Below header

କାଲିଠାରୁ ସମ୍ପର୍କରେ ଲାଗିବ ୪୮ ଘଣ୍ଟିଆ ତାଲା, ଘଣ୍ଟାଏ ରିହାତିରେ ଲୋକେ କରିବେ କଣ ?

ଏବେ ଆଉ ଦୁଇ ଦିନ ନିଜ ପରିବାର ଛଡ଼ା ଆଉ କାହା ସହ ଦେଖା ସାକ୍ଷାତ ନାହିଁ । କାରଣ ଜାରି ହୋଇଛି ସପ୍ତାହାପ୍ତ ଲକ୍‌ଡାଉନ୍‌ । ତେଣୁ ଶନିବାର ଓ ରବିବାର ଘରେ ବନ୍ଦୀ ହୋଇ ରହିବାକୁ ପଡ଼ିବ । କରୋନା ଦ୍ୱିତୀୟ ଲହରୀର ଚେନ୍‌ ଭାଙ୍ଗିବାକୁ ସରକାରଙ୍କର ଏହି ପ୍ରୟାସ । ତେଣୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି କୁହାଯାଇଛି । ରାସ୍ତାରେ ପୋଲିସ୍‌ ଜଗି ବସିବେ । ଘରୁ ବାହାରିଲେ ତ୍ରାହି ନାହିଁ ।

ଅବଶ୍ୟ ଆଗେ ପୂରା ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଆଜି କାହିଁକି ସରକାର ଟିକେ କୋହଳ ମନୋଭାବ ଦେଖାଇଲେ । ସକାଳେ ୫ଟାରୁ ଋଟା ଘଣ୍ଟାକ ପାଇଁ ଛାଡ଼ କଲେ । ଅବଶ୍ୟ ଏହି ରିହାତି ବିଶେଷ କରି ମର୍ଣ୍ଣିଂଓ୍ଵାକ୍‌ ପାଇଁ । ସକାଳେ ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ । ହେଲେ ଏକଥା ସମସ୍ତଙ୍କୁ ଜଣା ଯେ ସବୁବେଳେ ଗଳାବାଟ ଖୋଜୁଥିବା ଲୋକେ ଏମିତି ଟିକିଏ ସୁଯୋଗ ପାଇଲେ ମାଡ଼ିଯିବେ । ଦିନେ କାଳେ ସକାଳେ ଉଠୁନଥିବା ଲୋକ ମଧ୍ୟ ଶନିବାର ଓ ରବିବାର ଭୋର ୫ଟାରୁ ବାହାରକୁ ବାହାରି ପଡ଼ିବେ ।

ଆପଣ ଦେଖୁ ନାହାନ୍ତି, ଏବେ ପ୍ରତିଦିନ ରାତି ୯ଟାରୁ କଟକଣା ଲାଗୁ ହେଉଛି । ହେଲେ ତା ପୂର୍ବରୁ କିଭଳି ଦୋକାନ ବଜାର ଓ ମାର୍କେଟ୍‌ରେ ଗହଳି ଲାଗୁଛି ? ଯେମିତି ସମସ୍ତେ ଅପେକ୍ଷା କରିଥାନ୍ତି ସେହି ଶେଷ ସମୟକୁ । ଏଥିରେ କରୋନା ଚେନ୍‌ କଟିବ ବା କେମିତି ?

ଗୋଟିଏ ପଟେ ଉତ୍ସୁକତା ଏବଂ ଅନ୍ୟପଟେ ଟିକେ ଖୋଲା ହାଓ୍ଵା ପାଇବାର ଲୋଭ । କିନ୍ତୁ ଏସବୁ ଭିତରେ ସତର୍କ ରହିବା ଯେ କେତେ ଜରୁରୀ ସେ କଥା ଭୁକ୍ତଭୋଗୀ ହିଁ ଜାଣି ପାରିବେ । କାରଣ ଏବେବି ଅନେକ ଲୋକଙ୍କ ମନରେ କରୋନାକୁ ନେଇ ସନ୍ଦେହ ରହିଛି । ଏହା ଏକ ବଡ଼ ଡ୍ରାମା ବୋଲି କିଛି ଭାବୁଛନ୍ତି । ହେଲେ ସେମାନେ ଜାଣି ରଖିବା ଉଚିତ ଯେ ମୃତ୍ୟୁ ମିଛ ନୁହେଁ । ସଂକ୍ରମଣ ସିନା ଆଖିକୁ ଦେଖା ଯାଉନାହିଁ କିନ୍ତୁ ହସପିଟାଲରେ ରୋଗୀଙ୍କୁ ଜାଗା ମିଳୁନାହିଁ, ଶବ ଯାଉଛି, ମଶାଣିରେ ଦାହ ହେଉଛି। ଏ ସତକୁ ତ ଅସ୍ୱୀକାର କରି ହେବନି ।
ତେଣୁ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ସମ୍ପର୍କ କିଛି ଦିନ ପାଇଁ କେବଳ ଫୋନ୍‌ ଏବଂ ଭିଡିଓ କଲ୍‌ରେ ସୀମିତ ରହୁ । କାରଣ ଏଇ ଦ୍ୱିତୀୟ ଲହରୀରେ କରୋନା ଭୀଷଣ ଉଗ୍ର ରୂପ ଧାରଣ କରିଛି । ତେଣୁ ଅମାନିଆମାନେ ଟିକେ ଡରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.