁ ୬୭ ଏବଂ ପୁରୀ ସହରଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଥିବା ଚନ୍ଦ୍ରଭଗା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର। ମନ୍ଦିରର କାରିଗରୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଆକର୍ଷଣୀୟ । ଏକ ବିରାଟ ରଥ ରୂପରେ ଠିଆ ହୋଇଛି କୋଣାର୍କ ମନ୍ଦିର ।

ଯାହାର ୧୨ ଯୁଗଳ ଚକ ରହିଛି । ଯେଉଁ ଚକର ଛବି ସାରା ବିଶ୍ୱକୁ ଚକିତ କରହିଛି । ରଥରେ ରହିଛନ୍ତି ୭ଟି ଶକ୍ତିଶାଳୀ ଘୋଡା । ମନ୍ଦିରକୁ ଯଦି ଭଲ ଭାବେ ନଜର କରିବେ, ଲାଗିବ ଯେମିତି ସୂର୍ଯ୍ୟ ଭଗବାନ ନିଜେ ରଥରେ ବସିଛନ୍ତି ଆଉ ରଥଟି ଯାତ୍ରା ପାଇଁ ପ୍ରସ୍ତୁତ । ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ । ପୁଣି ଦିନରାତି ଏବଂ ସମୟ ନିର୍ଦ୍ଧାରଣ ସବୁ କିଛି ସୂର୍ଯ୍ୟଙ୍କ ଗତି ଉପରେ ନିର୍ଭରଶୀଳ । ମନ୍ଦିରର ୧୨ଟି ଚକ ବର୍ଷର ବାରମାସକୁ ବୁଝାଇଥାଏ । ପ୍ରତ୍ୟେକ ଚକରେ ରହିଛି ଆଠଟି ଅର । ଯାହା ପ୍ରତ୍ୟେକ ଦିନର ଆଠଟି ପ୍ରହରକୁ ଦର୍ଶାଇଥାଏ ।

ସାତଟି ଘୋଡା ହେଉଛନ୍ତି ସପ୍ତାହର ସାତ ଦିନା ଏହି ମନ୍ଦିର ବିଷୟରେ ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ ଆମେ ମନ୍ଦିରର ଚକ୍ର ଉପରେ ପଡ଼ୁଥିବା ଛାଇରୁ ସମୟକୁ ସଠିକ୍ ଭାବରେ ଆକଳନ କରିପାରିବା । ଏହା ଏକ ପ୍ରାକୃତିକ ଘଣ୍ଟା ଭାବରେ କାମ କରେ । ଏଥି ସହିତ, ଭଗବାନ ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ମନ୍ଦିରର ଉପର ମୁଣ୍ଡରୁ ଦେଖିବାକୁ ମିଳେ । ସୂର୍ଯ୍ୟଙ୍କ ପ୍ରଥମ କିରଣ ମନ୍ଦିର ଉପରେ ପଡ଼େ । ସତେ ଯେପରି ସୂର୍ଯ୍ୟର ଲାଲ ରଙ୍ଗ ସମଗ୍ର ମନ୍ଦିରରେ ବ୍ୟାପି ଯାଏ ।

ମନ୍ଦିରର ତିନିଟି ଗୁରୁତ୍ୱପୂର୍ଣ୍ଣ ଅଂଶ – ଗର୍ଭଗୃହ, ନାଟମଣ୍ଡପ ଏବଂ ଜଗମୋହନ ମଣ୍ଡପ ସମାନ ଦିଗକୁ ମୁହାଁଇଛି । କିମ୍ବଦନ୍ତୀ ଅନୁଯାୟୀ ଅନେକ ଦେବଦାସୀ ସେମାନଙ୍କ ପ୍ରଦର୍ଶନ ପୂର୍ବରୁ କିମ୍ବା ପରେ ମନ୍ଦିର ଗର୍ଭଗୃହ ଭିତରେ ରାତି କଟାଉଥିଲେ । ମନ୍ଦିର ଉପରେ ଲାଗିଥିଲା ଏକ ବୃହତ ଚୁମ୍ବକ । କୁହାଯାଏ କି ଏହା ସମୁଦ୍ରରେ ଯାତାୟାତ କରୁଥିବା ଜାହାଜ ପାଇଁ ସମସ୍ୟା ସୃଷ୍ଟି କଲା । ଜାହାଜର ଦିଗ ନର୍ଣ୍ଣୟ ପାଇଁ ରହୁଥିବା କମ୍ପାସ କାମ କଲା ନାହିଁ ଏହି ଚୁମ୍ବକୀୟ କ୍ଷେତ୍ରରେ । ଫଳରେ ବାଟବଣା ହୋଇ କେବେ ଦିଗହରା ତ କେବେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଜାହାଜ ସବୁ ।

ତେଣୁ ପର୍ତ୍ତୁଗୀଜ୍ ନାବିକମାନେ ଚୁମ୍ବକକୁ ହଟାଇବାକୁ ଉଦ୍ୟମ କରି ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେତେବେଳେ ସେମାନେ ମନ୍ଦିରର ଅଧିକାଂଶ ଭାଗକୁ ଭାଙ୍ଗି ଦେଇଥିଲେ । ଅନ୍ୟ ଏକ କଥା ଅନୁଯାୟୀ ମନ୍ଦିରରେ ଲାଗିଥିବା ଚୁମ୍ବକଟି ମନ୍ଦିରକୁ ବଜ୍ରପାତରୁ ରକ୍ଷା କରୁଥିଲା । ତେବେ ଏହାକୁ କାଢ଼ି ନିଆଯିବା ପରେ ବଜ୍ରପାତ କିମ୍ବା ଭୂମିକମ୍ପ ଯୋଗୁଁ ମନ୍ଦିରଟି କ୍ଷତିଗ୍ରସ୍ତ ହେଲା । ପୁଣି ଜନଶ୍ରୁତି ରହିଛି କି ରାଜ୍ୟର ଅନ୍ୟ ସବୁ ମନ୍ଦିର ଭଳି କଳାପାହାଡ଼ ଆକ୍ରମଣରେ ଏହି ମନ୍ଦିର ଭାଙ୍ଗିଛି । କିମ୍ବଦନ୍ତୀ ଅନୁଯାୟୀ, ମନ୍ଦିର ଉପରେ ୫୨ ମେଟ୍ରିକ୍ ଟନ୍ ଓଜନର ଚୁମ୍ବକ ଲଗା ଯାଇଥିଲା ।

