Below header

ମିଛ ନୁହେଁ ପ୍ରେତାତ୍ମା କାହାଣୀ…

ରହସ୍ୟ ଓ ରୋମାଞ୍ଚରେ ଭରପୂର ଏହି ଦୁନିଆ। ଆଜିର ବିଜ୍ଞାନ ଯୁଗରେ ବି ଅନେକ ବାସ୍ତବତା ଏଭଳି ରହିଛି, ଯାହାକୁ କିଛି ଲୋକ ବିଶ୍ୱାସ କରନ୍ତି ତ ଆଉ କିଛି ଲୋକ ଭ୍ରାନ୍ତ ବୋଲି ଭାବନ୍ତି। ଶୁଣିବାକୁ ମିଳେ, ଆମ ଆଖପାଖରେ ଏବେ ବି ରହିଛି ଭୂତପ୍ରେତଙ୍କ ଅସ୍ତିତ୍ୱ। କେହି କେହି ଏହାକୁ ଅନୁଭବ କରିଥିବା ମଧ୍ୟ ଦାବି କରନ୍ତି। କେବେ ରାସ୍ତା ଉପରେ ତ କେବେ ଘନ ଅନ୍ଧାରରେ, ଏମାନେ ଡରକୁ ସାମ୍ନା କରିଛନ୍ତି। ହେଲେ ପ୍ରକୃତ କଥା ହେଉଛି, ଘୂରି ବୁଲୁଥିବା ଏହି ଅତୃପ୍ତ ଆତ୍ମାମାନଙ୍କ ଅସ୍ତିତ୍ୱକୁ ନେଇ କେତେ ସତ୍ୟତା ରହିଛି, ତାହା ଆରମ୍ଭରୁ ହିଁ ଏକ ରୋମାଞ୍ଚକର ବିଷୟ ହୋଇ ରହିଆସିଛି। ତଥାପି ଦୁନିଆରେ ଏମିତି ଅନେକ ଜାଗା ଅଛି, ଯେଉଁଠି ଭୂତପ୍ରେତଙ୍କ ରାଜ୍‌ ଚାଲୁଛି। ଆଜି ଆମେ ଆପଣଙ୍କୁ ୩ଟି ‘ହଣ୍ଟେଡ୍‌ ଷ୍ଟୋରୀ’ ବା ଭୂତପ୍ରେତଙ୍କ କାହାଣୀ କହିବାକୁ ଯାଉଛି, ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ghost1

ସର୍ବିଆର କିସିଲଜେବୋ

ଏହି ଗାଁରେ ୮୦୦ରୁ ବି କମ୍‌ ଲୋକ ବସବାସ କରନ୍ତି। ଏଠାକାର ପିଶାଚ କାହାଣୀ ଅତି ଭୟାନକ। ୧୭୨୫ ମସିହାର କଥା, ପେଟାର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା ଏବଂ ଏହାର ୮ ଦିନ ପରେ ଗାଁର ଅନ୍ୟ ୯ଜଣଙ୍କ ମୃତ୍ୟୁ ଘଟିଲା। ଯେଉଁ ୯ଜଣଙ୍କ ମୃତ୍ୟୁ ଘଟିଥିଲା, ସେମାନେ ତାଙ୍କ ଶେଷ ଶଯ୍ୟାରେ କହିଥିଲେ ଯେ ପେଟାରଙ୍କ ମୃତଦେହ ସେମାନଙ୍କୁ ମାରିଦେବାକୁ ଚେଷ୍ଟା କରୁଛି। ଏହାର ଯାଞ୍ଚ କରିବା ପାଇଁ ଗ୍ରାମବାସୀ ପହଞ୍ଚିଥିଲେ କିସିଲଜେବୋ। ଆଉ ସେଠାରେ କବର ଖୋଳି ବାହାର କରିଥିଲେ ପେଟାରଙ୍କ ମୃତଦେହ। ମୃତ୍ୟୁର ୪୦ଦିନ ପରେ ମୃତ ଶରୀରରେ ଦେଖିବାକୁ ମିଳିଥିଲା ଅଜବ ପରିବର୍ତ୍ତନ। ଦାଢ଼ି ଓ ନଖ ବଢ଼ିଯାଇଥିବା ବେଳେ ନୂଆ ତ୍ୱଚା କଅଁଳିଥିଲା। ଏପରି କି, ତାଙ୍କ ମୁହଁ ଏବଂ କାନରୁ ବାହାରୁଥିଲା ତାଜା ରକ୍ତ। ତେବେ ଏହି ସମୟରେ ହଠାତ୍‌ ଏକ ରଡି ଶୁଭିଥିଲା ଆଉ ମୃତଦେହ କଳା ପଡ଼ିଗଲା। କେହି କେହି ପେଟାରଙ୍କୁ ‘ପ୍ରଥମ ପିଶାଚ’ ବୋଲି କହିଥାଆନ୍ତି, ଯାହାର କାହାଣୀ ଅନ୍ୟ ଭୂତ କାହାଣୀଠାରୁ ପୂରାପୂରି ଭୟଙ୍କର।

