Below header

କଟକ ସହରର ପ୍ରଥମ ସ୍ମାର୍ଟ କଲୋନୀ ଭାବେ ନୂତନ ପରିଚୟ ପାଇବାକୁ ଯାଉଛି ‘ସୂର୍ଯ୍ୟବିହାର’

କଟକ ଲିଙ୍କ ରୋଡ଼ ଅଞ୍ଚଳରେ ଥିବା ସୂର୍ଯ୍ୟବିହାର। ଯାହା ଏବେ ଏକ ନୂତନ ପରିଚୟ ପାଇବାକୁ ଯାଉଛି କଟକ ସହରର ପ୍ରଥମ ସ୍ମାର୍ଟ କଲୋନୀ ଭାବରେ । ଅନ୍ୟ ଅଞ୍ଚଳଗୁଡିକ ପାଇଁ ଏବେ ସୂର୍ଯ୍ୟବିହାର ବାସିନ୍ଦା ପାଲଟିଛନ୍ତି ଏକ ଉଦାହରଣ ।

କଟକ(କେନ୍ୟୁଜ୍): ନା ରାସ୍ତାରେ କେଉଁଠି ପାନ କି ଗୁଟଖା ଛେପ ପଡିଛି, ନା କେଉଁଠାରୁ ଆସୁଛି ର୍ଦୁଗନ୍ଧ । କୌଣସି ସ୍ଥାନରେ ବି ଦିଶୁ ନାହିଁ ଜରି କାଗଜ କି ଅଳିଆ ଆବର୍ଜନା । ବାଲକୋନି ଉପରେ ଛିଡା ହୋଇ ରାସ୍ତା ଉପରକୁ ଅଳିଆ ଜରି ଫିଙ୍ଗିବା ଅଭ୍ୟାସ ଏଠି କାହାର ବି ନାହିଁ । ପ୍ରତି ଘରର ପାଚେରୀ ଝଲସୁଛି ସୁନ୍ଦର ପାରମ୍ପରିକ ଚିତ୍ରକଳା । ଆମେ କହୁଛୁ କଟକ ଲିଙ୍କ ରୋଡ଼ ଅଞ୍ଚଳରେ ଥିବା ସୂର୍ଯ୍ୟବିହାର ସାହିର କଥା । ଯାହା ଏବେ ଏକ ନୂତନ ପରିଚୟ ପାଇବାକୁ ଯାଉଛି କଟକ ସହରର ପ୍ରଥମ ସ୍ମାର୍ଟ କଲୋନୀ ଭାବରେ । ଅନ୍ୟ ଅଞ୍ଚଳଗୁଡିକ ପାଇଁ ଏବେ ସୂର୍ଯ୍ୟବିହାର ବାସିନ୍ଦା ପାଲଟିଛନ୍ତି ଏକ ଉଦାହରଣ ।

ଦେଖନ୍ତୁ କେମିତି ଏହି କଲୋନୀ ଭିତରକୁ ପଶୁ ପଶୁ ଲାଗୁଛି ଭିନ୍ନ । ଏଠାକୁ ଆସୁଥିବା ଜନସାଧାରଣ ଏକ ଅଲଗା ଅନୁଭବ ନେଇ ଫେରୁଛନ୍ତି । କଟକ ଲିଙ୍କ ରୋଡ଼ ଅଞ୍ଚଳରେ ଥିବା ସୂର୍ଯ୍ୟବିହାର ସାହିର ଏହି ଦୃଶ୍ୟ ଏବେ ସୃଷ୍ଟି କରିଛି ଏକ ସୁନ୍ଦର ଦୃଶ୍ୟପଟ । କଟକ ମହାନଗର ନିଗମର ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଅଞ୍ଚଳଟିକୁ ନେଇ ଏବେ ସହରରେ ବେଶ ଚର୍ଚ୍ଚା । ପରିମଳ ଠାରୁ ଆରମ୍ଭ କରି ରାସ୍ତା ଘାଟ, ଅଲୋକୀକରଣ କ୍ଷେତ୍ରରେ ଅନ୍ୟାନ୍ୟ ସାହି ଠାରୁ ଅନେକ ପାଦ ଆଗକୁ ଚାଲି ଯାଇଛି ଏବେ ସୂର୍ଯ୍ୟବିହାର । ଯାହା ସମ୍ଭବ ହୋଇଛି ଏଠାରେ ବସବାସ କରୁଥିବା ୬୦ରୁ ଉର୍ଦ୍ଧ୍ଵ ପରିବାରର ଇଚ୍ଛା ଶକ୍ତି ଓ ଏକତା କାରଣରୁ । ତେବେ ସବୁଠୁ ଖୁସିର କଥା ଏହାକୁ ଏବେ ସହରବାସୀ ସ୍ମାର୍ଟ କଲୋନୀ ବୋଲି କହିଲେଣି ।

