ଅଜବ ଘଟଣା ! କାଠ ଚୋରି ଅଭିଯୋଗରେ କୋର୍ଟରେ ହାଜର ହେଲେ ୫ ଗଧ

କୋର୍ଟ କଚେରୀରେ ଲୋକ ମାନଙ୍କର ବିଭିନ୍ନ ସମସ୍ୟାରେ ସମାଧାନ ହୋଇଥାଏ । ଏହା ତ ଆପଣ ନିଶ୍ଚୟ ଜାଣିଥିବେ କିନ୍ତୁ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏମିତି ଏକ ଅଜବ ଘଟଣା ଘଟିଛି। ଯାହା ଆପଣଙ୍କ କାନ ଉଠିବା ଦିନରୁ ଶୁଣି ନ ଥିବେ । ପାକିସ୍ତାନରେ କାଠ ଚୋରି ମାମଲାରେ ୫ଟି ଗଧକୁ କୋର୍ଟରେ ହାଜର କରାଯାଇଛି । ଖବର ଅନୁସାରେ ପ୍ରଥମେ ପୋଲିସ କାଠ ଚୋରି ମାମଲାରେ ଗଧଙ୍କୁ ନିଜ କଷ୍ଟୋଡିରେ ନେଇଛି ଏବଂ ତା ପରେ ଚିତ୍ରାଳର ଦ୍ରୋସ୍ ଅଞ୍ଚଳର ସହାୟକ ଆୟୁକ୍ତ ତୋସିଫୁଲ୍ଲାଙ୍କ ଅଦାଲତରେ ହାଜର କରିଛି ।
ସହାୟକ ଆୟୁକ୍ତ ଏହି ଗଧମାନଙ୍କୁ ଡକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ଏହି ଗଧମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଥିଲା । ସହକାରୀ କମିଶନର କହିଛନ୍ତି ଯେ ଏହି ଗଧଗୁଡିକ ସୁରକ୍ଷିତ ଏବଂ ସେମାନଙ୍କୁ କାହାକୁ ହସ୍ତାନ୍ତର କରାଯାଇ ନାହିଁ କି କାଠ ଚୋରିରେ ବ୍ୟବହାର କରାଯାଉନାହିଁ। ଏହି ଗଧମାନେ ବନବିଭାଗର ସଂପୃକ୍ତ ଅଧିକାରୀଙ୍କ ଅଧୀନରେ ଅଛନ୍ତି ।
କୁହାଯାଉଛି ଯେ ଏହି ଗଧମାନେ ବହୁତ ଚତୁର ଥିଲେ । ନିଜର ସକ୍ଷମ ଅନୁସାରେ ଠିକ୍ ଜାଗାରେ ଚୋରି ମାଲ ନେଇ ପହଞ୍ଚାଉ ଥିଲେ । ତେବେ ସେପ୍ଟେମ୍ବରରେ ବନ ବିଭାଗ କର୍ମଚାରୀ ଅମର ଶାହା ଏବଂ ତାର ସାଥି ଇମରାନ ଶାହା ଜଙ୍ଗଲର ମୂଲ୍ୟବାନ କାଠ ଚୋରିରେ ଗିରଫ ହୋଇଥିଲେ । ପରେ ଚାକିରିରୁ ବହିଷ୍କାର ହୋଇଥିଲେ । ଅମର ଶାହା ମଖନିଆଲ ଅଞ୍ଚଳର ହରିପୁରଠାରେ ବହୁତ ଦିନ ହେବ ଦେବଦାରୁ ଏବଂ ଜେନସ ଆବିଜ୍ ପରି ମୂଲ୍ୟବାନ କାଠ ଚୋରି କରି ବିକ୍ରୀ କରୁଥିଲେ ।