-୧୮ ଡିଗ୍ରୀ ତାପମାତ୍ରାରେ ଟ୍ରେନ ଲାଇନରେ ଶୋଇଗଲେ ଯୁବକ, ହଠାତ୍‌ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରେନ: ଦେଖନ୍ତୁ ଭିଡିଓ

‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଯାହାକୁ ଭଗବାନ ରକ୍ଷା କରନ୍ତି, ତା’ର କେବେ ବି କେହି କିଛି କରିପାରନ୍ତି ନାହିଁ। ଆପଣ ମଧ୍ୟ ଏମିତି ଅନେକ ଭିଡିଓ ନିଶ୍ଚିତ ଦେଖିଥିବେ। କିନ୍ତୁ ନିକଟରେ ଋଷର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରେନ ମାଡିଗଲେ ମଧ୍ୟ ତାଙ୍କର କିଛି ହେଉନାହିଁ। ସେ ପୁଣି ଜୀବିତ ରହିଛନ୍ତି।

ଋଷର ଟ୍ରାନ୍ସ ସାଇବେରିଆନ ରେଲେଓ୍ଵର କ୍ରାସନୋୟାର୍ସ୍କ ରୁ ଅବାକାନ ଯାଉଥିବା ଟ୍ରେନ ଲାଇନ ଉପରେ ଏହି ଘଟଣା ଘଟିଥିଲା। ମିରର େଓ୍ଵବସାଇଟ ମୁତାବକ, କ୍ରାସନୋୟାର୍ସ୍କର ୩୬ ବର୍ଷୀୟ ଜଣେ ବ୍ୟକ୍ତି ମଦ ନିଶାରେ ରେଲେଓ୍ଵ ଲାଇନରେ ଯାଇ ଶୋଇ ପଡିଥିଲେ। ଏହି ସମୟରେ ସେଠିକାର ତାପମାତ୍ରା ସର୍ବନିମ୍ନ ୧୮ ଡିଗ୍ରୀ ସେଲସିଅସ ରହିଥିଲା।

ବ୍ୟକ୍ତି ଜଣକ ଟ୍ରେନ ଧାରଣାରେ ଶୋଇଥିବା ବେଳେ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା। ଟ୍ରେନ ଡ୍ରାଇଭର ଟ୍ରେନକୁ ରୋକିବାକୁ ଚେଷ୍ଟା କରିଥିଲେ କିନ୍ତୁ ରୋକିପାରିନଥିଲେ। ଫଳରେ ବ୍ୟକ୍ତି ଜଣକ ଉପରେ ଟ୍ରେନ ମାଡିଯାଇଥିଲା। କିନ୍ତୁ ଧାରଣାରେ ଶୋଇଥିବା ବ୍ୟକ୍ତିଙ୍କର କିଛି ବି ହୋଇନଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଟ୍ରେନ ସେହି ବ୍ୟକ୍ତିଙ୍କ ଉପରେ ମାଡି ଯାଇଥିଲା ଆଉ ବ୍ୟକ୍ତି ଜଣକ ବିନା କୌଣସି ଦ୍ୱନ୍ଦ୍ୱରେ ସେଠାରେ ଶୋଇଥିଲେ। ଏହା ପରେ ସେଠିକାର କର୍ମଚାରୀ ତାଙ୍କୁ ରେଳ ଧାରଣାରୁ ଉଠାଇ ଆଣିଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କ ନିଦ ଭାଙ୍ଗିନଥିଲା।


ରିପୋର୍ଟ ମୁତାବକ, ନିଶାରେ ଥିବା ବ୍ୟକ୍ତିଙ୍କର କିଛି ସ୍ଥାନରେ ଆଘାତ ଲାଗିଛି। କିନ୍ତୁ ଏବେ ତାଙ୍କ ଅବସ୍ଥା ଠିକ୍‌ ରହିଛି। ସେ ଟ୍ରେନ ଧାରଣାର ଫାଙ୍କା ସ୍ଥାନରେ ମଦ ନିଶାରେ ଶୋଇପଡିଥିଲେ, ତେଣୁ ତାଙ୍କର କିଛି ହୋଇନଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏତେ ଥଣ୍ଡାରେ ଶୋଇବା ସତ୍ତ୍ୱେ ତାଙ୍କର ପକ୍ଷାଘାତ କିମ୍ବା ମୃତ୍ୟୁ ହୋଇନଥିଲା।