ଡୁବିଗଲା ଦୁନିଆର ସର୍ବପୁରାତନ ଟୁର ଏଣ୍ଡ ଟ୍ରାଭେଲ କମ୍ପାନୀ‘‘ଥୋମାସ୍‌ କୁକ୍‌’’, ଜାଣନ୍ତୁ ଏହାର ଇତିହାସ

ଦୁନିଆର ସବୁଠାରୁ ପୁରୁଣା ବ୍ରିଟିଶ୍‌ ଟୁର ଏଣ୍ଡ୍‌ ଟ୍ରାଭେଲ କମ୍ପାନୀ ଥୋମାସ୍‌ କୁକ୍‌ ରାତାରାତି ନିଜ କାରବାର ବନ୍ଦ କରିଛି। ପରିବାର ସହ ବୁଲିଯିବା ପ୍ୟାକେଜ୍‌ ଆଣିଥିବା ପୃଥିବୀର ପ୍ରଥମ ସଂସ୍ଥା ହେଉଛି ଥୋମାସ୍‌ କୁକ୍‌। ୧୭୮ ବର୍ଷ ତଳର ଏହି ପୁରୁଣା ଏୟାର ଲାଇନ ହଠାତ୍‌ ବନ୍ଦ ହେବା ଫଳରେ ସାରା ଦୁନିଆର ହୋଟେଲ ବୁକିଂ କରିଥିବା ପ୍ରାୟ ୬ ଲକ୍ଷ ପର୍ଯ୍ୟଟକ ଚିନ୍ତାରେ ପଡ଼ିଛନ୍ତି। ଏଥିସହ ୧୬ ଟି ଦେଶରେ କାର୍ଯ୍ୟ କରୁଥିବା ଏହି କମ୍ପାନୀର ପ୍ରାୟ ୨୨ ହଜାର କର୍ମଚାରୀ ବେରୋଜଗାର ହୋଇଯାଇଛନ୍ତି। ତେବେ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପର୍ଯ୍ୟଟକ ଟୁରିଷ୍ଟ ହୋଟେଲ୍‌ରେ ବନ୍ଦୀ ଭାବେ ରହିଥିବା କୁହାଯାଉଛି।

୧୮୪୧ ମସିହାରେ ବ୍ରିଟେନ୍‌ର ନାଗରିକ ଥୋମାସ୍‌ କୁକ୍‌ ଏହି ସଂସ୍ଥା ପ୍ରତିଷ୍ଠା କରିଥିଲେ। ବ୍ରିଟେନ୍‌ରେ ରେଳ ଲାଇନ୍‌ ବିଛାହେବା ଆରମ୍ଭ ହେବା ପରେ ଏହି ସହରକୁ କ୍ରମଶଃ ପର୍ଯ୍ୟଟକଙ୍କ ଯିବାଆସିବା ଲାଗି ରହିଲା। ୧୮୫୫ ମସିହାରେ ଏହି ଏୟାର ଲାଇନ ପ୍ରଥମେ ୟୁରୋପକୁ ଓ ୧୮୬୬ରେ ଆମେରିକାକୁ ଟୁର୍‌ ଆରମ୍ଭ କରିଥିଲା।

୧୯୫୫ ମସିହାରେ ଥୋମାସ କୁକ୍‌କୁ ଇଣ୍ଟରନ୍ୟାସନାଲ  ଏୟାର ଲାଇନ ଭାବେ ଘୋଷଣା କରାଯାଇଥିଲା। ପରେ ଏହାର ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଲଣ୍ଡନ ଓ ପ୍ୟାରିସ୍‌ ସାମିଲ ହୋଇଥିଲା। ପ୍ରଥମ ଥର ପାଇଁ ଏହି କମ୍ପାନୀ ହଲିଡେ ପ୍ୟାକେଜ୍‌ର ଆରମ୍ଭ କରିଥିଲା। ୧୮୯୨ ମସିହାରେ ସଂସ୍ଥାପକ ଥୋମାସ କୁକ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସମ୍ପୂର୍ଣ୍ଣ ବ୍ୟବସାୟ ସମ୍ଭାଳିଥିଲେ। ମାତ୍ର ଥୋମାସଙ୍କ ନାତି ଫ୍ରେଙ୍କ ଏବଂ ଅର୍ଣ୍ଣେଷ୍ଟ ୧୯୨୮ ମସିହାରେ ବାହାରର ଜଣେ ବ୍ୟକ୍ତିଙ୍କୁ କମ୍ପାନୀ ବିକ୍ରି କରିଦେଇଥିଲେ। ପରେ ୧୯୪୮ ମସିହାରେ ସରକାର ଏହାକୁ ଅଧିଗ୍ରହଣ କରିଥିଲେ।

