ଠିକଣା ଖୋଜୁଛି ‘ଷ୍ଟେସନ ୱାଗନ’, ଦିନେ ସମସ୍ତଙ୍କ ଥିଲା ପ୍ରିୟ ଆଜି ପାଲଟିଛି ଅଲୋଡା

ଆମେରିକାର ଉଇଲିସ୍ କମ୍ପାନୀ। ଯାହା ଦ୍ୱାରା ୧୯୪୬ ମସିହାରେ ଧରାପୃଷ୍ଠକୁ ଆସିଥିଲି ମୁଁ । ଆଉ ନାଁ ଥିଲା ମୋର 'ଷ୍ଟେସନ ୱାଗନ ' । ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବାବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୂଖଣ୍ଡରେ।

ଭୁବନେଶ୍ୱର (କେନ୍ୟୁଜ୍): ଆମେରିକାର ଉଇଲିସ୍ କମ୍ପାନୀ। ଯାହା ଦ୍ୱାରା ୧୯୪୬ ମସିହାରେ ଧରାପୃଷ୍ଠକୁ ଆସିଥିଲି ମୁଁ । ଆଉ ନାଁ ଥିଲା ମୋର ‘ଷ୍ଟେସନ ୱାଗନ ‘ । ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବାବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୂଖଣ୍ଡରେ। ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ। ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା । ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୂଖଣ୍ଡରେ ରାଜ୍ କରିବା ପାଇଁ। ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା।

ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ । ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର ଦୌଡ ପ୍ରତିଯୋଗିତାର ପ୍ରତିଯୋଗି ହୋଇ ବାହାର ଟ୍ରାକ୍ ରେ ଦଉଡି ଚମ୍ପିଆନ ହବାକୁ ଲାଗିଲି । ଏବଂ ଆଗ ଧାଡିର ଧନିକ,ରାଜ ନେତା,ସରକାରୀ ବାବୁ ତଥା ହାକିମ ହୁକୁମାଙ୍କର ପ୍ରଥମ ପସନ୍ଦର ଗାଡି ହବାକୁ ଲାଗିଲି। ଧିରେ ଧିରେ ମୋର ପ୍ରବେଶ ହେଲା ଓଡିଶାରେ । ଓଡିଶାର କଟକ ଓ ଭୁବନେଶ୍ୱର ସହରରେ ।

ସେତେ ବେଳେ ପୁରୁଣା ଭୁବନେଶ୍ବରର ପ୍ରଥମ ମଟର କମ୍ପାନୀର ମାଲିକ ‘ନନ୍ଦ’ ପରିବାରରେ ମୁଁ ସାମିଲ ହେଲି। କିନ୍ତୁ ସେତେ ବେଳକୁ ସରକାର ଘରୋଇ ମଟର କମ୍ପାନୀ ଉପରେ ରୋକ୍ ଲଗେଇବାରୁ, ମୁଁ ଅଧିକାଂଶ ସମୟ ‘ଡାକରା ବିଭିଷଣ’ ମନ୍ଦିର ନିକଟ ଖୋଲା ପଡିଆରେ ଠିଆ ହେଇ ରହିଲି। ଆଉ ‘ନନ୍ଦ’ ପରିବାର ତାଙ୍କ ନୂଆ ତିଆରି କରିଥିବା ପ୍ରଥମ ସିନେମା ହଲ ‘କଳ୍ପନା’କୁ ମଟର କମ୍ପାନୀ ଅପେକ୍ଷା ବେଶି ଗରୁତ୍ବ ଦେଲେ। ତେଣୁ ଭୁବନେଶ୍ବରରେ ମୋର ମୃତ୍ୟୁ ଅବ ସମ୍ଭାବି ଥିବା ଜାଣି ମୁଁ ସେମିତି ପଡି ରହିଲି।

ଠିକ୍ ଏତିକି ବେଳେ ମୋ ଉପରେ ଶୁଭ ନଜର ପଡିଲା ମହା ନାୟକ ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ‘ବିଜୟାନନ୍ଦ ପଟ୍ଟନାୟକ’ ଓରଫ୍ ‘ବିଜୁ’ ବାବୁଙ୍କର । ତା ପରେ ମୁଁ ପୁଣି ମୋର କାୟା ବିସ୍ତାର କଲି ଓ ‘ବିଜୁ’ ବାବୁଙ୍କର ସହଚର ‘କଳିଙ୍ଗ ରଥ’ ହୋଇ ଖେଦି ଚାଲିଲି ସାରା ଓଡିଶାରେ,’ଷ୍ଟେସନ ୱାଗନ’ କହିଲେ ବୁଝେଇଲା ‘କଳିଙ୍ଗ ରଥ’କୁ।

