ମଣିଷ ମାନଙ୍କୁ ଗାଧୋଇ ଦେବା ପାଇଁ ଆସୁଛି ୱାଶିଂମେସିନ୍, ୨୦୨୫ ସୁଦ୍ଧା ମାର୍କେଟରେ ହେବ ଉପଲବ୍ଧ

ନୂଆଦିଲ୍ଲୀ : ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଦୈନନ୍ଦିନ କାମ କରିବାରେ ଭାରି ଅଳସୁଆ ହୋଇଥାନ୍ତି । ଉଦାହରଣ ସ୍ୱରୂପ, ଗାଧୋଇବା ମଧ୍ୟ ସେମାନଙ୍କ ପାଇଁ ଏକ ବଡ଼ କାର୍ଯ୍ୟ ଏବଂ ସେମାନେ ଭାବନ୍ତି ଯେ ମୁଁ ଚାହେଁ ଏକ ମେସିନ୍ ବାହାରନ୍ତା ଯିଏ ମତେ ଗାଧୋଇ ଦିଅନ୍ତା। ଏପରି ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି ଯେ ଜାପାନର ହ୍ୟୁମାନ ୱାଶିଂ ମେସିନରେ କାମ କରାଯାଉଛି । ଜାପାନର ଏକ ଟେକ୍ନୋଲୋଜି କଂପାନି ସାଇନ୍ସ କୋ. ଲିମିଟେଡ୍ ଏବେ ଏମିତି ଏକ ମେସିନ୍ ଉପରେ କାମ କରୁଛି ଯାହାକି ପୋଷାକପତ୍ର ଭଳି ମଣିଷଙ୍କୁ ଗାଧୋଇ ଦେଇ ସଫାସୁତୁରା କରିଦେବ । ୨୦୨୫ ସୁଦ୍ଧା ସେହି ଉତ୍ପାଦ ବଜାରକୁ ଆସିଯିବ ବୋଲି ଆଶା କରାଯାଉଛି । ତାକୁ ହ୍ୟୁମାନ୍ ୱାଶିଂ ମେସିନ୍ ବୋଲି କୁହାଯାଉଛି ।
ଓସାକାରେ ଥିବା ସାଇନ୍ସ କୋ.ଲିମିଟେଡ୍ ନିଜର ଆଡଭାନ୍ସ ରୋଷେଇ ଘର ଉପକରଣ ସହିତ ଗାଧୋଇବା ସରଞ୍ଜାମ ପ୍ରସ୍ତୁତକାରୀ କଂପାନି ଭାବେ ପରିଚିତ । ଏବେ ତାହା ହ୍ୟୁମାନ୍ ୱାଶିଂ ମେସିନ୍ ଉପରେ କାମ କରୁଛି । ପ୍ରକଳ୍ପର ନାମ ‘ପ୍ରୋଜେକ୍ଟ ଉସୋୟାରୋ’ ରଖାଯାଇଛି । ଏଥିରେ ଫାଇନ ବବଲ ଟେକ୍ନୋଲୋଜି, ମନିଟରିଂ ସେନ୍ସର୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଜରିଆରେ ଲୋକଙ୍କୁ ଗାଧୋଇବାର ଅନୁଭବ ଦେବାଲାଗି ପ୍ରସ୍ତୁତି ଚାଲିଛି । ଏହା କେବଳ ଶରୀରକୁ ସଫାସୁତୁରା କରିବ ନାହିଁ, ବରଂ ଆରାମଦାୟକ ଅନୁଭବ ବି ପ୍ରଦାନ କରିବ । ଗାଧୋଇଦେବା ସମୟରେ ସେଥିରେ ସଙ୍ଗୀତ ବାଜିବାର ବ୍ୟବସ୍ଥା କରାଯାଇଛି ।
କୁହାଯାଉଛି ଯେ ସାଇନ୍ସ କୋ.ଲିମିଟେଡ୍ ଅଧ୍ୟକ୍ଷ ୟସୁଆକି ଓୟାମାଙ୍କୁ ୧୦ ବର୍ଷ ହୋଇଥିବାବେଳେ ସେ ଓସାକା ଏକ୍ସପୋରେ ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଦେଖିଥିଲେ । ସେତେବେଳେ ସାନିଓ ଇଲେକ୍ଟ୍ରିକ୍ ‘ଅଲ୍ଟ୍ରାସୋନିକ୍ ବାଥ୍’ ଟେକ୍ନୋଲୋଜି ଯୁକ୍ତ ୱାଶିଂ ମେସିନ୍କୁ ସେଠାରେ ପ୍ରଦର୍ଶିତ କରିଥିଲା । ଯେଉଁଥିରେ ମଣିଷର ଶରୀରକୁ ପରିଷ୍କାର କରିବା ସହିତ ମସାଜ୍ କରି ଓ ସଂପୂର୍ଣ୍ଣ ଭାବେ ଶୁଖାଇ ବାହାର କରୁଥିଲା । ଏହି ସମୁଦାୟ କାର୍ଯ୍ୟର ଅବଧି ୧୫ ମିନିଟ୍ର ଥିଲା । ବର୍ତ୍ତମାନ ୟସୁଆକି ଓୟାମା ସେହି ଟେକ୍ନିକ୍କୁ ଆଗକୁ ନେବାକୁ କାର୍ଯ୍ୟ କରୁଛନ୍ତି।