Below header

ରଣଜୀ ଲଢ଼େଇ : ଓଡ଼ିଶା ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଲଜ୍ଜା, ରାଜସ୍ଥାନ ଠାରୁ ୩୫ ରନ୍‌ରେ ପରାସ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିକାଶ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ମ୍ୟାଚ୍‌ରେ ରାଜସ୍ଥାନ ଠାରୁ ଘରୋଇ ଓଡ଼ିଶା ଦଳ ୩୫ ରନ୍‌ରେ ପରାସ୍ତ ହୋଇଛି । ଗତକାଲି ଓଡ଼ିଶା ପାଇଁ ରାଜସ୍ଥାନର ୧୭୩ ରନ୍‌ର ବିଜୟଲକ୍ଷ୍ୟ ରଖିଥିଲା । ହେଲେ ଗତକାଲି ମାତ୍ର ୬ ରନ୍‌ରେ ୨ଟି ଓ୍ଵିକେଟ୍‌ ହରାଇ ଥିବା ଓଡ଼ିଶା ଆଜି ଦ୍ୱିତୀୟ ଇନିଂସ୍‌ରେ ମୋଟ୍‌ ୧୩୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।
ଓଡ଼ିଶା ପକ୍ଷରୁ ବୋଲର୍‌ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ସ୍କୋରର୍‌ ଭାବେ ୫୬ ରନ୍‌ କରିଥିଲେ । ଦଳକୁ ଜିତାଇବା ପାଇଁ ଲଢ଼େଇ କରିଥିଲେ ମଧ୍ୟ ତାହା ବୃଥା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ସେନାପତି ୩୬ ରନ୍‌ କରିଥିଲେ । ରାଜସ୍ଥାନ ପେସ୍‌ ବୋଲର ଅଙ୍କିତ ଚୌଧୁରୀ ୨୫ ରନ୍‌ ଦେଇ ୫ଟି ଏବଂ ହକି ୩ ଓ ନଥୁ ସିଂହ ୨ଟି ଓ୍ଵିକେଟ୍‌ ଦଖଲ କରି ଓଡ଼ିଶାକୁ ସଫା କରି ଦେଇଥିଲେ ।ବିକାଶ ଗ୍ରାଉଣ୍ଡରେ ୩ ଦିନରେ ୪୦ଟି ଓ୍ଵିକେଟ୍‌ର ପତନ ଘଟିଛି ।
ଗ୍ରୁପ୍‌ ‘ସି’ରେ ଖେଳୁଥିବା ଓଡ଼ିଶା ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୩ଟି ପରାଜୟ ଏବଂ ଗୋଟିଏ ମ୍ୟାଚ୍‌ ଡ୍ର ରଖି ୧୩ ପଏଣ୍ଟ ପାଇଛି । ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି ଓଡ଼ିଶା ।

ଓଡ଼ିଶା ହାରୁଛି କାହିଁକି ?

BIPLAB SAMANTARY-1

ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ଯୋଗୁଁ ଲଗାତର ଭାବେ ଜିତିବା ମ୍ୟାଚ୍‌ ହାରି ଯାଉଛି ଓଡ଼ିଶା ଦଳ । ରାଜସ୍ଥାନ ସହ ମ୍ୟାଚ୍‌ରେ ପ୍ରଥମ ଇନିଂସ୍‌ରେ ୩ ଜଣ ଓ ଦ୍ୱିତୀୟ ଇନିଂସ୍‌ରେ ୩ ଜଣ ଖେଳାଳି ଦୁଇ ଅଙ୍କୁ ଛୁଇଁ ପାରିଛନ୍ତି । ଦଳର ଥିଙ୍କଟ୍ୟାଙ୍କ ଏ ସମ୍ପର୍କରେ ଅବଗତ ଅଛନ୍ତି ନା ନାହିଁ ସ୍ପଷ୍ଟ ହେଉନାହିଁ । ବିଫଳତା ସମ୍ପର୍କରେ କେହି ଯେମିତି ମୁହଁ ଖୋଲିବାକୁ ନାରାଜ । ବ୍ୟାଟ୍‌ସମ୍ୟାନ୍‌ମାନେ ବାରମ୍ବାର ଫେଲ୍‌ ମାରୁଛନ୍ତି । ଖେଳାଳି ଚୟନରେ ତ୍ରୁଟି ରହୁଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାର ଜବାବ ଦେବ କିଏ ? ଶକ୍ତିଶାଳୀ ଦଳ ଠାରୁ ହାରିବା ଅଲଗା କଥା ହେଲେ ଦୁର୍ବଳ ଦଳ ଠାରୁ ଜିତି ନ ପାରିବା ଏବଂ ହାରିବା ପଛରେ ନିଶ୍ଚିତ ଭାବେ ବଡ଼ କାରଣ ରହିଥିବ । ଯାହା ପଦାକୁ ଆସିବା ଜରୁରୀ । କ୍ୟାପଟେନ୍‌, କୋଚ୍‌ ଏବଂ ଓସିଏ କର୍ତ୍ତୃପକ୍ଷ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ଆଗରେ ଏ ନେଇ ଉତ୍ତର ରଖିବା ଦରକାର ।

ସ୍କୋର : ରାଜସ୍ଥାନ ପ୍ରଥମ ଇନିଂସ୍‌ : ୧୩୫ । ଦ୍ୱିତୀୟ ଇନିଂସ୍‌-୧୪୮ ।
ଓଡ଼ିଶା ପ୍ରଥମ ଇନିଂସ୍‌-୧୧୧ । ଦ୍ୱିତୀୟ ଇନିଂସ୍‌-୧୩୭, ୪୫.୨ ଓଭର (ଦେବାଶିଷ ସାମନ୍ତରାୟ ୨୧, ଶୁଭ୍ରାଂଶୁ ସେନାପତି ୩୬, ସୂର୍ଯ୍ୟକାନ୍ତ ପ୍ରଧାନ ୫୬ । ଅଙ୍କିତ ଚୌଧୁରୀ ୫/୨୫, ଟି.ଏମ୍‌ ଉଲ୍‌ ହକ୍‌ ୩/୩୯, ନଥୁ ସିଂହ ୨/୪୩) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.