ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ ଆଧ୍ୟାତ୍ମିକ ପରିବେଶରେ ପୁରୀକୁ ଗଡିଲା ରଥ କାଠ ଗାଡି । ଏ ହେଉଛି ବୌଦ୍ଧ ଜିଲ୍ଲା ଗୁଣ୍ଡୁଳିଆ ଗାଁ । ପୁରୀ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଯାଇଛି ଏଠାରୁ କାଠ ।

ରଥ ନିର୍ମାଣ ପାଇଁ ଅସନ,ଧଉଡା,ଫାସି କିସମର ୨୪୧ ଖଣ୍ଡ କାଠ ବୌଦ୍ଧ ଜିଲ୍ଲାରୁ ଯିବାକୁ ଥିବାବେଳେ, ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଦୁଇଟି ଗାଡିରେ ୨୪ ଖଣ୍ଡ କାଠକୁ ବୌଦ୍ଧରୁ ପୁରୀକୁ ପଠାଯାଇଛି । ପୂଜାର୍ଚ୍ଚନା,ନାମ ସଂକୀର୍ତନ ପରେ ପଠାଯାଇଛି । ନିଜ ଅଞ୍ଚଳରୁ ରଥ କାଠ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ଯାଇଛି ଏହି ରଥ କାଠ । ଗତ ୨୦୧୮ ମସିହାରୁ ଲଗାତାର ଭାବେ ବୌଦ୍ଧ ବନ ବିଭାଗ ରଥ କାଠ ଯୋଗାଇ ଆସୁଛି । ପୁରୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ମା’ଙ୍କ ଶ୍ରୀ ଗୁଣ୍ଡିଚା ଯାତ ପାଇଁ ନିର୍ମାଣ ହେବାକୁ ଥିବା ରଥ ପାଇଁ ଏହି କାଠ ଯାଇଛି ।

ଗଡଯାତ ରାଜ୍ୟ ଭାବେ ଜଣା ବୌଦ୍ଧ ଜିଲ୍ଲା ସହିତ ଶ୍ରୀକ୍ଷେତ୍ରର ରହିଛି କିଛି ନା କିଛି ସମ୍ପର୍କ । ତେବେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ପୁରୀକୁ ରଥ କାଠ ଗାଡି ଗଡିଥିଲା । ଏହି ସମୟରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଲୋକମାନଙ୍କୁ ଦିଆଯାଇଥିଲା ବାର୍ତା ।

 

 

Leave A Reply

Your email address will not be published.