ଏହି ସ୍ମାର୍ଟ କଲୋନୀ ର୍ନିମାଣ ପାଇଁ ମୋଟ ଖର୍ଚ୍ଚ ହୋଇଛି ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା । କିଛି ଆସିଛି ବିଧାୟକ ପାଣ୍ଠିରୁ ଓ କିଛି ଆସିଛି ମୁକ୍ତା ଯୋଜନାରୁ । କଲୋନୀ ପ୍ରବେଶ ପଥରେ କରାଯାଇଛି ଏକ ୱେଲକମ ଗେଟ । କଂକ୍ରିଟ ବ୍ଲକ ବିଛାଯାଇ ତିଆରି ହୋଇଛି ରାସ୍ତା । ହାଇ ମାସ୍କ ଲାଇଟ ସାଙ୍ଗକୁ ଏଲ.ଇ.ଡି ଲାଇଟ ଲଗାଯାଇଛି କଲୋନୀର ବିଭିନ୍ନ ସ୍ଥାନରେ । ନା କେହି ଏଠି ସେଠି ଅଳିଆ ପକାଉଛନ୍ତି ନା ଏଣେତେଣେ ଖାଦ୍ୟ ପଦାର୍ଥ ଫିଙ୍ଗୁଛନ୍ତି । ଯେଉଁ କାରଣରୁ ବୁଲା କୁକୁର ଦିଶୁ ନାହାନ୍ତି ଏହି ଅଂଚଳରେ । କେବଳ ପରିଷ୍କାର ପରିଚ୍ଛନ୍ନତା ନୁହେଁ, ସୁରକ୍ଷା ପ୍ରତି ମଧ୍ୟ ବେଶ ସଚେତନ ଅଞ୍ଚଳବାସୀ । ନିଜ ନିଜ ଘର ସାମ୍ନାରେ ଲଗାଇଛନ୍ତି ସିସି ଟିଭି କ୍ଯାମେରା । ପ୍ରାତଃ ଓ ସଂନ୍ଧ୍ୟା  ଭ୍ରମଣ ପାଇଁ ଆଉ ବାହାରକୁ ଯିବାକୁ ପଡୁ ନାହିଁ ବୋଲି କୁହନ୍ତି ଅଞ୍ଚଳବାସୀ ।

ପରିବେଶ, ସାମାଜିକ ମନୋଭାବ, ପରିଷ୍କାର ପରିଚ୍ଛନ୍ନତା, ଆଦି ଦୃଷ୍ଟିରୁ ଦେଖିବାକୁ ଗଲେ ଏସବୁ ସମ୍ଭବ ହୋଇଛି କେବଳ ଇଚ୍ଛା ଶକ୍ତି ଓ ସକାରାତ୍ମକ ମାନସିକତା କାରଣରୁ । ଆଶା କରୁଛୁ ଏହି କଟକ ସହରର ଅନ୍ୟାନ୍ୟ ସାହିଗୁଡିକ ମଧ୍ୟ ସୂର୍ଯ୍ୟବିହାର ପରି ଆଗାମୀ ଦିନରେ ଚମକିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.