ସାବଧାନ୍ ବୁଲୁଛନ୍ତି ଜମି ଦଲାଲ୍, ମିଛ କାଗଜପତ୍ର ଦେଖାଇ ଟଙ୍କା ହଡପ କରି ମାରୁଛନ୍ତି ଛୁ
ସାବଧାନ୍ ବୁଲୁଛନ୍ତି ଜମି ଦଲାଲ୍, ମିଛ କାଗଜପତ୍ର ଦେଖାଇ ଟଙ୍କା ହଡପ କରି ଛୁ ମାରୁଛନ୍ତି। ଏମିତି ଏକ ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାଶ୍। ଏହି ଘଟଣାରେ ରାଜଧାନୀ ଉପକଣ୍ଠରେ ଚନ୍ଦକା ଲାଣ୍ଡ ଫ୍ରଡରେ ଲେଡି ମାଷ୍ଟର ମାଇଣ୍ଡ ସହ ଆଉ ଜଣେ ଦଲାଲ ଗିରଫ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ସାବଧାନ୍ ବୁଲୁଛନ୍ତି ଜମି ଦଲାଲ୍, ମିଛ କାଗଜପତ୍ର ଦେଖାଇ ଟଙ୍କା ହଡପ କରି ଛୁ ମାରୁଛନ୍ତି। ଏମିତି ଏକ ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାଶ୍। ଏହି ଘଟଣାରେ ରାଜଧାନୀ ଉପକଣ୍ଠରେ ଚନ୍ଦକା ଲାଣ୍ଡ ଫ୍ରଡରେ ଲେଡି ମାଷ୍ଟର ମାଇଣ୍ଡ ସହ ଆଉ ଜଣେ ଦଲାଲ ଗିରଫ ହୋଇଛନ୍ତି। ଗିରଫ ପରେ ସ୍ପେଶଲ୍ କ୍ରାଇମ୍ ୟୁନିଟ ପଦାକୁ ଆଣିଛି ଜମି ମାଫିଆଙ୍କ କେଳେଙ୍କାରୀ। ପଟା, ପାଉତି, ଖଜଣା ସବୁଥିରେ କରୁଛନ୍ତି ଜାଲିଆତି । ଜମି ମାଲିକଙ୍କ ନାରେ ହାଜର ହେଉଛନ୍ତି ଛଦ୍ମବେଶି ମହିଳା । ଏଥିରେ ସହାୟତା କରୁଛନ୍ତି ସବରେଜିଷ୍ଟର ଅଫିସ କର୍ମଚାରୀ । ରାଜଧାନୀରେ ନିଜର ଜୀବନ ଯାକର ସମ୍ପତି ଖଟାଇ ଘର କରିବା ସ୍ୱପ୍ନ ଚୂର୍ ମାର ହୋଇ ଯାଇଛି ଏହି ଦଲାଲ ଗୋଷ୍ଠୀ ଙ୍କ ପାଇଁ ।
କମଳା ସ୍ୱାଇଁ। ରାଜଧାନୀରେ ଘର ଖଣ୍ଡିଏ କରିବାର ସ୍ଵପ୍ନ ଦେଖିଥିଲେ । ସ୍ୱାମୀଙ୍କ ଅବସର ଓ ଦୁଇ ଝିଅଙ୍କୁ ବାହା କରିବା ପରେ କଷ୍ଟ ଅର୍ଜିତ ଧନ ସଞ୍ଚି ଚନ୍ଦକା ଅଞ୍ଚଳରେ କିଣିଥିଲେ ଗେଟେ ଜମି । ହେଲେ ଜମି ପୂଜା କରିବାକୁ ଯିବା ବେଳେ ଅଟକାଇଲେ ଭଡାଟିଆ ଗୁଣ୍ଡା । କହିଲେ, ଏ ଜମି ତୁମର ନୁହେଁ । କାରଣ ସଂଯୁକ୍ତା ପାଣିଗ୍ରାହୀଙ୍କ ନାଁରେ ମିଛ କାଗଜପତ୍ର କରି ୬୦ ଲକ୍ଷ ହଡପ କରିଥିଲେ ଚୌଦ୍ୱାର, କପାଳେଶ୍ୱରର ସୁଶୀଲା ପଟ୍ଟନାୟକ। ଦେଖିବାକୁ ବେଶ ସାଧସିଧା। ହେଲେ ସଂଯୁକ୍ତାଙ୍କ ନାରେ ସୁଶୀଳାଙ୍କୁ ଦେଖାଇ ହୋଇଥିଲା ଡିଲ୍।
ତେବେ ଏହି ଘଟଣାରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏହି ଛଦ୍ମବେଶି ମହିଳା ଓ ମହାକାଳେସ୍ଵରର ଅରୁପ ହାଲଦାରଙ୍କୁ ଗିରଫ କରିଛି। ପୂର୍ବରୁ ଗତ ୪ ତାରିଖରେ ପାଞ୍ଚ ଜଣକୁ ଗିରଫ କରାଯାଇଥିଲା। ଏହାକୁ ମିଶାଇ ଗିରଫ ସଂଖ୍ୟା ସାତରେ ପହଞ୍ଚିଛି। ଅଭିନବ ଉପାୟରେ ଜମି ଠକେଇର ଗୁମର ଖୋଲୁଛି SCU। ଦେଖନ୍ତୁ କିଭଳି ଭାବେ ନକଲି ପଟ୍ଟା, କାଗଜପତ୍ର କରି ଲୋକଙ୍କୁ ଚୁନା ଲଗାଉଥିଲେ। ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ଗିରଫ କରି ଲ୍ୟାଣ୍ଡ ଫ୍ରଡ଼ଙ୍କ ଭାଣ୍ଡାଫୋଡ କରିଛି ସ୍ପେଶାଲ କ୍ରାଇମ ୟୁନିଟ ।
ଗତ ସେପ୍ଟେମ୍ବର ୪ ତାରିଖରେ ୧୦୦ ଡ଼ିସିମିଲ ଜମିର କାଗଜପତ୍ର ନକଲ କରିବା କେସରେ ବିଶ୍ୱଜିତ ବେଉରା, ବିକାଶ ଚନ୍ଦ୍ର ପଣ୍ଡା, ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର ଓ ଖଣ୍ଡଗିରି ସବରେଜିଷ୍ଟର ଅଫିସ ର ହେଡ କ୍ଲର୍କ ସଞ୍ଜୟ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଅନଲାଇନ ରେ ବିଜ୍ଞାପନ ଦେଇ ୬୦ ଲକ୍ଷ ଠକି ଥିଲେ। ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସରକାରୀ ଷ୍ଟାମ୍ପ, ସିଲ ଆଦି ଜବତ କରାଯାଇଥିଲା । ତେବେ ସବରେଜିଷ୍ଟର ଅଫିସ ର ଆଉ କିଏ ଏଥିରେ ସାମିଲ ଅଛନ୍ତି କି ସେନେଇ ଚାଲିଛି ଖୋଳତାଡ।
ସ୍ପେଶାଲ କ୍ରାଇମ ୟୁନିଟ ରାଜଧାନୀ ରେ ଜମି କିଣା ବିକା କରୁଥିବା ଲୋକଙ୍କୁ ସଚେତନ କରିଛି। କିଏ ଯଦି ଏପ୍ରକାର ଜମି ଠକେଇର ଶିକାର ହୋଇଛନ୍ତି ତେବେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି ।