Below header

ସୂକ୍ଷ୍ମ ମାଲବରି ସିଲ୍କ ସୁତାରେ ପ୍ରସ୍ତୁତ ସ୍ୱତନ୍ତ୍ର ଦିୱାଲୀ ଶାଢୀ, ଜାଣନ୍ତୁ ଦାମ୍ କେତେ?

କିଛି ଦିନ ଆଗରୁ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ମାଁ,ଫ୍ରେଣ୍ଡ୍ସ,ଗଂଜପା ଓ ଯୋଗ ଶାଢୀ ତିଆରି କରି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ପୁଣି ଦୀପାବଳି ଶାଢୀ ତିଆରି କରି ଚର୍ଚ୍ଚାରେ ।

ସୁବର୍ଣ୍ଣପୁର(କେନ୍ୟୁଜ୍): ସୂକ୍ଷ୍ମ ସୁତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର । କେତେବେଳେ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ଶାଢୀବୁଣି ହେଉ ତ ଆଉ କେତେବେଳେ ବିଦ୍ୟାବାଲନ ଶାଢୀ ବୁଣି ହେଉ । କିଛି ଦିନ ଆଗରୁ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ମାଁ,ଫ୍ରେଣ୍ଡ୍ସ,ଗଂଜପା ଓ ଯୋଗ ଶାଢୀ ତିଆରି କରି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ପୁଣି ଦୀପାବଳି ଶାଢୀ ତିଆରି କରି ଚର୍ଚ୍ଚାରେ ।

ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ମେହେର ବା ଭୁଲିଆ ସମ୍ପ୍ରଦାୟର ଜୀବନ ଜୀବିକା । ଏମାନଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା । ହସ୍ତତନ୍ତ ଭିତରେ ସମାଜର ବିଭିନ୍ନ ସଂସ୍କୃତି ପରମ୍ପରାକୁ ସ୍ଥାନିତ କରିବାରେ ଶିଦ୍ଧହସ୍ତ ଏଠିକାର ବାନ୍ଧଶିଳ୍ପୀ । ଏଭଳି କିଛି କରି ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ କାରିଗର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବୁଣାକାର ମନୋଜ ମେହେର ଏବେ ତିଆରି କରିଛନ୍ତି ଏହି ଶାଢୀ ।

ଶାଢୀଟି ସୁକ୍ଷ୍ମ ମାଲବରି ସିଲ୍କ ସୁତାରେ ପ୍ରସ୍ତୁତ ହୋଇଛି । ଶାଢୀର ଦେହ ସାରା ମେହେର ସମ୍ପ୍ରଦାୟର ତନ୍ତ ସାମଗ୍ରୀ ଯଥା ଚହଁଟା,କୁଂଚି,ଖୁଂଟା,ପଟା,ଅସାରୀ,କମଡା,ନରି,ମଙ୍ଗ ସହ ଦୀପାବଳିରେ ପ୍ରସ୍ତୁତ ହେଉଥିବା ପୀଠ.ମଣ୍ଡା,ଠେରରା ଭଳି ଜିନିଷକୁ ସ୍ଥାନିତ କରାଯାଇଛି । ଏହାସହ ସେହିଦିନ ଭୁଲିଆ ସମ୍ପ୍ରଦାୟ ଦ୍ୱାରା ଗାଁ ଦାଣ୍ଡରେ ଆଖୂଦଣ୍ଡଧରି ବାହାରୁଥିବା ଶୋଭାଯାତ୍ରାର ଝଲକ ସହ ସେତେବେଳେ ଗାନ କରାଯାଉଥିବା ଗୀତ ଅଜା ବାହାବେ,ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ,ଉଜଲେ ଯାବେ ପଦକୁ ମଧ୍ୟ ସ୍ଥାନିତ କରାଯାଇଛି ।

ବନ୍ଧଶିଳ୍ପୀ ଓ ବୁଣାକାରଙ୍କ ଜିଲ୍ଲା ହେଉଛି ସୁବର୍ଣ୍ଣପୁର । ଜିଲ୍ଲାରେ ଅହରହ ତନ୍ତରେ ବସି ସୁକ୍ଷ୍ମ ସୂତାରେ ବସ୍ତ୍ର ପ୍ରସ୍ତୁତ କରିବାରେ ବ୍ୟସ୍ତ ଥାଏ ଏଠିକାର ବୁଣକାର । ପାରମ୍ପାରିକ ମଙ୍ଗାରେ ପ୍ରସ୍ତୁତ ହୋଇଥାଏ ଏସବୁ ବସ୍ତ୍ର । ଆଉ ବର୍ଷକଥରେ ଦୀପାବଳି ହିଁ ଏମାନଙ୍କ ମୁଖ୍ୟ ପର୍ବ ହୋଇଥିବାରୁ ଏହି ଦିନରେ ସେମାନଙ୍କ ଜୀବନ ଜୀବିକା ତନ୍ତକୁ ଧୋଇ ତନ୍ତ ଶାଳାରେ ପୂଜା କରିବା ସହ ପୂର୍ବ ପୁରୁଷାଙ୍କୁ ଡାକିଥାନ୍ତି ଏହି ସମ୍ପ୍ରଦାୟ ।

ତେବେ ଧିରେ ଧରେ ଆଧୁନିକତାର ଛାପରେ କାଠ ବଦଳରେ ତନ୍ତ ସମାଗ୍ରୀ ମଧ୍ୟ ଲୁହାରେ ପରିବର୍ତନ ହେଲାଣି । ଏଣୁ ଦୀପାବଳିରେ ଆଗଭଳି ତନ୍ତ ସାମଗ୍ରୀକୁ ଖୋଲି ଧୋଇବା କିମ୍ବା ସେହିଭଳି ପିଠା କରିବାର ମଧ୍ୟ କମିଗଲାଣି । ଏଣୁ ଭୁଲିଆ ସମ୍ପ୍ରଦାୟର ଏହି ନିଆରା ପରମ୍ପରାକୁ ଉଜ୍ଜିବିତ କରିବା ଲକ୍ଷରେ ଏହିଭଳି ଏକ ଦୀପାବଳି ଶାଢୀ ପ୍ରସ୍ତୁତିର ପରିକଳ୍ପନା କରାଯାଇଥିବା ଗୁରୁ ପ୍ରଫୁଲ୍ଲ ମେହେର କହିବା ସହ ଏହି ଶାଢୀଟି କେତେ ସୂକ୍ଷ୍ମ ସେକଥା କହିଛନ୍ତି ।

ଏହି ଶାଢୀଟିକୁ ପ୍ରସ୍ତୁତ କରିବାକୁ ଏକମାସ ସମୟ ଲାଗିଥିବାବେଳେ ଏହାକୁ ପ୍ରସ୍ତୁତ କରିବାରେ ବୁଣାକାର ମନୋଜ ମେହେରଙ୍କୁ ତାଙ୍କ ପରିବାର ସଦସ୍ୟ ସହଯୋଗ କରୁଛନ୍ତି । ଶାଢୀର ବଜାର ଦର ୨୭ ହଜାର ରହିଥିବାବେଳେ ଏହି ଶାଢୀ ପାଇଁ ବୁଣାକାର ମନୋଜ ମେହେରଙ୍କୁ ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇସାରିଛି । ଏବେ ବଜାରରେ ଏହି ଶାଢୀର ଚାହିଦା କାହିଁରେ କଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.