ଏହାସହ ପଢନ୍ତୁ:  ଅଜବ ନିଶା: ଏହି ମହିଳାଙ୍କ ଇସାରାରେ ଷ୍ଟାର୍ଟ ହେବ କାର୍‌, ଶରୀରରେ ରୋପଣ କଲେ ଚାବି

ghost2

ଚୀନର ନିଷିଦ୍ଧ ସହର

ବେଜିଂଠାରୁ କିଛି ଦୂରରେ ଅବସ୍ଥିତ ବିଶାଳ ନିଷିଦ୍ଧ ସହର, ଯେଉଁଠି ରହିଛି ୯୮୦ଟି ଅଟ୍ଟାଳିକା। ଚୀନର ପ୍ରମୁଖ ସ୍ଥାନ ମଧ୍ୟରୁ ଏହା ଗୋଟିଏ। ଅନେକ ଭୂତ କାହାଣୀ ଏହିଠାରୁ ହିଁ ଆସିଥାଏ। ଶୁଣିବାକୁ ମିଳେ, ୧୫ଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ଚୀନର ସମ୍ରାଟ ସେଠାରେ ରହୁଥିଲେ। କିନ୍ତୁ ଏହା ଏବେ ଭୂତ୍‌ ହବେଲିରେ ପରିଣତ ହୋଇଯାଇଛି। କୁହାଯାଏ କି, ୧୪୨୧ ମସିହାରେ ସମ୍ରାଟ ୟୋଙ୍ଗଲେ ନିଜ ଘରର ଅଲଗା ଅଂଶ(ହରମ)ରେ ରହୁଥିବା ପାଖାପାଖି ୩,୦୦୦ ମହିଳାଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଥିଲେ। କାରଣ, ସମ୍ରାଟ ଭାବୁଥିଲେ, ତାଙ୍କର ପ୍ରିୟତମା ରକ୍ଷିତାଙ୍କୁ ବିଷ ଦେଇ ମାରି ଦିଆଯାଇଥିଲା। ସେ ହରମରେ ନିଜ ପସନ୍ଦର କେତେ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ହତ୍ୟା କରିଥିଲେ। ଅନ୍ତିମ ସଂସ୍କାର ଦିନ ୧୬ଜଣଙ୍କୁ ରେଶମ ରଶିରେ ମାରି ଟାଙ୍ଗି ଦିଆଯାଇଥିଲା, ଯାହାର ଝଲକ ଆଜି ମଧ୍ୟ ଲୋକେ ଦେଖିବାକୁ ପାଆନ୍ତି। ନିଷିଦ୍ଧ ସହରରେ ଜଣେ ମହିଳା କାନ୍ଦୁଥିବାର ଶୁଣିବାକୁ ମିଳେ। ଖଣ୍ଡା ଶବ୍ଦରେ ଏବେ ବି ଲୋକେ ଚମକି ଉଠନ୍ତି। ରକ୍ତ ପୋଖରୀ, ରେଶମ ରଶି, ମୃତଦେହଗୁଡ଼ିକ ଦୃଶ୍ୟମାନ ହୁଅନ୍ତି। ବର୍ତ୍ତମାନ ଏହି ସହର, ୟୁନେସ୍କା ଦ୍ୱାରା ବିଶ୍ୱ ପଯ୍ୟର୍ଟନସ୍ଥଳୀର ମାନ୍ୟତା ପାଇଛି। କିନ୍ତୁ ରାତି ହେବା ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଏ।

ghost6

ସ୍କଟଲ୍ୟାଣ୍ଡର ଗ୍ଲାମିସ୍‌ କାଷ୍ଟଲ୍‌

ଏହି ମହଲକୁ ୧୪ଶ ଶତାବ୍ଦୀରେ ତିଆରି କରାଯାଇଥିଲା। ଏଠାରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱର୍ଗୀୟା ମା’ଙ୍କର ଜନ୍ମ ହୋଇଥିଲା। ସେ ‘ଗ୍ର ଲେଡି’, ‘ଲେଡି ଅଫ୍‌ ଗ୍ଲାମିସ୍‌’ ସହ ‘ଭୂତ ନାରୀ’ ଭାବେ ବେଶ୍‌ ଜଣାଶୁଣା ଥିଲେ। ଶୁଣିବାକୁ ମିଳେ, ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରିବା ଏବଂ ସ୍କଟଲ୍ୟାଣ୍ଡର ରାଜା ଜେମ୍ସଙ୍କୁ ନିଚ୍ଚକୁ ଆଣିବା ପାଇଁ ସେ ଗୁଣିଗାରେଡ଼ି କରିଥିଲେ। ଆଉ ଏଥିପାଇଁ ୧୫୩୭ ମସିହାରେ ଏଡିନ୍‌ବର୍ଗଠାରେ ତାଙ୍କୁ ନିଆଁ ଲଗାଇ ଜାଳି ଦିଆଯାଇଥିଲା। କେହି କେହି କୁହନ୍ତି, ତାଙ୍କ ପ୍ରେତାତ୍ମା ଆଜି ମଧ୍ୟ ଘୂରି ବୁଲୁଛି। ଘଡ଼ି ମିନାରରେ ପାହାଚରେ ଯାଉଥିବା ବେଳେ ଜଳାପୋଡ଼ା ପାଂଉଶର ପାଦଚିହ୍ନ ପଡ଼ିଥାଏ। ବିନା ଜିଭ ଥିବା ଏହି ମହିଳାଙ୍କ ପ୍ରେତାତ୍ମା ଅନେକ ସମୟରେ ମହଲ ଏବଂ ବଗିଚାରେ ବୁଲିଥିବାର ଦେଖାଯାଏ।

କେବଳ ଏହି ୩ଟି ଜାଗା ନୁହେଁ, ଦୁନିଆରେ ଏପରି ଅନେକ ଜାଗା ରହିଛି, ଯେଉଁଠି ଅତୃପ୍ତ ଆତ୍ମା ସବୁ ଘୁରି ବୁଲନ୍ତି। ହୁଏତ ଆଜିର ବିଜ୍ଞାନ ପାଇଁ ଏହା ଅବିଶ୍ୱସନୀୟ ହୋଇପାରେ, କିନ୍ତୁ ଏମାନଙ୍କ ଅସ୍ତିତ୍ୱ ରହିଥିବା ଅନେକ ଲୋକ ସ୍ୱୀକାର କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.