ଏହାସହ ପଢନ୍ତୁ: ଘରେ ରଖନ୍ତୁ ଫେଙ୍ଗ୍‌ସୁଇ ଓଟ, ଜୀବନରେ କେବେ ବି ଆସିବନି ଏହିସବୁ ସମସ୍ୟା

୧୯୭୨ ମସିହାରେ କମ୍ପାନୀ ପୁଣିଥରେ ଏକ ବେସରକାରୀ ସଂସ୍ଥା ହାତକୁ ଚାଲିଯାଇଥିଲା। ମିଡଲ୍ୟାଣ୍ଡ ବ୍ୟାଙ୍କ, ହୋଟେଲୟର ଟ୍ରଷ୍ଟ ହାଉସ୍‌ ଫୋର୍ଟ ଏବଂ ଅଟୋମୋବାଇଲ୍‌ ଆସୋସିଏସନ୍‌ ମିଳିତ ଭାବେ ଏହାକୁ କିଣିଥିଲା। ପରେ ୧୯୯୨ ମସିହାରେ ଏକ ଜର୍ମାନୀ କମ୍ପାନୀ ଥୋମାସ କୁକ୍‌ ଗ୍ରୁପ୍‌କୁ ଅଧିଗ୍ରହଣ କରିନେଇଥିଲା। ୨୦୦୧ ରେ ଜର୍ମାନ କମ୍ପାନୀ ସି ଏଣ୍ଡ ଏନ୍‌ ଟୁରିଷ୍ଟିକ୍‌ ଏଜି ଏହାକୁ କିଣି ନେଇ କମ୍ପାନୀର ନାମ ପରିବର୍ତ୍ତନ କରି ଥୋମାସ କୁକ୍‌ ଏଜି ରଖିଥିଲେ।

୨୦୦୭ ମସିହାରେ ଥୋମାସ କୁକ୍‌ ଏବଂ ୟୁକେ ବେସ୍‌ଡ ପ୍ୟାକେଜ୍‌ ଟ୍ରାଭେଲ୍‌ କମ୍ପାନୀ ମାଇ ଟ୍ରାଭେଲ୍‌ର ବିଲୟ ଘଟିଥିଲା। ଯାହା ଥୋମାସ୍‌ କମ୍ପାନୀକୁ ରସାତଳଗାମୀ କରିଥିଲା। ଏହି ମିଶ୍ରଣ ପରେ ଧୀରେ ଧୀରେ କମ୍ପାନୀର ପତନ ଘଟିଥିଲା। ତେବେ ମାସେ ତଳେ ଚୀନ୍‌ର ଫୋସନ୍‌ କମ୍ପାନୀ ଥୋମାସ୍‌ କୁକ୍‌ ଏୟାର ଲାଇନ ସହ ୧.୧ ମିଲିୟନ୍‌ ଡଲାରର ରେସକ୍ୟୁ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଚୁକ୍ତି ପରେ ଥୋମାସ୍‌ କମ୍ପାନୀର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଥିଲା। ମାତ୍ର କମ୍ପାନୀ ଉପରେ ୧୭୭୦ କୋଟି ଟଙ୍କାର ଋଣ ବୋଝ ଥିଲା, ଯାହା ସେ ସୁଝିପାରିନଥିଲା। ତେବେ ସୋମବାର ଏହି ଏୟାର ଲାଇନ ବନ୍ଦ ହେବା ପରେ କର୍ମଚାରୀ ଓ ପର୍ଯ୍ୟଟକଙ୍କ ସମସ୍ତ ଆଶା ବିଶ୍ୱାସ ପାଣିରେ ମିଳେଇ ଯାଇଛି।