ଭିଏତନାମାରେ ଖୋଲିଲା ବିଶ୍ୱର ପ୍ରଥମ ସୁନା ହୋଟେଲ, ଯେଉଁଠି ଗୋଟେ ରାତିକୁ ରହିବାକୁ ଦେବାକୁ ହେବ ୭୫ ହଜାର ଟଙ୍କା

ଆପଣ ବାହାରକୁ ବୁଲିବାକୁ ଯାଇଥିବେ ଏବଂ ସେଠାରେ ଥିବା ହୋଟେଲରେ ମଧ୍ୟ ରହିଥିବେ। କିନ୍ତୁ ସୁନା ହୋଟେଲ ବିଷୟରେ କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ନା ! କିନ୍ତୁ ହଁ ବିଶ୍ୱର ପ୍ରଥମ ସୁନା ହୋଟେଲର ଶୁଭାରମ୍ଭ ହୋଇଛି।
କରୋନା ସଙ୍କଟ ମଧ୍ୟରେ ଭିଏତନାମର ରାଜଧାନୀ ହନୋଇରେ ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ୍ ହୋଟେଲ ଖୋଲିଛି । ସେଠାରେ ଗେଟ୍, କବାଟ, କଫି କପ୍, ଟେବୁଲ, ଝରକା, ବାସନକୁସନ ସବୁକିଛିରେ ୨୪ କ୍ୟାରେଟ୍ ସୁନାର ପ୍ରଲେପ ଦିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏଠାରେ ଗୋଟେ ରାତିକୁ ରହିବାକୁ ୨୫୦ ଡଲାର ଅର୍ଥାତ୍ ୭୫ ହଜାର ଟଙ୍କା ଦେବାକୁ ପଡିଥାଏ।
ଏହା ଦୁନିଆର ପ୍ରଥମ ସୁନାରେ ତିଆରି ହୋଟେଲ। ବେଡରୁମରେ ଥିବା ଫର୍ଣ୍ଣିଚର ଏବଂ ଅନ୍ୟ ଆସବାବପତ୍ର ଉପରେ ମଧ୍ୟ ଗୋଲ୍ଡ ପ୍ଲେଟିଂ କରାଯାଇଛି । ଏହା ଦକ୍ଷିଣ ପୂର୍ବ ଏସିଆର ସବୁଠୁ ବିଳାସବହୁଳ ହୋଟେଲ ବୋଲି ଚର୍ଚ୍ଚା ହେଉଛି । ୪ ଶହ କୋଠରୀ ବିଶିଷ୍ଟ ଏହି ପଞ୍ଚତାରକା ହୋଟେଲର ନାମ ‘ଡୋଲସେ ହନୋଇ ଗୋଲ୍ଡେନ୍ ଲେକ୍’ । ଏହାର ବାହାରପଟ କାନ୍ଥରେ ପ୍ରାୟ ୫୪ ହଜାର ବର୍ଗଫୁଟ ଗୋଲ୍ଡ ପ୍ଲେଟେଡ୍ ଟାଇଲ୍ସ ଲାଗିଛି । ହୋଟେଲରେ କର୍ମଚାରୀମାନଙ୍କ ଡ୍ରେସ କୋଡ୍ ମଧ୍ୟ ଲାଲ୍ ଏବଂ ଗୋଲଡେନ୍ ରଙ୍ଗ ରଖାଯାଇଛି ।
୨୦୦୯ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୧୧ ବର୍ଷ ପରେ ନିର୍ମାଣ ଶେଷ ହୋଇଛି । ଏଠାରେ ଡବଲ ବେଡରୁମ୍ ଥିବା ସୁଟରେ ଗୋଟିଏ ରାତି ରହିବା ଲାଗି ଭଡ଼ା ୭୫ ହଜାର ଟଙ୍କା । ସେହିପରି ପ୍ରେସିଡେନ୍ସିଆଲ ସୁଟରେ ରହିବାକୁ ହେଲେ, ରାତିକୁ ୪.୮୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଗୋଲ୍ଡ ପ୍ଲେଟେଡ୍ ହୋଟେଲ ନିର୍ମାଣ ନେଇ କର୍ତ୍ତୃପକ୍ଷ କହିଛନ୍ତି, ସୁନା ଆମର ମାନସିକ ଚାପକୁ କମାଇବାରେ ସହାୟକ ହୋଇଥାଏ । ତେଣୁ ହୋଟେଲରେ ସୁନାର ବହୁଳ ବ୍ୟବହାର କରାଯାଇଛି । ଏହି ୨୫ ମହଲା ବିଶିଷ୍ଟ ହୋଟେଲ ପୁଲ୍ରୁ ସଂପୂର୍ଣ୍ଣ ଭିଏତନାମା ସହର ଦେଖିବାକୁ ମିଳିଥାଏ।