Below header

ଆଜି ଗୁରୁଦିବସ : ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର .. . ଗୁରୁ ସାକ୍ଷାତ ପରଂବ୍ରହ୍ମ .. ତସ୍ମୈ ଶ୍ରୀ ଗୁରବେ ନମଃ । ଆଜି ହେଉଛି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ନଙ୍କ ଜନ୍ମ ଦିବସ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଅଜ୍ଞାନ ରୁପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ ସ୍ମରଣୀୟ । ସେଥିପାଇଁ ତ କଥାରେ ଅଛି ଗୁରୁ ବିନା ଜ୍ଞାନ ଅସମ୍ଭବ । ଆପଣ ଯେ କୌଣସି ବିଭାଗରେ କାର୍ଯ୍ୟ କରୁଥାନ୍ତୁ ନାଁ କାହିଁକି ଆପଣଙ୍କ ଜାଣନ୍ତରେ ହେଉ ଅବା ଅଜାଣତରେ ଆପଣ କାହାକୁ ନା କାହାଙ୍କୁ ଗୁରୁ ରୂପରେ ମାନି ନେଇଥିବେ । ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି । ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖି ବାକୁ ମିଳିଛି ଗରୁଙ୍କ ପ୍ରତି ଥିବା ଶିଶ୍ୟର ସେହି ଭକ୍ତି ଭାବକୁ ।

ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ। ଖାଲି ପାଠପଢ଼ା କ୍ଷେତ୍ରରେ ନୁହେଁ; ସଂଗୀତ, ନୃତ୍ୟ, ଚିତ୍ରକଳାଠାରୁ ଆରମ୍ଭ କରି ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆମେ ଗୁରୁଟିଏ ଲୋଡ଼ିଥାଉ। ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ । ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସଲ ଗୁରୁ ଶିଷ୍ୟକୁ ପଥ ପ୍ରଦର୍ଶନ କରନ୍ତି ଏବଂ ସେହି ପଥରେ ଯାଇ ଶିଷ୍ୟ ସଫଳତା ପାଏ । ତେବେ ଭାରତୀୟ ପରମ୍ପରାରେ ଗୁରୁପୂଜା କାହିଁ କେଉଁ ପୁରାତନ ଯୁଗରୁ ପ୍ରଚଳିତ ହୋଇ ଆସୁଛି । ଗୁରୁଙ୍କ ପ୍ରତି ସେହି ଶ୍ରଦ୍ଧା ଏବଂ ସମ୍ମାନ ଆଜି ବି ଉଜ୍ଜୀବିତ ହୋଇ ରହିଛି

ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

spk

୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ୱବିଦ୍ୟାଶୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଂଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ ।

‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ । ୧୯୪୯ରେ ସୋଭିଏତେ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ଭାରତ ରତ୍ନ , ଅର୍ଡର ଅଫ ମେରିଟ୍, ନାଇଟ୍ ବ୍ୟାଚଲର୍ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ହିଁ ଦେଶର ଫିଲୋସଫିକୁ ଦୁନିଆର ମାନଚିତ୍ରରେ ସ୍ଥାନ ଦେଇଥିଲେ ।

ଆସନ୍ତୁ ଜାଣିବା ତାଙ୍କର ଅମୂଲ୍ୟ ବିଚାର ସମ୍ପର୍କରେ ଯାହା ଅନେକ ପ୍ରେରଣାଦାୟୀ ଅଟେ ।

ଶିକ୍ଷକ ସିଏ ନୁହେଁ, ଯିଏ ବିଦ୍ୟାକୁ ଜୋରଦବରଦସ୍ତ ପିଲାମାନଙ୍କ ମୁଣ୍ଡରେ ପୁରାଇଥାନ୍ତି, ପ୍ରକୃତ ଶିକ୍ଷକ ହେଉଛି ସିଏ, ଯିଏ ଆସନ୍ତାକାଲିର ବାଧାବିଘ୍ନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଭାଗବାନଙ୍କ ପୂଜା ହୋଇନଥାଏ ବରଂ ସେହିମାନଙ୍କର ପୂଜା ହୁଏ ଯିଏ ତାଙ୍କ ନାମରେ କହିବାର ଦାବି କରିଥାନ୍ତି । କୌଣସି ସ୍ୱାଧୀନତା ସତ୍ୟ ନୁହେଁ, ଯେତେ ପର୍ଯ୍ୟନ୍ତ ଜଣଙ୍କୁ ବିଚାର କରିବାର ସ୍ୱାଧୀନତା ଦିଆନଯାଇଛି । ଶିକ୍ଷା ଦ୍ୱାରା ହିଁ ମନୁଷ୍ୟ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ । ଶିକ୍ଷାର ପରିଣାମ ଜଣେ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଆବଶ୍ୟକ ଯିଏ ଐତିହାସିକ ପରିସ୍ଥିତି ଏବଂ ପ୍ରାକୃତିକ ଉପାଦାନ ବିରୋଧରେ ଲଢିପାରିବ ।

ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ବିଚାରରେ ଅନେକ ପ୍ରେରଣା ପାଇ ସଫଳତା ହାସଲ କରିଛନ୍ତି । ତାଙ୍କ ବିଚାର ଥିଲା, ବହି ପଢିବା ଦ୍ୱାରା ଆମକୁ ନିରୋଳାରେ ବିଚାର କରିବାର ଅଭ୍ୟାସ ଏବଂ ପ୍ରକୃତ ଖୁସି ମିଳିଥାଏ । ଶିକ୍ଷାର ଅର୍ଥ କେବଳ ସୂଚନା ଦେବା ହୋଇନଥାଏ । ତଥ୍ୟର ନିଜର ମହତ୍ୱ ଅଛି ସତ କିନ୍ତୁ ଲୋକତାନ୍ତ୍ରିକ ଭାବନାର ମଧ୍ୟ ମହତ୍ୱ ଅଛି । କାରଣ ଏହି ଭାବନା ସହ ଛାତ୍ର ଜଣେ ଉତ୍ତରଦାୟୀ ନାଗରିକ ହୋଇଥାଏ । ଯେତେବେଳ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ପ୍ରତି ନିଜକୁ ସମର୍ପିତ ଏବଂ ପ୍ରତିବଦ୍ଧ ନହୋଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାକୁ ମିଶନର ରୂପ ମିଳିପାରିବ ନାହିଁ ।

ଆଜି ସେହି ମହାନ ଜନନାୟକଙ୍କ ଉର୍ଦ୍ଦେଶର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ଏବଂ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.