Below header

ବନ୍ଦ ଘର ଉପରେ ନଜର ରଖିବ କିଏ ?

ସ୍ୱଧାର ଗୃହ, କନ୍ୟାଶ୍ରମ, ବାଳିକା ଗୃହ । ଏଭଳି ଜାଗାରେ ନାବାଳିକା କିମ୍ବା ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ନୂଆ ନୁହେଁ । ଅଭିଯୋଗ ଆସେ, ଟିକେ ଚର୍ଚ୍ଚା ହୁଏ । ପୁଣି ଥମି ଯାଏ । ହେଲେ ଏଥର ବିହାରର ମୁଜାଫରପୁର ଏବଂ ଏବେ ଏବେ ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ସମାନ ଘଟଣା ସାମନାକୁ ଆସିବା ପରେ ଚିନ୍ତା ବଢ଼ିଛି । ମୁଜାଫରପୁର ଘଟଣାର ସବିଆଇ ତଦନ୍ତ ଆରମ୍ଭ ହୋଇଛି । ଦେବରିୟାରେ ମଧ୍ୟ କିଛି ଗିରଫ ହୋଇଛନ୍ତି । କିନ୍ତୁ ସମସ୍ୟାର ସମାଧାନ ତ କେବଳ ଯାଞ୍ଚ କି କାର୍ଯ୍ୟାନୁଷ୍ଠାନ ନୁହେଁ । ଦେଶର ପ୍ରତି ଜିଲ୍ଲାରେ ରହିଛି ଏଭଳି ଆଶ୍ରମ । ଏସବୁ ଆଶ୍ରମରେ ରହିଛନ୍ତି ଶହ ଶହ ନିରାଶ୍ରୟା । ସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ଯେଉଁମାନେ ଦାୟିତ୍ୱରେ ରହିଛନ୍ତି ସେମାନଙ୍କ ତଦାରଖ ଲାଗି ଯେମିତି କେହି ନାହାନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ରହିଛି ଏହି ସବୁ ଆଶ୍ରମ । ହେଲେ ନିୟମିତ ଭାବେ ଏସବୁ ଆଶ୍ରମ କିମ୍ବା ସ୍ୱଧାର ଗୃହର ପରିଚଳନା ନେଇ ଯାଞ୍ଚ ହୁଏନାହିଁ । କାଗଜ କଲମରେ ହିସାବ ହୁଏ ଏଠାକୁ ଆସୁଥିବା ଅନ୍ତେବାସୀ ଓ ଯାଉଥିବା ଅନ୍ତେବାସୀଙ୍କ ସଂଖ୍ୟା । ହେଲେ ସେମାନେ କଣ କରନ୍ତି, କିଭଳି ଅବସ୍ଥାରେ ଅଛନ୍ତି, ସେମାନଙ୍କ କଥା ବୁଝିବାକୁ ହୁଏତ ପ୍ରଶାସନକୁ ତର ନାହିଁ । ଯାହାର ଫଳେରେ ଏଭଳି ଦୁଷ୍କର୍ମର ଶିକାର ହେଉଛନ୍ତି ହଜାର ହଜର ନିରୀହ ଯୁବତୀ ଓ ନାବାଳିକା । କାରଣ ସେମାନେ ଅନାଥ । ତାଙ୍କ ପାଇଁ ପଦେ କହିବାକୁ କେହି ନାହିଁ । ସୁରକ୍ଷା ଦେବାକୁ ବି କେହି ନାହିଁ । ତେଣୁ ପେଟ ଚାଖଣ୍ଡଙ୍କ ପାଇଁ ବଞ୍ଚିବା ଲାଗି ପଡ଼ି ରହିବାକୁ ପଡ଼େ ଏମାନଙ୍କୁ ସେହି ସେଲଟର ହୋମ୍‌ରେ । ଯିଏ ବିରୋଧ କଲା ପ୍ରବଳ ନିର୍ଯାତନାର ଶିକାର ହେଲା । ନଚେତ ସେଠାରୁ ବିଦା ହେଲା । ଯିଏ ଏଥିପାଇଁ ସାହସ ଜୁଟାଇ ପାରିଲାନି, ସେ ନିରବରେ ନିର୍ଯାତନା ସହିବା ଛଡ଼ା ଅନ୍ୟ କିଛି ଉପାୟ ପାଆନ୍ତି ନାହିଁ ।

