Below header

ଜୈବିକ ଚାଷ କରି ଉଦାହରଣ ସାଜିଲେ ଏହି ମହିଳା ଚାଷୀ, ସ୍ୱାଧିନତା ଦିବସରେ ଯୋଗଦେବାକୁ ଆସିଲା ଦିଲ୍ଲୀରୁ ଡାକରା

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଏଭଳି ଜଣେ ମହିଳା ଚାଷୀଙ୍କୁ ଭେଟିବା ଯିଏ ଜୈବିକ ପଦ୍ଧତିରେ ଚାଷକରି ସୁନାମ ଅର୍ଜିଛନ୍ତି । ଏପରିକି ତାଙ୍କ ସଫଳତା ପାଇଁ ତାଙ୍କୁ ଏବେ ୭୭ତମ ସ୍ୱାଧିନତା ଦିବସରେ ଲାଲକିଲ୍ଲା ଯିବାକୁ ଦିଲ୍ଲୀରୁ ଡାକରା ବି ଆସି ସାରିଛି ।

ସୁବର୍ଣ୍ଣପୁର (କେନ୍ୟୁଜ୍): କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ ଏବଂ ରବୀ ରୁତୁରେ ଧାନ ଓ ପନିପରିବା ଚାଷକରି ପରିବାର ଚଳାନ୍ତି ଏଠିକାର ଚାଷୀ । ତେବେ ଏହି କାର୍ଯ୍ୟକୁ କେବଳ ପୁରୁଷ ନୁହଁନ୍ତି ମହିଳାମେନ ବି ଆରମ୍ଭ କଲେଣି । କାରଣ ପୁରୁଷଙ୍କଠୁ ଆଉ କୌଣସି ଗୁଣରେ କମ ନୁହଁନ୍ତି ମହିଳା । ଯୁଦ୍ଧ କ୍ଷେତ୍ର ହେଉକି ଚାଷେକ୍ଷତ୍ର ସବୁଠି ଆଗରେ ରହିଛନ୍ତି ମହିଳା । ଆଜି ସୁବର୍ଣ୍ଣପୁର ଜିଲ୍ଲାର ଏଭଳି ଜଣେ ମହିଳା ଚାଷୀଙ୍କୁ ଭେଟିବା ଯିଏ ଜୈବିକ ପଦ୍ଧତିରେ ଚାଷକରି ସୁନାମ ଅର୍ଜିଛନ୍ତି । ଏପରିକି ତାଙ୍କ ସଫଳତା ପାଇଁ ତାଙ୍କୁ ଏବେ ୭୭ତମ ସ୍ୱାଧିନତା ଦିବସରେ ଲାଲକିଲ୍ଲା ଯିବାକୁ ଦିଲ୍ଲୀରୁ ଡାକରା ବି ଆସି ସାରିଛି ।

ଚାରିଆଡେ ସବୁଜ ଆଉ ସବୁଜ । ପୋଟଳ,ବାଇଗଣ,ମକା ବନ୍ଧାକୋବି ଏବଂ ସବୁଜ କୋବି ଭଳି ପନିପରିବାରେ ଭରପୁର ରହିଛି ପୁରା ଚାଷକ୍ଷେତ୍ର । ଆଉ ସେଇ ଚାଷ କ୍ଷେତ୍ରରେ କିଛି ଶ୍ରମିକଙ୍କୁ ନେଇ ନିଜେ ଲାଗିଛନ୍ତି ଜଣେ ମହିଳା ଚାଷୀ । ଏ ମହିଳା ଚାଷୀ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଖଇରଟିକ୍ରା ଗାଁର ସନ୍ତୋଷିନୀ ମିଶ୍ର । ନିଜର ୬ ଏକର ପରିମିତ ଜମିରେ ଆଜିକୁ ୭ବର୍ଷ ହେଲା ସେ ଉଭୟ ରବୀ ଓ ଖରିଫ ରୁତୁରେ କରୁଛନ୍ତି ଧାନ ସହ ଅର୍ଥକାରୀ ପନିପରିବା ଚାଷ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲାଯେ ବିନା କୀଟନାଶକ ଓ ସାର ପ୍ରୟୋଗକରି କେବଳ ଜୈବିକ ପଦ୍ଧତିରେ ସେ ଏହି ଚାଷ କରୁଛନ୍ତି । ଗୋବରରୁ ପ୍ରସ୍ତୁତ ଜୈବିକ ଖତ ଓ ଗୋମୁତ୍ର ବ୍ୟବହାର କରି ବିଷମୁକ୍ତ ଫସଲ ଉତ୍ପାଦନ କରୁଛନ୍ତି ସେ ।

