Below header

ରଙ୍ଗେଇଲୁଣ୍ଡାର ସିଦ୍ଧି ବିନାୟକ ପୀଠ, ଯେଉଁଠି ଗଣେଶ ପୂଜାରେ ଲାଗେ ନାହିଁ ନଥିବା ଭିଡ

ଗଞ୍ଜାମ (କେନ୍ୟୁଜ) : ରଙ୍ଗେଇଲୁଣ୍ଡା ନାମ ତ ଆପଣ ଶୁଣିଥିବେ। ଗଞ୍ଜାମ ଜ଼ିଲ୍ଲାର ରଙ୍ଗେଈଲୁଣ୍ଡା ବ୍ଲକ। ଏହି ବ୍ଲକର ରଣ୍ଢା ପଂଚାୟତର ପଞ୍ଚମା ଗାଁ ନିକଟରେ ରହିଛି ସିଦ୍ଧି ବିନାୟକ ପୀଠ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠ ଇତିହାସ ସହିତ ଯୋଡି ହୋଇରହିଛି। ଅଗ୍ରପୂଜ୍ୟ ଗଜାନନଙ୍କ ଶାଳଗ୍ରାମ ଅଶ୍ୱତଥ ବୃକ୍ଷ ମୂଳରେ ରହିଥିବା ବେଳେ କେବଳ ଗଞ୍ଜାମ ନୁହେଁ ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଭକ୍ତ ଆସି ମଧ୍ୟ ଗଜାନନଙ୍କ ଦର୍ଶନ କରିଥାନ୍ତି।

ବ୍ରହ୍ମପୁର ସହର ଠାରୁ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା NH-16 ଜାତୀୟ ରାଜପଥ ରଣ୍ଢା ଛକରୁ ଯାଇ ଦର୍ଶନ କରିହେବ ପଞ୍ଚମାରେ ଥିବା ସିଦ୍ଧି ବିନାୟକଙ୍କୁ। ମନ୍ଦିରକୁ ଗଲା ବେଳେ ରଣ୍ଢା ରେଳ ଫାଟକ ପଡିଥାଏ, ତେଣୁ ଟ୍ରେନ ଯିବା ସମୟରେ ଆପଣଙ୍କୁ କିଛି ସମୟ ଅଟକିବାକୁ ପଡିବ, ଏହାପରେ ରାସ୍ତାରେ ଗଲାବେଳେ ଧାନ କ୍ଷେତ ଏବଂ ସବୁଜିମାରେ ଭରପୁର ଦୃଶ୍ୟ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାପରି ସ୍ଥାନଟିଏ ହୋଇଛି ଓ ଏହା ସହିତ ଇତିହାସ ସହିତ ମଧ୍ୟ ଏହି ପୀଠର ସମ୍ପର୍କ ଯୋଡି ହୋଇରହିଛି l ପ୍ରତିଦିନ ଆଖପାଖରୁ ଭକ୍ତ ଆସି ଠାକୁରଙ୍କୁ ଦର୍ଶନ କରିଥାନ୍ତି। ଡେରା ସମ୍ପ୍ରଦାୟର ବହୁ ଲୋକଙ୍କ ଇଷ୍ଟ ଦେବତା ହୋଇଥିବାରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ସୋମପେଣ୍ଠରୁ ଭକ୍ତ ଆସି ଶିଶୁର ପ୍ରଥମ ଚୁଟିକୁ ଏଇଠି ପକାଇ ମୁଣ୍ଡନ କରିଥାନ୍ତି। ପୁରୁଷାନୁକ୍ରମେ ଏହି ପରମ୍ପରା ଚାଲି ଆସିଥିବା କହନ୍ତି ଭକ୍ତ। ଅତି ପ୍ରାଚୀନ ଯୁଗରୁ ଏହି ସ୍ଥାନରେ ଏକ ଛୋଟିଆ ଚାଳ ଛପର ଘରେ ବିନାୟକଙ୍କୁ ପୂଜା କରାଯାଉଥିଲା।