ଶିଥିଳ କାର୍ଯ୍ୟାନୁଷ୍ଠାନ
ଏସବୁ ଘୃଣ୍ୟ କାଣ୍ଡରେ ସଂପୃକ୍ତ ବ୍ୟକ୍ତି ଏବଂ ଏନ୍‌ଜିଓଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ହେଉଛି ସେଥିରେ କିଛି ଲାଭ ହେଉନି । କାରଣ ଦୃଷ୍ଟାନ୍ତମୂଳକ ଦଣ୍ଡ ନମିଳିବା ଯାଏ ଅପରାଧୀ ସୁଧୁରିବେ ନାହିଁ । ଏମାନେ ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ବାହୁବଳିଙ୍କ ଛତ୍ରଛାୟା ତଳେ କାମ କରନ୍ତି । ତେଣୁ ଏମାନଙ୍କ ବିରୋଧରେ ପାଟି ଫିଟାଇବା ମୁସ୍କିଲ । ଏସବୁ ଜାଗା ପ୍ରତି ସାଧାରଣ ଲୋକଙ୍‌କର ବି ନଜର ଯାଏନି ।

ବିଭାଗୀୟ ମନ୍ତ୍ରୀଙ୍କ ଭର୍ତ୍ସନା
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଉଭୟ ମୁଜାଫରପୁର ଓ ଦେବରିୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଲୁଚାଛପାରେ ଦେଶରେ ଏଭଳି ଘଟଣା ଆହୁରି ଘଟୁଥିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ପୁଣି ଭର୍ତ୍ସନା କରିଛନ୍ତି ସାଂସଦମାନଙ୍କୁ । ଜଣେ ହେଲେ ସାଂସଦ ନିଜ ଅଞ୍ଚଳରେ ଥିବା ଆଶ୍ରୟ ଗୃହକୁ ପରିଦର୍ଶନ ପାଇଁ ଯାଉ ନାହାନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ତେଣୁ ବନ୍ଦ ଘର ଭିତରେ କଣ ଘଟୁଛି ସେକଥା ବାହାରକୁ ଆସୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେଥିଲାଗି ତାଙ୍କର ପ୍ରସ୍ତାବ ହେଉଛି ଗୋଟିଏ ନିର୍ଦ୍ଦଷ୍ଟ ସଂସ୍ଥା ଏବଂ ଆଶ୍ରୟ ସ୍ଥଳ କରି ରାଜ୍ୟସରକାରମାନେ ଏଭଳି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସବୁ ରଖନ୍ତୁ । ସେମାନଙ୍କୁ ଦକ୍ଷତା ବିକାଶ ଯୋଜନାରେ ସାମିଲ କରାଯାଉ । ରାଜ୍ୟ ସରକାର ସିଧାସଳଖ ଏହି ସଂସ୍ଥାକୁ ପରିଚାଳନା କରନ୍ତୁ । ପିଲା ଓ ମହିଳାଙ୍କ ପାଇଁ ରାଜ୍ୟରେ ଥିବା ଅନ୍ୟ ଆଶ୍ରୟ ଗୃହଗୁଡ଼ିକୁ କେବଳ ଅସ୍ଥାୟୀ ଭାବେ ବ୍ୟବହାର କରାଯାଉ । ହେଲେ ପ୍ରଶ୍ନ ହେଉଛି ଯୌନ ପିପାସୁ ରାକ୍ଷସ ଏବଂ ଅର୍ଥଓ କ୍ଷମାତା ଲୋଭୀଙ୍କ କବଳରୁ ଏଇ ନିରୀହ ଜୀବନଗୁଡ଼ିକୁ ରକ୍ଷା କରିବା ପାଇଁ କଣ ସେତିକି ଯଥେଷ୍ଟ ? ମଣିଷ କରୁଥିବା ଏଇ ପାପକୁ ଦମନ କରିବା ଲାଗି କଣ ମଣିଷ ସମର୍ଥ ନୁହେଁ ? ଏଥିପାଇଁ ଭଗବାନ ଆସିବେ ନା କଣ ?

ରାଜ୍ୟ ସରକାରଙ୍କୁ ନିବେଦନ
ଆମର ନିବେଦନ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଥିବା ଏଭଳି ଆଶ୍ରୟ ସ୍ଥଳ, ବାଳିକା ଗୃହଗୁଡ଼ିକର ସଠିକ୍‌ ଯାଞ୍ଚ କରନ୍ତୁ । ମାନବିକତା ଓ ସାମାଜିକ ଦୃଷ୍ଟିକୋଣରୁ ଏହାର ଅନ୍ତେବାସୀଙ୍କ ସୁରକ୍ଷା ବହୁତ ଜରୁରୀ । ସେଠାରେ ଆଶ୍ରୟ ଓ ଥଇଥାନ ଆଳରେ କଣ ଚାଲିଛି ତା ଉପରେ ନଜର ରଖିବା ସରକାରଙ୍କ ସମେତ ସ୍ଥାନୀୟ ଲୋକଙ୍କର ମଧ୍ୟ ଦାୟିତ୍ୱ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.