କରୋନା ଲଢେଇରେ ସାମିଲ ହେଲେ ଏହି ଅସହାୟ ଦମ୍ପତି: ନିଜେ ଖାଇବାକୁ ଗଣ୍ଡେ ନାହିଁ କି ରହିବାକୁ ନାହିଁ ଘର, ହେଲେ ଦୁଇମାସର ଭତ୍ତା ପଇସାକୁ ଦେଶବାସୀଙ୍କ ପାଇଁ କଲେ ପ୍ରଦାନ

ନବରଙ୍ଗପୁର (କେ ନ୍ୟୁଜ): ଜୀବନସାରା ସରକାରଙ୍କ ଠାରୁ ବହୁ ସୁବିଧା ସୁଯୋଗ ପାଇଛି । ଆଜି ଆମ ଦେଶ ଏଇ କରୋନା ମହାମାରୀ ସହ ଲଢେ଼ଇ କରୁଛି । ତେଣୁ ଏ ବିପତ୍ତି ସମୟରେ ମୋ ପେନସନ ଏବଂ ମୋ ସ୍ତ୍ରୀର ପେନସନ ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ପ୍ରଦାନ କରୁଛି । ଏଭଳି ହୃଦୟସ୍ପର୍ଶୀ କଥା କହି ନିଜର ଦୁଇ ମାସର ଭତ୍ତା ଏବଂ ନିଜ ସ୍ତ୍ରୀଙ୍କର ଦୁଇ ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ନବରଙ୍ଗପୁର ସହରର ଏଇ ବୃଦ୍ଧ ଦମ୍ପତି ।

PENSION-2

ନବରଙ୍ଗପୁର ସହରର ମେଦ୍ରୀ ସାହିରେ ଏକ ଭଙ୍ଗା କୁଡିଆରେ ବସବାସ କରୁଛନ୍ତି କମଳୁ ହରିଜନ ଏବଂ ସ୍ତ୍ରୀ ମଙ୍ଗାଇ ହରିଜନ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ନିଜର ଜାଗା ଖଣ୍ଡିଏ ମଧ୍ୟ ନଥିଲା ହେଲେ ପ୍ରଶାସନର ସହାୟତାରେ ଜାଗା ସହ ଆବାସ ଯୋଜନାରେ ଏକ ଘର ମଧ୍ୟ ପାଇଥିଲେ । ଲକଡାଉନ ଯୋଗୁଁ ଅଧପନ୍ତରିଆ ଭାବେ ପଡି ରହିଛି ଘର । ନିଜର ସନ୍ତାନ ବୋଲି କେହି ନାହିଁ ରୋଜଗାର ବୋଲି ମଧ୍ୟ କିଛି ନାହିଁ । ସରକାରଙ୍କ ତରଫରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳରେ ଏହି ଦମ୍ପତିଙ୍କର ଭରସା । କମଳୁ ନିଜ ଦୁଇ ମାସର ଭତ୍ତା ହଜାରେ ଟଙ୍କା ପିଏମଓ କେୟାର ଦାନ କରିଛନ୍ତି ,ଏବଂ ସ୍ତ୍ରୀ ମଙ୍ଗାଇ ମଧ୍ୟ ଦୁଇ ମାସର ହଜାରେ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । କରୋନା ସହ ଲଢେ଼ଇରେ ଏମାନଙ୍କ ଏଇ ବଳିଦାନ ଆଜି ପ୍ରମାଣ ଦେଇଛି ଯେ ସ୍ୱାର୍ଥପର ଦୁନିଆରେ ଆଜି ବି ମଣିଷ ପଣିଆ ବଞ୍ଚିଛି । ଧନୀ ଶ୍ରେଣୀର ଲୋକେ ଯେଉଁଠି ଚଂଚକତା କରି ସରକାରୀ ସୁବିଧା ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି ସେଭଳି ସମାଜରେ ମଧ୍ୟ ଏଇ ବୃଦ୍ଧ ଦମ୍ପତିଙ୍କ ଭଳି ମହାନ ମଣିଷ ବସବାସ କରୁଛନ୍ତି । ଜିଲ୍ଲାର ପ୍ରତ୍ୟେକ ଘରେ ଆଜି କମଳୁ ଏବଂ ମଙ୍ଗାଇଙ୍କର ପ୍ରଶଂସା କରାଯାଉଛି।

 

ରିପୋର୍ଟ- ଫାଲଗୁନି ପାତ୍ର (ନବରଙ୍ଗପୁର, କେ ନ୍ୟୁଜ) 

Leave A Reply

Your email address will not be published.