କ୍ୟାନସର ହସପିଟାଲରେ ଉତ୍ତେଜନା ସୃଷ୍ଟି ହେଲା କାହିଁକି? ପଜିଟିଭ୍ କାହିଁକି ଅନ୍ୟମାନଙ୍କୁ ଗୋଡ଼ାଇଲେ ଛୁଇଁବା ପାଇଁ ?

କଟକ : ଶନିବାର ରାତି କଟକ ଆଚାର‌୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ପାଇଁ ଅଶୁଭ ଥିଲା । ଏହି ଦିନ ପୁଣି ଚିହ୍ନଟ ହୋଇଥିଲେ ଆଉ ୩୮ ଜଣ କରୋନା ପଜିଟିଭ୍ । ତେବେ ଅଘଟଣ ଘଟିଲା ଯେତେବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଆସି ପହଞ୍ଚିଲା । କୁହାଯାଉଛି, ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନାର କିଛି କର୍ମଚାରୀ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତିରେ ଭୀଷଣ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କ ନେବାକୁ ଆସିଥିବା ପ୍ରଶାସନର କର୍ମଚାରୀ ଓ ଅଧିକାରୀଙ୍କୁ ଡରାଇଲେ । ଆମେ ତୁମକୁ ଛୁଇଁ ଦେବୁ କହି ଗୋଡ଼ାଇଲେ । ସେମାନେ ଡରି ଲୁଚିବାକୁ ଲାଗିଲେ । ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା ।

ଅବଶ୍ୟ ପରବର୍ତ୍ତୀ ସମୟରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର ହେଲେ । ଏହି ୩୮ ଜଣଙ୍କ ମଧ୍ୟରେ କିଛି ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ହସପିଟାଲ କର୍ମଚାରୀ ଥିଲେ । ଏହି ଘଟଣାର ଭିଡିଓ ଗତକାଲି ରାତିରୁ ଜୋରସୋରରେ ଭାଇରଲ ହେଉଛି । ଯାହାକୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ । ତେବେ ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.