ଯାହାର ପ୍ରଭାବ ଖୁବ୍‌ ଶକ୍ତିଶାଳୀ ଥିଲା । ଆହୁରି ମଧ୍ୟ କୁହାଯାଏ କି ଏହି ଚୁମ୍ବକର ଶକ୍ତି ଦ୍ୱାରା ମନ୍ଦିର ଭିତରେ ସୂର୍ଯ୍ୟଙ୍କ ମୂର୍ତ୍ତି ଝୁଲି କରି ରହିଥିଲା । ଆହୁରି ମଧ୍ୟ କିଛି ବିଶେଷଜ୍ଞ କୁହନ୍ତି କି ମନ୍ଦିରର ମୂଳଦୁଆ ମଜବୁତ ନଥିବାରୁ ଭାର ସହି ନପାରି ମୁଖ୍ୟ ମନ୍ଦିର ଭୁଶୁଡ଼ି ପଡ଼ିଛି । ଏହାକୁ ଇଂରାଜୀରେ ବ୍ଲାକ୍ ପଗୋଡା ବୋଲିକୁହାଯାଏ । ଓଡ଼ିଆ କଳା ସ୍ଥାପତ୍ୟର ଏହା ଏକ ବଡ଼ ଉଦାହରଣ । ପ୍ରକୃତ ମନ୍ଦିର ଭାଙ୍ଗି ଯାଇଛି ଏବଂ ଏହାର ଚୂଳ ମାରିଥିଲେ ୧୨ ବର୍ଷର ଧର୍ମପଦ ।

ଧର୍ମପଦ ଯୋଗୁଁ ୧୨ ଶହ କାରିଗରଙ୍କ ଜୀବନ ବଞ୍ଚିଥିଲା ଏବଂ ପିଲାଟି ନିଜେ ଚନ୍ଦ୍ରଭାଗା ନଦୀକୁ ଡେଇଁ ଜୀବନ ଉତ୍ସର୍ଗ କରିଥିଲା । ଏହି କାରଣରୁ ଏଠାରେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ ନାହିଁ । ତା ସହିତ ମନ୍ଦିରଟି ପ୍ରଥମେ ସମୁଦ୍ର ଭିତରେ ଥିଲା ଏବଂ ଏହାକୁ କିଭଳି ପଥର ପକାଇ ନିର୍ମାଣ କରାଯାଇଥିଲା । ସମୟ କ୍ରମେ ସମୁଦ୍ର ମନ୍ଦିର ଠାରୁ ଦୂରେଇ ଗଲା । ଏମିତି ଅନେକ କାହାଣୀ ରହିଛି କୋଣାର୍କ ମନ୍ଦିରକୁ ନେଇ । ତେବେ ଏସବୁର ବାସ୍ତବତାକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ଏହାର ନିର୍ମାଣ ପ୍ରକ୍ରିୟାକୁ ଏବେବି ଠାବ କରି ପାରି ନାହାନ୍ତି ବିଶେଷଜ୍ଞ ।

ଏକଥା ବି ରହିଛି କି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଅଭିଶାପ ମୁକ୍ତ ହେବା ପାଇଁ ଏଠାରେ ସୂର୍ଯ୍ୟଙ୍କୁ ତପସ୍ୟା କରିଥିଲେ । ସେ କୁଷ୍ଠରୋଗରୁ ମୁକ୍ତ ହେବା ପରେ ଏହି ମନ୍ଦିର ଗଢ଼ିଥିଲେ । ଶହେ ବର୍ଷ ତଳେ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିଶ ଶାସକ ଏହା ଭିତରେ ବାଲି ଭର୍ତ୍ତି କରି ଦେଇଥିଲେ । ଯାହା ବର୍ଷ ବର୍ଷ ଧରି ରହିବା ଯୋଗୁଁ ଏହାର ଚାପରେ ଧୀରେ ଧୀରେ ମନ୍ଦିର ଭିତରେ ଫାଟ ସୃଷ୍ଟି କଲା । ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ନତତ୍ତ୍ୱ ବିଭାଗ ୨୦୨୦ ମସିହାରେ ଏହି ବାଲିକୁ ବାହାର କରିଥିଲା ।

ଏହି ମନ୍ଦିରକୁ ନେଇ ଅନେକ କଥା ଓ କାହାଣୀ ରହିଛି । ହୁଏତ ଯାହାର ଐତିହାସିକ ତଥ୍ୟ ସହ ତାଳମେଳ ନାହିଁ । ଆମେ ଅନେକ ଲୋକକଥା ଏବଂ କିମ୍ବଦନ୍ତୀକୁ ଉଦ୍ଧାର କରି ଏହା ପ୍ରସ୍ତୁତ କରିଛୁ । ତେବେ ଏତିକି କହି ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର ଯେ ଅନନ୍ୟ, ଅସାଧାରଣ ଓ ଅଦଭୁତ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.