ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ପିଭି ସିନ୍ଧୁଙ୍କୁ ଲାଗିଲା ଝଟକା, ଅସୁସ୍ଥ ସ୍ୱାମୀଙ୍କ ଦେଖାଶୁଣା କରିବା ପାଇଁ ହାତ ଛାଡ଼ିଲେ କୋରିଆନ୍‌ କୋଚ୍‌

୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଲାଗିଛି ବଡ଼ ଝଟକା। ଭାରତୀୟ ମହିଳା ସିଙ୍ଗଲ ବ୍ୟାଡ୍‌ମିଣ୍ଟନ କୋଚ ଦକ୍ଷିଣ କୋରିଆର କିମ୍‌ ଜୀ ହ୍ୟୁନ୍‌ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ସେ ନିଜ ଅସୁସ୍ଥ ସ୍ୱାମୀଙ୍କ ଦେଖାଶୁଣା କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟୋକିଓ ଅଲିମ୍ପିକ୍‌ ଆସନ୍ତା ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯ୍ୟର୍ନ୍ତ ଖେଳାଯିବ।

ଖେଳର ଏହି ମହାକୁମ୍ଭରେ ଭାରତୀୟ ଖେଳାଳୀଙ୍କଠାରୁ ବଡ଼ ଆଶା ରହିଛି। ଏଭଳି ସ୍ଥିତିରେ କିମ୍‌ ଜୀ ହ୍ୟୁନ୍‌ ଭାରତୀୟ ବ୍ୟାଡ୍‌ମିଣ୍ଟିନ୍‌ ଟିମ୍‌ ଖାସ୍‌ କରି ପିଭି ସିନ୍ଧୁଙ୍କଠାରୁ ଅଲଗା ହେବା ନିଶ୍ଚିତ ରୂପେ ସମସ୍ତଙ୍କୁ ନିରାଶ କରିବ। ସିନ୍ଧୁ ଗତ ମାସରେ ସ୍ଵିଜରଲ୍ୟାଣ୍ଡର ବାସେଲରେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପଦକ ଜିତିବା ପରେ ସିନ୍ଧୁ କହିଥିଲେ, ତାଙ୍କ ସଫଳତା ପଛରେ କିମ୍‌ଙ୍କର ପ୍ରମୁଖ ଭୂମିକା ରହିଛି।

ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ(ବିଏଆଇ) ଚଳିତବର୍ଷ କିମ୍‌ଙ୍କୁ କୋଚ ରୂପେ ନିୟୋଜିତ କରିଥିଲା। ବୁସାନରେ ରହୁଥିବା ୪୫ ବର୍ଷୀୟା କିମ୍‌ଙ୍କୁ ନିଜ ସ୍ୱାମୀ ରିଚି ମେର୍‌ଙ୍କ ପାଖକୁ ଯିବାକୁ ପଡ଼ିଛି। ରିଚିଙ୍କୁ ପାଖାପାଖି ୧୫ ଦିନ ପୂର୍ବରୁ ‘ନ୍ୟୁରୋ ଷ୍ଟ୍ରୋକ୍‌’ ହୋଇଥିଲା। ଭାରତର ମୁଖ୍ୟ ଜାତୀୟ କୋଚ ପୁଲେଲା ଗୋପିଚାନ୍ଦ କହିଛନ୍ତି, ଏହା ସତ ଯେ କିମ୍‌ ଇସ୍ତଫା ଦେଇଦେଇଛନ୍ତି। ତାଙ୍କ ସ୍ୱାମୀ ବହୁତ ଅସୁସ୍ଥ ଅଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ସମୟରେ ତାଙ୍କୁ ନ୍ୟୁରୋ ଷ୍ଟ୍ରୋକ୍‌ର ସାମ୍ନା କରିବାକୁ ପଡ଼ିଥିଲା। ଏଥିପାଇଁ କିମ୍‌ ସ୍ୱାମୀଙ୍କ ପାଖକୁ ଫେରିଯାଇଛନ୍ତି। ରୋଗରୁ ମୁକ୍ତ ହେବା ପାଇଁ ତାଙ୍କୁ ୪ରୁ ୬ ମାସ ସମୟ ଲାଗିବ।

ଏହାସହ ପଢ଼ନ୍ତୁ: ଆଝାରୁଦ୍ଦିନ୍‌ଙ୍କ ପୁଅ ଅସଦ୍‌ଙ୍କୁ ଡେଟ୍‌ କରୁଛନ୍ତି ସାନିଆ ମିର୍ଜାଙ୍କ ଭଉଣୀ ଅନମ୍‌, ଖୁବ୍‌ଶୀଘ୍ର କରିପାରନ୍ତି ବିବାହ

କିମ୍‌, ସିନ୍ଧୁଙ୍କ ସହିତ ଭଲ ଯୋଡ଼ି ବନାଇ ଦେଇଥିଲେ। ଏହି ବ୍ୟାଡ୍‌ମିଣ୍ଟନ ତାରକା ମଧ୍ୟ ନିଜର ସଫଳତା ପାଇଁ କୋରିଆନ୍‌ କୋଚ୍‌ଙ୍କ ଭୂମିକାକୁ ସ୍ୱୀକାର କରିସାରିଛନ୍ତି। କିମ୍‌ ଭାରତର ତୃତୀୟ ବିଦେଶୀ କୋଚ୍‌ ଅଟନ୍ତି, ଯିଏ ନିଜ କାଯ୍ୟର୍କାଳ ପୂରା କରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି।