କାଳ ବୈଶାଖୀ ଭାଙ୍ଗି ଚୁରମାର କରିଦେଇଛି ଘରର ଛପର, ଖୋଲା ଆକାଶ ତଳେ ବିତୁଛି ଜୀବନ

ଆଜବେଷ୍ଟ ଭାଙ୍ଗି ଚୁନା । ଖୋଲା ଆକାଶ ତଳେ ବିତୁଛି ଜୀବନ । ଘର ଭିତରୁ ଦିନରେ ସୁରୁଜ ଓ ରାତିରେ ଜହ୍ନ ଦିଶୁଛି । ବେସାହାରା ହୋଇପଡ଼ିଛି ଜୀବନ । ବାର ବାର ସରକାରୀ ବାବୁଙ୍କୁ ଅଭିଯୋଗ ସହ ଗୁହାରି ଜଣାଇଥିଲେ ବି ତାଙ୍କର ଦୃଷ୍ଟି ବି ପଡ଼ିନି ।

କେନ୍ୟୁଜ୍‌(ବ୍ୟୁରୋ): ଉଡ଼ିଯାଇଛି ଘରର ଛପର । ଆଜବେଷ୍ଟ ଭାଙ୍ଗି ଚୁନା । ଖୋଲା ଆକାଶ ତଳେ ବିତୁଛି ଜୀବନ । ସେଇଠି ମଣିଷ ସେଇଠି ପଶୁ । ଘର ଭିତରୁ ଦିନରେ ସୁରୁଜ ଓ ରାତିରେ ଜହ୍ନ ଦିଶୁଛି । ଦିନର ପ୍ରଚଣ୍ଡ ତାତି ଯେପରି କଳବଳ କରି ପକାଉଛି । ଗୋଟିଏ ପଟେ ପ୍ରଚଣ୍ଡ ଖରା, ତ ଅନ୍ୟପଟେ ଅସହ୍ୟ ଗୁଳୁଗୁଳି । ତାରି ଭିତରେ ଜୁଝି ହେଉଛି ଜୀବନ । କାଳ ରୂପି ବୈଶାଖୀ ଏପରି କାଣ୍ଡ ଭିଆଇଛି । ଯେଉଁଥିପାଇଁ ବେସାହାରା ହୋଇପଡ଼ିଛି ଜୀବନ । ଆଉ ସାହାରା ପାଇଁ ହାତ ପତାଉଛି । ବାର ବାର ସରକାରୀ ବାବୁଙ୍କୁ ଅଭିଯୋଗ ସହ ଗୁହାରି ଜଣାଇଥିଲେ ବି ତାଙ୍କର ଦୃଷ୍ଟି ବି ପଡ଼ିନି । ଏପରିକି ଅନ୍ୟ ସରକାରୀ ସହାୟତା ତ ଦୂରର କଥା ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଟିଏ ବି ଯୋଗାଇ ଦିଆଯାଇନି ।

 

ଦିନରେ ପ୍ରଚଣ୍ଡ ତାତି । ଏହାସହ ଅସହ୍ୟ ଗୁଳିଗୁଳି । ରାଜ୍ୟର ଅଧିକାଂଶ ଜିଲ୍ଲାର ପାରା ୪୦ ଉପରେ । ରାତିହେଲେ ବିଜୁଳି କୁଆଡ଼େ ଚାଲିଯାଉଛି ଆସିବାର ନା ଧରୁନି । ଏପରି ସ୍ଥିତିରେ ଦିନରେ ହଇରାଣ କରୁଛି ତାତି ଓ ରାତିରେ ଗୁଳିଗୁଳି । ଅପରାହ୍ନ ବେଳକୁ ମାଡ଼ି ଆସୁଛି କାଳବୈଶାଖି । ବର୍ଷା କମ ହେଉଛି ପବନ ବେଶି । ଓପାଡ଼ି ପକାଉଛି ବିଜୁଳି ଖୁଣ୍ଟଠୁ ବଡ଼ ବଡ଼ ଗଛ । ଭାଙ୍ଗି ପକାଉଛି ଚାଳଛପର ଘର । ଟିଣକୁ ଟେକିନେଇ ଫୋପାଡ଼ି ଦେଉଛି । ଆଜବେଷ୍ଟକୁ ଭାଙ୍ଗି ଚୂନା କରି ପକାଉଛି । ଏପରି ଭାବେ ଭଦ୍ରକ ଜିଲ୍ଲା ନାଲଗୁଣ୍ଡା ପଞ୍ଚାୟତ ରାମପୁର ଗାଁରେ ଆଜବେଷ୍ଚ ଛାତ ଭାଙ୍ଗି ଚୂନା ହୋଇ ଯାଇଛି । ଗାଁର ଅରୁଣ ଦାସ, ଅକେଶ ଦାସ, ଅନ୍ତର୍ଯ୍ୟାମୀ ଦାସଙ୍କ ୬ ବଖରା ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ଫଳରେ ଭଙ୍ଗାଘରେ ପ୍ରଚଣ୍ଡ ଖରାରେ ରହିବାକୁ ବାଧ୍ୟ ହେଉଛନ୍ତି ।

 

ଗତ ୧୧ ତାରିଖ ସଂଧ୍ୟାରେ ହଠାତ ବିଜୁଳି ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇଥିଲା । ଗାଁର ଏହି ତିନି ପରିବାରର ୬ ବଖରା ଆଜବେଷ୍ଟ ଘରର ଛାତ ପବନରେ ଉଡ଼ି ଯାଇଥିଲା । ଏହାସହ ଘରେ ଥିବା ପରିବାର ସଦସ୍ୟ ଏଥିରେ ଖଣ୍ଡିଆ ଖାବରା ହୋଇଥିଲେ । ଆଜବେଷ୍ଟ ଭାଙ୍ଗିବା ସହ ଘରର ଜିନିଷ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ଏହାପରେ ସେମାନଙ୍କୁ ଖୋଲା ଆକାଶ ତଳେ ତଥା ଭଙ୍ଗା ଘରେ ଜୀବନ ବିତାଇବାକୁ ପଡ଼ୁଛି । ଏ ସମ୍ପର୍କରେ ଏହି ତିନି ପରିବାର ଲିଖିତ ଭାବେ ଚାନ୍ଦବାଲି ତହସିଲଦାରଙ୍କୁ ଜଣାଇଥିଲେ । ତହସିଲ ପକ୍ଷରୁ କୁହାଯାଇଥିଲା । ଆରଆଇ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଲେ ସହାୟତା ପ୍ରଦାନ କରାଯିବ । ହେଲେ ଏ ପର୍ଯ୍ୟନ୍ତ ସରକାରୀ ବାବୁଙ୍କ ପାଦ ପଡ଼ିନି । ଆଉ ଏପଟେ ପ୍ରଚଣ୍ଡ ଖରାରେ ବିତୁଛି ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.