ଏ ଭିତରେ ଭୁବନେଶ୍ବର ‘ଲୁଇସ୍ ରୋଡ’ରେ ପ୍ରତିଷ୍ଠା ହୋଇ ଥାଏ ନୂଆ କଚେରୀ। ଯାହା ସେତେବେଳେ ନ୍ୟାୟ ପାଳିକା ଓ କାର୍ଯପାଳିକା ଉଭୟଙ୍କ ପାଇଁ ଜଣେ ହାକିମଙ୍କ ଦ୍ବାରା ପରି ଚାଳିତ ହେଉ ଥାଏ। ତେଣୁ ହାକିମ ହୁକୁମାଙ୍କ ପାଇଁ ମୋର ସେବା ଲୋଡା ହେଲା । ଏବେ ମୁଁ ‘ଷ୍ଟେସନ୍ ୱାଗନ’ ପହଁଚିଲି ଭୁବନେଶ୍ବର କଚେରୀ ହତାରେ । ସେଠି ରହି ଅନେକ୍ ହାକିମଙ୍କ ସେବା କଲି। କିନ୍ତୁ ଭଲ ପାଇବା ପାଉଥିଲି ‘ବିଜୁ’ ବାବୁଙ୍କ ଠାରୁ ଆଉ ସରକାରୀ ଗାଡି ଚାଳକଙ୍କ ଠାରୁ। ପରବର୍ତ୍ତୀ ଅବସ୍ଥାରେ ପୁଣି ନୂଆ ଘରକୁ କଚେରୀ ଉଠିଗଲା ୧୯୮୦ ଦଶକରେ ଏବଂ ମୁଁ ହୋଇଗଲି ସବ୍ କଲେକ୍ଟରଙ୍କ ବାହାନ। ମୋତେ ଯିଏ ଯେମିତି ପାରିଲେ ବ୍ୟବହାର କଲେ। ଧିରେ ଧିରେ ସେବା ନିବୃତ ହେଲି।

wagon

ସେବାରୁ ଅବ୍ୟାହତି ନେବା ପରେ ମୋତେ ସବ୍ କଲେକ୍ଟରଙ୍କ ହତାରେ ପିଆଦା ଭଳି ନେତାଜୀ ସୁଭାଷ ବୋଷଙ୍କ ପ୍ରତୀମୁର୍ତ୍ତୀକୁ ଜଗିବାକୁ ଠିଆ କରେଇ ଦିଆଗଲା । କିନ୍ତୁ ମୁଁ ମୋ ଜାଗାରେ ଥିବାରୁ ଖୁସିଥିଲି ଏବଂ ମୁକ ସାକ୍ଷୀ ହୋଇ ଚୁପ୍ ଚାପ୍ ଲୁହ ଗଡଉ ଥିଲି । ସମସ୍ତଙ୍କୁ ନଜର ରଖୁ ଥିଲି। ହଠାତ୍ ମୋ ଉପରେ ବଜ୍ର ପଡିଲା ଭଳି ଆସି ଖବର ପହଁଚିଲା ସବ୍ କଲେକ୍ଟରଙ୍କ କୋଠା ଭଙ୍ଗା ହୋଇ ହବ କଚେରୀ ଅଟ୍ଟାଳିକା।

୨୦୧୯ ମସିହାରୁ ନୂଆ କୋଠା ତିଆରି ଆରମ୍ଭ ହେଲା ଏବଂ ଗଛ କଟା,ଦୋକାନ ଭଙ୍ଗାରୁ ନେଇ ପୁରୁଣା ‘ସବ୍ ରେଜିଷ୍ଟର’ଙ୍କ କୋଠା ଭଙ୍ଗା ଆରମ୍ଭ ହେଲା।ମୁଁ ଶୁଣିବାକୁ ପାଇଲି ତହସିଲ୍ ଓ ସବ୍ କଲେକ୍ଟରଙ୍କ କୋଠା ବି ଭଙ୍ଗା ହବ ବୋଲି, ତେଣୁ ମୁଁ ବି ଆତଙ୍କରେ ଥାଏ। ହଠାତ୍ ଦିନେ ମୋର ନିଦ ଭାଙ୍ଗିଲା ବେଳକୁ ଦେଖିଲି ସବ୍ କଲେକ୍ଟରଙ୍କ କୋଠା ଭଙ୍ଗା ଆରମ୍ଭ ହୋଇ ଗଲା। ତାପରେ ମୋର ଠିକଣା ବି ବଦଳିଲା। ନିଷ୍ଠୁର ଠିକାଦାର ମୋତେ ଧକ୍କାମାରି ଆଣି ଫିଙ୍ଗି ଦେଲା ଭୁବନେଶ୍ବର ‘ମଧ୍ୟସ୍ତିତା କେନ୍ଦ୍ର’ ନିକଟ ବର ଗଛ ତଳେ। ମୁଁ ଭାବିଲି ଯାହା ହଉ ପଛେ ମୁଁ କଚେରୀ ହତାରେ ତ ରହିଲି। ହେଲେ ଏବେ ସବୁ ବର ଗଛ ବି କଟା ହେଇ ଗଲା। ତେଣୁ ମୋ ଛାତର ଅବଶିଷ୍ଟ ଅଂଶ ହେଇଗଲା ମଦୁଆ ଓ ଗଞ୍ଜଡଙ୍କ ଆଡ୍ଡା ସ୍ଥଳି।

ଓଃ କି କଷ୍ଟ ଆଉ ସହି ପାରୁନି। ତଥାପି ଭାବୁଚି ମୋତେ ନିଷ୍ଠୁର କବାଡି ବାଲା ହାତକୁ ନ ଟେକି, ଯଦି ସେହି ‘ବିଜୁ ବାବୁ’ଙ୍କ ସୁପୁତ୍ର କିମ୍ବା କେହି ଜଣେ ହାକିମ ମୋତେ ମୁକ ସାକ୍ଷୀ ଆଦରୀ, ମୋ ଦେହରେ ରଙ୍ଗ ଟିକିଏ ବୋଳି ପୁଣି ସେହି ନୂଆ କଚେରୀ ଆଗରେ ସ୍ଥାନିତ କରନ୍ତେ। ମୁଁ କଣ ପୁଣି ତୁମ ଶୋଭା ବଢେଇବା ସହ ପୁରୁଣା ସ୍ମୃତିକୁ ସାଇତି ରଖନ୍ତି ନାହିଁ। ହଉ ଆଶା ତ ଅସୁମାରି ଦେଖା ଯାଉ ମୋର ଭାଗ୍ୟ ରେଖା କୁଆଡେ ଯାଉଛି ।