sidhiପରେ ଟିଣରେ ଘର ହେଲା ଆଉ ବର୍ତ୍ତମାନ ଛାତ ପଡିଛି, ଛାତର ମଝିରେ ଅଶ୍ୱତଥ୍ ବୃକ୍ଷଟି ବଢ଼ିଚାଲିଛି। ବୃକ୍ଷ ମୂଳରେ ଗଜାନନ ବିଦ୍ୟମାନ।କଥିତ ଅଛି ଗଜପତି ପୁରୁଷୋତ୍ତମ ଅନଙ୍ଗ ଭୀମଦେବ କାଞ୍ଚି ବିଜୟ ସାରି ଫେରିବା ସମୟରେ ଅଟକି ଗଲେ ଏହି ସ୍ଥାନରେ। ଠାକୁରଙ୍କ ଆବିର୍ଭାବ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳେ। କୁହାଯାଏ ଗଜପତି ପୁରୁଷୋତ୍ତମ ଅନଙ୍ଗ ଭୀମ ଦେବ କାଞ୍ଚି ଜୟ କରିବା ପାଇଁ ସେତେବେଳେ ବହୁବାର ପରାସ୍ତ ହୋଇଥିଲେ, ଏହାପରେ ଜଗନ୍ନାଥଙ୍କ ଆଶିଷ କୃପା ଏବଂ ରାଜାଙ୍କ ସେନାପତି ଗୋବିନ୍ଦ ଭଞ୍ଜ ଗଣେଶ ଓ ମା ‘ ତାରିଣୀଙ୍କୁ ଠାବ କରି ରାଜା କାଞ୍ଚି ବିଜୟ ଲାଭ କରିଥିଲେ। ଏହାପରେ ପୁରୀକୁ ଫେରୁଥିବା ସମୟରେ ଗଜାନନ ସେତେବେଳେ ଥିବା ଏହି ଘଞ୍ଚ ଜଙ୍ଗଲର ଅଶ୍ୱତଥ୍ ଗଛ ମୂଳରେ ରହିଗଲେ। ଆଉ ମା ‘ ତାରିଣୀ ଘଟଗାଁରେ ସାଳୁଆ ବଣରେ ରହିଗଲେ।

ଗଜାନନଙ୍କ ମୁଖ ପଶ୍ଚିମ ମୁଖ ହୋଇ ରହିଥିବା ବେଳେ ଗଛ ମୂଳ ଫାଟି ପ୍ରଭୁଙ୍କ ଆସ୍ଥାନ ରହିଛି। ପ୍ରତି ବାର ବର୍ଷରେ ଥରେ ଠାକୁରଙ୍କ ନବ କଳେବର ହୁଏ। ପୂର୍ବରୁ ଭକ୍ତ ଗୁହାରିଆ ପଡି ସିଦ୍ଧି ପ୍ରାପ୍ତି ହେଉଥିଲେ କିନ୍ତୁ ଏବେ ତାହା ବନ୍ଦ କରିଦିଆଯାଇଛି l କିଛି ବର୍ଷ ମଧ୍ୟରେ ସରକାରଙ୍କ ଅନୁଦାନରେ କିଛି ଉନ୍ନତି ହୋଇଛି, ଏବେ ସରକାରଙ୍କ ମଧ୍ୟ ଦୃଷ୍ଟି ପଡ଼ିଥିବା ଯୋଗୁଁ କିଛି ଅନୁଦାନ ମଧ୍ୟ ଆସିଛି, ତଥାପି ରାଜ୍ୟର ଅନ୍ୟ ପ୍ରତିଷ୍ଠିତ ମନ୍ଦିରର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ଏହି ମନ୍ଦିର ପ୍ରତି ମଧ୍ୟ ସେହି ପ୍ରକାର ଦୃଷ୍ଟି ଦେଇ ପର୍ଯ୍ୟଟନ ମାନ ଚିତ୍ରରେ ସ୍ଥାନ ଦେବା ପାଇଁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।

ପ୍ରତିଦିନ ଅଳ୍ପ ବହୁତ ଭକ୍ତଙ୍କ ଭିଡ଼ ହେଉଥିବା ବେଳେ ସଂକ୍ରାନ୍ତିରେ ଗହଳି ହୁଏ, ତେବେ ଗଣେଶ ଚତୁର୍ଥୀ ସମୟରେ ଏଠାରେ ଯାତ୍ରା ଅନୁଷ୍ଠିତ ହୁଏ, ଯେଉଁଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ଚଳିତ ବର୍ଷ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଇଛି, କାରଣ ଦୁଇ ବର୍ଷ ହେଲା କୋଭିଡ ପାଇଁ ଯାତ୍ରା ହୋଇ ପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.