farmer

ନିଜ ଫାର୍ମରେ ସେ ଗୋମୁତ୍ର ସଂଗ୍ରହକରି ପ୍ରସ୍ତୁତ କରୁଛନ୍ତି ଜୀବାମୃତ ଦ୍ରବଣ । ଆଉ ସେହି ଜୀବାମୃତକୁ ସମଗ୍ର ଫାର୍ମରେ ହୋଇଥିବା ଚାଷ ଉପରେ ବୁନ୍ଦା ଜଳସେଚନ ମାଧ୍ୟମରେ ପ୍ରୟୋଗ କରୁଛନ୍ତି । ଜୈବିକ କୃଷିପରି ଏକ ଆହ୍ୱାନକୁ ସଂକଳ୍ପରେ ପରିଣତ କରିଥିବା ମହିଳା ଚାଷୀ ସନ୍ତୋଷିନୀ ମିଶ୍ର ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟ ୬ କୃଷି ଶ୍ରମଜୀବିଙ୍କୁ ଦେଇଛନ୍ତି କର୍ମନିଯୁକ୍ତି ।

କୃଷି ଓ କୃଷକ ପାଇଁ ଜିଲ୍ଲାରେ ଅନେକ ସଂସ୍ଥା କାମ କରୁଛି । ମହିଳା ଚାଷୀ ସନ୍ତୋଷିନୀ ମିଶ୍ରଙ୍କୁ ଚାଷ କରିବାର ଅଗ୍ରହକୁ ଦେଖି କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ପକ୍ଷରୁ ବଢାଯାଇଛି ସହଯୋଗର ହାତ । ଏଥିପାଇଁ ବିଭିନ୍ନ ସମୟରେ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ପକ୍ଷରୁ ସନ୍ତୋଷିନୀଙ୍କୁ ତାଲିମ ସହ ଅନ୍ୟାନ୍ୟ ସହଯୋଗ ବି କରାଯାଉଛି । କେବଳ ସେତିକି ନୁହେଁ ସନ୍ତୋଷିନୀ ନିଜ ଜମିରେ ଅମଳ କରୁଥିବା ଫସଲର ବିକ୍ରିବଟା ଦାଇତ୍ୱ ମଧ୍ୟ ହାତକୁ ନେଇଛି କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ । ମହିଳା ଚାଷୀଙ୍କ ଏଭଳି କାମ ଏବେ ଜଣାପଡିବା ପରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି ।

ଆସନ୍ତା ୧୫ ଅଗଷ୍ଟରେ ଦିଲ୍ଲୀ ଲାଲକିଲ୍ଲାରେ ହେବାକୁ ଥିବା ୭୭ତମ ସ୍ୱାଧିନତା ଦିବସରେ ଅତିଥି ଭାବେ ଯୋଗଦେବାକୁ ମହିଳା ଚାଷୀ ସନ୍ତୋଷିନୀଙ୍କୁ ନିମନ୍ତ୍ରଣ ଆସିଛି । ଓଡିଶାର ୧୯ ଜଣ ସଫଳ ଚାଷୀଙ୍କ ସହ ଦିଲ୍ଲୀ ଯିବେ ସନ୍ତୋଷିନୀ । ସନ୍ତୋଷିନୀଙ୍କୁ ଏବେ ଏଭଳି ନିମନ୍ତ୍ରଣ ଆସିବା ପରେ ଉଭୟ ସନ୍ତୋଷିନୀ ଓ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ଖୁସିବ୍ୟକ୍ତ ରକିବା ସହ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.